Image Courtesy of NDTV
ମସ୍କୋ: ରୁଷୀୟ କୋଭିଡ୍-୧୯ ଟିକା ‘ସ୍ପୁଟ୍ନିକ୍ ଭି’ର ଅନ୍ୟତମ ପ୍ରସ୍ତୁତକାରୀ ବୈଜ୍ଞାନିକ ଆନ୍ଦ୍ରେ ବୋତିକୋଭ୍ଙ୍କୁ ତାଙ୍କ ଆପାର୍ଟମେଣ୍ଟ୍ରେ ଗୋଟାଏ ବେଲ୍ଟ୍ (କମରପଟି) ସାହାଯ୍ୟରେ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା କଥା ଆଜି ରୁଷ୍ର ଏକ ଗଣମାଧ୍ୟମ ରିପୋର୍ଟ କରିଛି।
ପୁଲିସ ଏହି ନରହତ୍ୟାରେ ସମ୍ପୃକ୍ତ ଥିବା ଜଣେ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରିଛି।
‘ଇନ୍ଭେଷ୍ଟିଗେଟିଭ୍ କମିଟି ଅଫ୍ ଦି ରଷିଆନ୍ ଫେଡେରେସନ୍’ଙ୍କ ବିବୃତିରୁ ଉଦ୍ଧାର କରି ରୁଷୀୟ ନିଉଜ୍ ଏଜେନ୍ସି ‘ଟାସ୍’ କହିଛି ‘ଗାମାଲେୟା ନ୍ୟାସ୍ନାଲ୍ ରିସର୍ଚ ସେଣ୍ଟର୍ ଫର୍ ଇକୋଲୋଜି ଆଣ୍ଡ୍ ମ୍ୟାଥ୍ମେଟିକ୍ସ୍’ରେ ବରିଷ୍ଠ ଗବେଷକ ଭାବେ କାର୍ଯ୍ୟ କରୁଥିବା ୪୭ ବର୍ଷିୟ ବୋତିକୋଭ୍ଙ୍କୁ ଗୁରୁବାର ଦିନ ତାଙ୍କ ଆପାର୍ଟମେଣ୍ଟ୍ରେ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା।
Image Courtesy of Udayvaniକୋଭିଡ୍ ଟିକା ଉପରେ ତାଙ୍କର କାର୍ଯ୍ୟ ନିମନ୍ତେ ୨୦୨୧ରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ତାଙ୍କୁ ‘ଅର୍ଡର୍ ଅଫ୍ ମେରିଟ୍ ଫର୍ ଦି ଫାଦର୍ଲାଣ୍ଡ୍’ ପୁରସ୍କାର ଦେଇ ସମ୍ମାନିତ କରିଥିଲେ। ୨୦୨୦ରେ ‘ସ୍ପୁଟ୍ନିକ୍ ଭି’ ଟିକା ପ୍ରସ୍ତୁତ କରିଥିବା ୧୮ଜଣ ବୈଜ୍ଞାନିକମାନଙ୍କ ମଧ୍ୟରୁ ବୋତିକୋଭ୍ ଥିଲେ ଅନ୍ୟତମ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
ତାଙ୍କ ମୃତ୍ୟୁକୁ ଏକ ହତ୍ୟାକାଣ୍ଡ ଘଟଣା ଭାବେ ତଦନ୍ତ କରାଯାଉଛି ବୋଲି ତଦନ୍ତକାରୀ କର୍ତ୍ତୃପକ୍ଷ ‘ଟେଲିଗ୍ରାମ୍’ରେ ଦେଇଥିବା ବିବୃତିରେ କହିଛନ୍ତି। ତଦନ୍ତକାରୀମାନଙ୍କ କହିବା ଅନୁସାରେ, ପାଟିତୁଣ୍ଡ ବେଳେ ଜଣେ ୨୯ ବର୍ଷିୟ ଯୁବକ ବୋତିକୋଭ୍ଙ୍କ ତଣ୍ଟିକୁ ଗୋଟାଏ ବେଲ୍ଟ୍ଦ୍ବାରା ଚାପି ତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏହି ହତ୍ୟାକାଣ୍ଡ ଘରୋଇ ଅପରାଧ ଏବଂ ବିବାଦ ଯୋଗୁଁ ଘଟିଥିବା କଥା ପୁଲିସ କହିଛି।
Follow Us