Image Courtesy of NDTV
ୱାସିଂଟନ୍: କାବୁଲ୍ରେ ସନ୍ଦିଗ୍ଧ ‘ଇସ୍ଲାମିକ୍ ଷ୍ଟେଟ୍’ ଆତଙ୍କବାଦୀଙ୍କ ଉପରେ ଡ୍ରୋନ୍ ଆକ୍ରମଣ କରିବା ବେଳେ ‘ଭୁଲ୍’ କରିପକାଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଶୀର୍ଷସ୍ତରୀୟ ଜେନେରାଲ୍ ଶୁକ୍ରବାର ଦିନ ସ୍ବୀକାର କରିଛନ୍ତି। ଗତ ମାସରେ ସଙ୍ଗଠିତ ଉପରୋକ୍ତ ଆକ୍ରମଣରେ ଆତଙ୍କବାଦୀଙ୍କ ପରିବର୍ତ୍ତେ କିଛି ପିଲାଙ୍କ ସମେତ ୧୦ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା କଥା ସେ କହିଛନ୍ତି।
ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ର ଆମେରିକାର ୨୦ ବର୍ଷର ଯୁଦ୍ଧରେ ଉକ୍ତ ଆକ୍ରମଣ ହେଉଛି ଗୋଟାଏ ଭୟବହ ଅବସାନ। କାବୁଲ୍ ବିମାନ ବନ୍ଦର ଆକ୍ରମଣ କରିବା ସନ୍ଦିଗ୍ଧ ‘ଆଇଏସ୍’ ଆତଙ୍କବାଦୀମାନଙ୍କର ଉଦ୍ଦେଶ୍ୟ ବୋଲି ଯୁକ୍ତରାଷ୍ଟ୍ର ଆମେରିକୀୟ ଗୁଇନ୍ଦା ସୁନିଶ୍ଚିତ କରି କହିଥିଲା ବୋଲି ‘ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ୍’ର ଉଚ୍ଚସ୍ତରୀୟ କମାଣ୍ଡର୍ ଜେନେରାଲ୍ କେନିଥ୍ ମ୍ୟାକ୍କେଞ୍ଜି କହିଛନ୍ତି।
Image Courtesy of Yahoo Newsତଦନ୍ତ ଶେଷ ହେବା ପରେ ସାମ୍ବାଦିକମାନଙ୍କୁ ମ୍ୟାକ୍କେଞ୍ଜି କହିଲେ, ଉପରୋକ୍ତ ଆକ୍ରମଣ ଗୋଟାଏ ମାରାତ୍ମକ ଭୁଲ୍। ଗୁଇନ୍ଦା ରିପୋର୍ଟକୁ ଆଧାର କରି ଆତଙ୍କବାଦୀମାନେ ବ୍ୟବହାର କରୁଥିବା ଉକ୍ତ ‘ଧଳା ଟୋୟୋତା କୋରୋଲା’ କାର୍ ଉପରେ ଆମେରିକୀୟ ସେନା ଦୃଷ୍ଟି ରଖିଥିଲା। ଉକ୍ତ କାର୍ର ଗତିବିଧିକୁ ଲକ୍ଷ୍ୟ କରି ଆମେ ଆକ୍ରମଣ କଲୁ। କିନ୍ତୁ, ସେ ‘ଧଳା ଟୋୟୋତା କୋରୋଲା’ ସମ୍ବନ୍ଧରେ ଆମ ଗୁଇନ୍ଦା ଦେଇଥିବା ରିପୋର୍ଟ ଭୁଲ୍ ବୋଲି ସ୍ପଷ୍ଟ ହୋଇଯାଇଛି।
ଏକ ବିବୃତିରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ସଚିବ ଲିୟଡ୍ ଅଷ୍ଟିନ୍ ନିହତମାନଙ୍କ ପରିବାରବର୍ଗଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ନିହତମାନଙ୍କ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା। ଆମେ କ୍ଷମାଭିକ୍ଷା କରୁଛୁ। ଏଭଳି ଭୟାବହ ଭୁଲ୍ରୁ ଆମେ ଶିକ୍ଷା ଲାଭ କରିବାକୁ ଚେଷ୍ଟା କରିବୁ।
ନିହତମାନଙ୍କ ପରିବାରବର୍ଗଙ୍କୁ କିଭଳି କ୍ଷତିପୂରଣ ଦେଇ ହେବ, ସେ କଥା ସରକାର ବିଚାର କରୁଛନ୍ତି ବୋଲି ମ୍ୟାକ୍କେଞ୍ଜି କହିଛନ୍ତି।
Follow Us