ଆଜି ୭୬ତମ ସ୍ବାଧୀନତା ଦିବସ: ଲାଲ୍‌କିଲ୍ଲାରେ ଆଣ୍ଟି-ଡ୍ରୋନ୍‌ ସିଷ୍ଟମ୍ ମୁତୟନ

Advertisment

ଶତ୍ରୁ ଡ୍ରୋନକୁ ନିଷ୍କ୍ରିୟ କରିଦେବ

ଶତ୍ରୁ ଡ୍ରୋନକୁ ନିଷ୍କ୍ରିୟ କରିଦେବ

ଆଜି ୭୬ତମ ସ୍ବାଧୀନତା ଦିବସ: ଲାଲ୍‌କିଲ୍ଲାରେ ଆଣ୍ଟି-ଡ୍ରୋନ୍‌ ସିଷ୍ଟମ୍ ମୁତୟନ

ନୂଆଦିଲ୍ଲୀ: ଦେଶ ସୋମବାର ୭୬ତମ ସ୍ବାଧୀନତା ଦିବସ ପାଳନ କରିବ। ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ଅନେକ ଭିଭିଆଇପି ସାମିଲ ହେବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଛୋଟ ଛୋଟ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ ଆଶଙ୍କା ଥିବାରୁ ଏହାର ନିରାକରଣ ପାଇଁ ଡିଆର୍‌ଡିଓ ପକ୍ଷରୁ ବିକଶିତ ଏକ କାଉଣ୍ଟର-ଡ୍ରୋନ୍ ସିଷ୍ଟମ୍‌କୁ ଲାଲ୍‌କିଲ୍ଲା ନିକଟରେ ମୁତୟନ କରାଯାଇଛି। ଡିଆର୍‌ଡିଓ ପକ୍ଷରୁ କୁହାଯାଇଛି ଯେ ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ୪ କିମି ପରିଧି ଭିତରେ ଯେତେ ଛୋଟ ବା ବଡ଼ ଡ୍ରୋନ୍ ଆସୁ ନା କାହିଁକି ତାକୁ ଚିହ୍ନଟ କରି ନିଷ୍କ୍ରିୟ କରିଦେଇପାରିବ।

ଦିଲ୍ଲୀ ପୁଲିସ ମଧ୍ୟ ସ୍ବାଧୀନତା ଦିବସ ଉତ୍ସବକୁ ଆଖି ଆଗରେ ରଖି ପାଟ୍ରୋଲିଂ ଓ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଦେଇଛି। ହୋଟେଲ, ରେସ୍ତୋରାଁ, ଗେଷ୍ଟହାଉସ୍ ଓ ପାର୍କିଂ ସ୍ଥଳ ଆଦି ଚେକିଂ କରାଯାଉଛି। ଲାଲ୍‌କିଲ୍ଲାର ପ୍ରବେଶପଥରେ ମୁହଁ-ଚିହ୍ନଟ କ୍ୟାମେରା ଲାଗିବା ସହ ବହୁ-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୦୦୦ ଉଚ୍ଚ ବୈଶିଷ୍ଟ୍ୟସମ୍ପନ୍ନ ଶକ୍ତିଶାଳୀ କ୍ୟାମେରା ମଧ୍ୟ ଉତ୍ତର ଦିଲ୍ଲୀ, କେନ୍ଦ୍ରୀୟ ଦିଲ୍ଲୀ ଓ ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ଲଗାଯାଇଛି। ସନ୍ଦେହଜନକ ସ୍ଥାନମାନଙ୍କରେ ବିସ୍ଫୋରକ ଦ୍ରବ୍ୟ କେହି ଲୁଚାଇ ରଖିଛି କିନା ଚେକିଂ କରାଯାଉଛି। ସ୍ବାଧୀନତା ଦିବସ ଦିନ ୧୦,୦୦୦ରୁ ଅଧିକ ପୁଲିସଙ୍କୁ ମଧ୍ୟ ଲାଲ୍‌କିଲ୍ଲାରେ ମୁତୟନ କରାଯିବ। ଘର ଛାତମାନଙ୍କରେ ଓ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଦିଲ୍ଲୀ ପୁଲିସ ୪୦୦ରୁ ଅଧିକ କାଇଟ୍ କ୍ୟାଚର ଓ ଫ୍ଲାୟର୍ ମୁତୟନ କରିଛି। ଲାଲ୍‌କିଲ୍ଲାର ୫ କିମି ପରିଧିକୁ ‘ଗୁଡ଼ି ଉଡ଼ା ନିଷିଦ୍ଧାଞ୍ଚଳ’ ବୋଲି ଘୋଷଣା କରାଯାଇଛି। ଜାତୀୟ ପତାକା ଉତ୍ତୋଳନ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଏଥି ସହ ଲାଲ୍‌କିଲ୍ଲା ପରିସାକୁ ଟିଫିନ ବାକ୍ସ, ପାଣି ବୋତଲ, ରିମୋଟ କଣ୍ଟ୍ରୋଲ କାର୍ ଚାବି, ସିଗାରେଟ ଲାଇଟର, ବ୍ରିଫ୍‌କେସ୍, ହାତବ୍ୟାଗ୍, କ୍ୟାମେରା, ବାଇନୋକୁଲାର, ଛତା ଓ ଅନୁରୂପ ସାମଗ୍ରୀ ନେବାକୁ ଅନୁମତି ମିଳିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe