ଇସ୍ତଫା ପରେ ଆକବରଙ୍କ ଟିପ୍ପଣୀ, ଆଇନଗତ ଲଢ଼େଇ ଜାରି ରହିବ

Advertisment

ଆଜି ମାନହାନି ମାମଲାର ଶୁଣାଣି, ଇସ୍ତଫାକୁ ପ୍ରିୟା ରମାନିଙ୍କ ସ୍ବାଗତ

ଆଜି ମାନହାନି ମାମଲାର ଶୁଣାଣି, ଇସ୍ତଫାକୁ ପ୍ରିୟା ରମାନିଙ୍କ ସ୍ବାଗତ

ଇସ୍ତଫା ପରେ ଆକବରଙ୍କ ଟିପ୍ପଣୀ, ଆଇନଗତ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ: ଡଜେନରୁ ଅଧିକ ଯୌନ ନିର୍ଯାତନା ଅଭିଯୋଗର ସମ୍ମୁଖୀନ ହୋଇ ଶେଷରେ ଇସ୍ତଫା ଦେଇଥିବା ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ ଆକବର ନିଜକୁ ସ୍ବଚ୍ଛ ପ୍ରମାଣିତ କରିବା ପାଇଁ ଆଇନଗତ ଲଢ଼େଇ ଜାରି ରଖିବେ ବୋଲି ବୁଧବାର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ନିଜକୁ ସ୍ବଚ୍ଛ ପ୍ରମାଣ କରିବା ଲାଗି ମୁଁ ଆଇନର ରାସ୍ତା ଆପଣାଇବି ବୋଲି ନିଷ୍ପତ୍ତି ନେଇଛି। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଇସ୍ତଫା ଦେବାକୁ ଉଚିତ ମଣୁଛି। ବ୍ୟକ୍ତିଗତ ସ୍ତରରେ ମୁଁ ସମସ୍ତ ମିଥ୍ୟା ଅଭିଯୋଗକୁ ଚାଲେଞ୍ଜ୍ କରିବି। ମୋ ବିରୋଧରେ ଯାହା କିଛି ବି ଅଭିଯୋଗ ଆସିଛି, ତାହାର ସାମ୍ନା କରି ଲଢ଼େଇ କରିବି।

ଆକବର କହିଛନ୍ତି, ରାଷ୍ଟ୍ର ପାଇଁ କାମ କରିବାକୁ ମୋତେ ସୁଯୋଗ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆକବର ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ଏବଂ ଇସ୍ତଫା ଦେବେନାହିଁ ବୋଲି ପରୋକ୍ଷରେ ସୂଚାଇଥିଲେ। ଅନ୍ୟପକ୍ଷରେ ବିରୋଧୀ ଦଳ କଂଗ୍ରେସ ଆକବରଙ୍କ ଇସ୍ତଫା ଦାବି କରି ତାଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ ଜଣାଇଥିଲା। ଫଳରେ ପରିସ୍ଥିତି କ୍ରମେ ଖରାପ ଆଡ଼କୁ ଗତି କରିଥିଲା। ଆକବରଙ୍କ ଇସ୍ତଫା ପରେ ସାମ୍ବାଦିକା ପ୍ରିୟା ରମାନି ଏହାକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ଆକବରଙ୍କ ଇସ୍ତଫା ପରେ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ମୋ ଭଳି ମହିଳାମାନେ ଆଶ୍ବସ୍ତ ହୋଇଛନ୍ତି। ଆମେ ତାଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ଆଣିଛୁ, ତାହା ଯେ ସତ ସେ ନିଜ ପ୍ରମାଣ ଦେଇଛନ୍ତି। ତେବେ ମୋ ବିରୋଧରେ ଯେଉଁ ମାନହାନି ମୋକଦ୍ଦମା ହୋଇଛି, ତାହାକୁ ସାହସର ସହିତ ସାମ୍ନା କରିବି ଏବଂ ନ୍ୟାୟ ପାଇବି ବୋଲି ରମାନି କହିଛନ୍ତି।

ଆସନ୍ତାକାଲି ଦିଲ୍ଲୀର ଏକ କୋର୍ଟରେ ଆକବରଙ୍କ ମାନହାନି ମାମଲାର ଶୁଣାଣି ହେବାକୁ ଯାଉଛି। ପ୍ରିୟା ପ୍ରଥମେ ଆକବରଙ୍କ ବିରୋଧରେ ମି ଠୁ ଅଭିଯାନ ମାଧ୍ୟମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଆକବରଙ୍କ ଘଟଣାରେ ପ୍ରଥମରୁ ଚୁପ୍‌ ରହିଥିବା ଶାସକ ଦଳ ବିଜେପି ପକ୍ଷରୁ ଏବେ ବି କୌଣସି ମତପ୍ରକାଶ ପାଇନାହିଁ। ଏ ନେଇ ଅଧିକାଂଶ ବିଜେପି ସାଂସଦ ଓ ବିଧାୟକ ଚୁପ୍ ରହିବାକୁ ଉଚିତ ମଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe