Image Courtesy of Al Jazeera
କାବୁଲ : ଆଫଗାନିସ୍ତାନରେ ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ପ୍ରସଙ୍ଗରେ ତାଲିବାନ ମଧ୍ୟରେ ମତଭେଦ ସୃଷ୍ଟି କରିଛି । ଏପରିକି ତାଲିବାନ ସରକାରଙ୍କ ସର୍ବୋଚ୍ଚ ନେତା ମୁଲ୍ଲା ହିବାତୁଲ୍ଲା ଆଖୁନ୍ଦଜାଦାଙ୍କୁ ତାଙ୍କ ପଦରୁ ହଟାଯାଇପାରେ ।
ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ଯେ ମହିଳାଙ୍କ ଶିକ୍ଷା ପ୍ରସଙ୍ଗରେ ତାଲିବାନ ଉପରେ ଅନ୍ତର୍ଜାତୀୟ ଚାପ ବଢିଚାଲିଛି । ଏହା ସତ୍ତ୍ବେ ଅଖୁନଜାଦା ନିଷ୍ପତ୍ତି ବଦଳାଇବାକୁ ରାଜି ନାହାନ୍ତି । ଗତ ବର୍ଷ ଡିସେମ୍ବରରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମହିଳାଙ୍କ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହି ପ୍ରସଙ୍ଗରେ ତାଲିବାନ ଆନ୍ତର୍ଜାତୀୟ ଫୋରମରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲା ।
ତେବେ ଆଖୁନ୍ଦଜାଦା ଆନ୍ତର୍ଜାତିକ ଚାପରେ ଏହି ନିଷେଧାଦେଶ ପ୍ରତ୍ୟାହାର କରିବେ ନାହିଁ ବୋଲି ଜିଦ୍ ଧରିଥିବାରୁ ତାଙ୍କ ସହ ଅନ୍ୟ ନେତାମାନଙ୍କ ଆଲୋଚନା ସଫଳ ହୋଇନାହିଁ।
ସେପଟେ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ଏବଂ ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ମହମ୍ମଦ ୟାକୁବ କଠୋରପନ୍ଥୀମାନଙ୍କ ଦ୍ୱାରା ସରକାର ପରିଚାଳନା ସପକ୍ଷରେ ନାହାଁନ୍ତି ଏବଂ ଏହି କାରଣରୁ ସରକାରରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ବିଶେଷତଃ ହକ୍କାନି ଏବଂ ୟାକୁବ ମହିଳା ଶିକ୍ଷା ଉପରେ ଲାଗିଥିବା ନିଷେଧାଜ୍ଞାକୁ ହଟାଇବାକୁ ଚାହୁଁଛନ୍ତି । ସେମାନେ ଯୁକ୍ତି କରିଛନ୍ତି ଯେ ଆଫଗାନିସ୍ତାନ ପାଇଁ ଆନ୍ତର୍ଜାତୀୟ ସମର୍ଥନ ଗୁରୁତ୍ୱପୂର୍ଣ୍ଣ, କାରଣ ଆଫଗାନିସ୍ତାନ ପରି ଗରିବ ଦେଶ ପାଇଁ ଏହା ଜରୁରୀ । ଏଣୁ ଅନ୍ତର୍ଜାତୀୟ ସମର୍ଥନ ପାଇବାକୁ ହେଲେ ମହିଳା ଶିକ୍ଷା ଓ ନିଯୁକ୍ତିକୁ ଅନୁମତି ଦେବାକୁ ହେବ । ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ନେତାଙ୍କୁ ହଟାଇଦିଆଯିବାକୁ ଯୋଜନା କରାଯାଉଛି ।
Follow Us