ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଏବେ ଦିଲ୍ଲୀର ସବୁଠାରୁ ମାରାତ୍ମକ ସ୍ୱାସ୍ଥ୍ୟ ବିପଦ ଭାବେ ଉଭା ହୋଇଛି, ଯାହା ଉଚ୍ଚ ରକ୍ତଚାପ, ମଧୁମେହ କିମ୍ବା ମେଦବହୁଳତା ଅପେକ୍ଷା ଅଧିକ ଜୀବନ ନେଉଛି। ଇନ୍ଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ମେଟ୍ରିକ୍ସ ଆଣ୍ଡ୍ ଇଭାଲ୍ୟୁଏସନ୍ (ଆଇଏଚ୍ଏମ୍ଇ) ଦ୍ୱାରା କରାଯାଇଥିବା ଏକ ବିଶ୍ଳେଷଣ ଅନୁଯାୟୀ,୨୦୨୩ ମସିହାରେ କଣିକା ପଦାର୍ଥ ପ୍ରଦୂଷଣ ୧୭,୧୮୮ ମୃତ୍ୟୁ ସହିତ ଜଡିତ ଥିଲା, ଯାହା ସମସ୍ତ ମୃତ୍ୟୁର ୧୫ ପ୍ରତିଶତ। ୨୦୨୩ରେ ଜାତୀୟ ରାଜଧାନୀରେ ପ୍ରତି ସାତଟି ମୃତ୍ୟୁ ମଧ୍ୟରୁ ଗୋଟିଏ ବିଷାକ୍ତ ବାୟୁ ସହ ଜଡିତ ଥିଲା। ପ୍ରଦୂଷଣ ସହ ଜଡିତ ମୃତ୍ୟୁ ୨୦୧୮ରେ ୧୫,୭୮୬ରୁ ୨୦୨୩ରେ ୧୭,୧୮୮କୁ ବୃଦ୍ଧି ପାଇଛି। ଏହା ଦର୍ଶାଏ ଯେ ବାୟୁ ଗୁଣବତ୍ତା ଦିଲ୍ଲୀ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଓ ଆୟୁ ଉପରେ କିପରି ସାଂଘାତିକ ପ୍ରଭାବ ପକାଇବାରେ ଲାଗିଛି।
ବାସ୍ତବରେ, ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ସାତ ବର୍ଷ ଧରି ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ତାଲିକାର ଶୀର୍ଷରେ ରହିଛି ବୋଲି ସ୍ୱିସ୍ କମ୍ପାନି ଆଇକ୍ୟୁଏୟାର୍ କହିଛି। ଦିଲ୍ଲୀରେ ମୃତ୍ୟୁ ପଛରେ ଥିବା ଅନ୍ୟାନ୍ୟ ପ୍ରମୁଖ ସ୍ୱାସ୍ଥ୍ୟ ବିପଦ କାରଣ ମଧ୍ୟରେ ରହିଛି ଉଚ୍ଚ ରକ୍ତଚାପ - ୧୪,୮୭୪ ମୃତ୍ୟୁ (୧୨.୫%), ମଧୁମେହ - ୧୦,୬୫୩ ମୃତ୍ୟୁ (୯%), ଉଚ୍ଚ କୋଲେଷ୍ଟ୍ରଲ- ୭,୨୬୭ ମୃତ୍ୟୁ (୬%) ଏବଂ ମେଦବହୁଳତା - ୬,୬୯୮ ମୃତ୍ୟୁ (୫.୬%)। କଣିକା ପଦାର୍ଥ ପ୍ରଦୂଷଣ ହେତୁ ଦିଲ୍ଲୀରେ ମୃତ୍ୟୁ କ୍ରମାଗତ ଭାବରେ ଅଧିକ ରହିଛି, କିନ୍ତୁ ତାହା ପ୍ରାୟତଃ ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ କାରଣରୁ ହେଉଥିବା ମୃତ୍ୟୁଠାରୁ ଅଧିକ ନ ଥିଲା। ଏବେ କିନ୍ତୁ ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟା ତାହାକୁ ଅତିକ୍ରମ କରିଛି।
ସେଣ୍ଟର ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ କ୍ଲିନ୍ ଏୟାର୍ (ସିଆର୍ଇଏ)ର ବିଶ୍ଳେଷକ ମନୋଜ କୁମାର କହିଛନ୍ତି, ବାୟୁ ପ୍ରଦୂଷଣ କେବଳ ଏକ ପରିବେଶ ସମସ୍ୟା ନୁହେଁ; ଏହା ଏକ ଜନସ୍ୱାସ୍ଥ୍ୟ ସଙ୍କଟ, ଯାହା ଉପଯୁକ୍ତ ପ୍ରତିକାର ଆବଶ୍ୟକ କରେ। ଦିଲ୍ଲୀରେ ବର୍ଷସାରା ପ୍ରଦୂଷଣ ସ୍ତର ଅଧିକ ରହିଲେ ମଧ୍ୟ ଶୀତ ଋତୁରେ ଏହା ତୀବ୍ର ହୋଇଯାଏ। ପ୍ରତ୍ୟେକ ଶୀତ ଋତୁରେ, ଦିଲ୍ଲୀ ଏକ ଗ୍ୟାସ୍ ଚାମ୍ବରରେ ପରିଣତ ହୁଏ। ଏହାର ଏକ ପ୍ରମୁଖ କାରଣ ହେଉଛି ଦିଲ୍ଲୀର ଥଣ୍ଡା ଓ ଶୁଖିଲା ବାୟୁ, ନିର୍ମାଣ ଧୂଳି, ଯାନବାହନ ନିର୍ଗମନ ଓ ନଡ଼ାପୋଡ଼ି।
Follow Us