ରାଜଧାନୀ ଆଇଜଲ୍‌କୁ ସଂଯୋଗ କରିବ ଟ୍ରେନ୍‌: ରେଳ ମାନଚିତ୍ରରେ ‘ମିଜୋରାମ’

ଭାରତୀୟ ରେଳବାଇ ମାନଚିତ୍ରରେ ଯୋଡ଼ି ହେବାକୁ ଯାଉଛି ମିଜୋରାମର ରାଜଧାନୀ ଆଇଜଲ। ସ୍ବାଧୀନତାର ୭୭ ବର୍ଷ ପରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଐତିହ୍ୟ ସହରକୁ ଗଡ଼ିବ ଟ୍ରେନ୍‌।

sfsfsfcxxcxc

ଆଇଜଲ୍‌: ଭାରତୀୟ ରେଳବାଇ ମାନଚିତ୍ରରେ ଯୋଡ଼ି ହେବାକୁ ଯାଉଛି ମିଜୋରାମର ରାଜଧାନୀ ଆଇଜଲ। ସ୍ବାଧୀନତାର ୭୭ ବର୍ଷ ପରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଐତିହ୍ୟ ସହରକୁ ଗଡ଼ିବ ଟ୍ରେନ୍‌। ଏହାଦ୍ବାରା ଯେ କେବଳ ମିଜୋରାମବାସୀଙ୍କ ସ୍ବପ୍ନ ସାକାର ହେବ ତାହା ନୁହେଁ, ବରଂ ମିଆଁମାର, ବାଂଲାଦେଶ, ତ୍ରିପୁରା, ଆସାମ ଓ ମଣିପୁରକୁ ଯୋଗାଯୋଗର ବାଟ ଫିଟିବ। ଆସାମର ଗୁଆହାଟୀ, ପଶ୍ଚିମବଙ୍ଗର କଲିକତା ପରି ସହରକୁ ଆଇଜଲ୍‌ରୁ ବିମାନ ସେବା ଥିବାବେ‌ଳେ କଷ୍ଟଦାୟକ ରାସ୍ତା ସଂଯୋଗ ଲୋକଙ୍କ ଯୋଗାଯୋଗର ଏକମାତ୍ର ମାଧ୍ୟମ ସାଜିଛି। ଆସନ୍ତା ୧୩ ତାରିଖଠାରୁ ଆରମ୍ଭ ହେବାକୁ ଯାଉଥିବା ରେଳ ସେବା ମିଜୋରାମବାସୀଙ୍କ ସାମାଜିକ, ଆର୍ଥିକ ବାଟ ଫିଟାଇବ ବୋଲି ରେଳ ମନ୍ତ୍ରଣାଳୟ ଆଶାବ୍ୟକ୍ତ କରିଛି।

‘ପାହାଡିଆ ଲୋକଙ୍କ ଭୂମି’ ଭାବେ ଜଣାଶୁଣା ମିଜୋରାମ ଘନ ଜଙ୍ଗଲ, ପାହାଡ଼ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ ହୋଇଛି। ତାହା ଭିତରେ ରେଳ ଲାଇନ୍‌ ନିର୍ମାଣ ଭା‌ରତୀୟ ରେଳପଥ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଥିଲା। ପୂର୍ବରୁ ଆସାମ ସଂଲଗ୍ନ ମିଜୋରାମ ବୈରବୀ ପର୍ଯ୍ୟନ୍ତ ରେଳ ସଂଯୋଗ ହୋଇଥିଲା। ମାତ୍ର ରାଜଧାନୀକୁ କୌଣସି ବି ଯୋଗାଯୋଗର ମାଧ୍ୟମ ନ ଥିଲା। ୨୦୧୪ ନଭେମ୍ବର ୨୯ରେ ମାଲିଗାଁଓ ରେଳ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଜୋରାମର ବୈରବୀରୁ ସାଇରଙ୍ଗ ପର୍ଯ୍ୟନ୍ତ ନୂତନ ରେଳ ଲାଇନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୧୧ ବର୍ଷ ପରେ ଏହି ପ୍ରକଳ୍ପ ଚୂଡ଼ାନ୍ତ ରୂପ ନେଇଛି। ୫୧.୩୮ କିଲୋମିଟର ରେଳ ଲାଇନ୍‌ରେ ୪୮ଟି ଟନେଲ୍‌, ୫୫ଟି ବଡ଼ ବ୍ରିଜ୍‌, ୮୭ଟି ଛୋଟ ବ୍ରିଜ୍‌, ୫ଟି ରୋଡ୍‌ ଓଭରବ୍ରିଜ୍‌ (ଆରଓବି), ୬ଟି ରୋଡ୍‌ ଅଣ୍ଡର ବ୍ରିଜ୍‌ (ଆରୟୁବି) ରହିଛି।

ରାଜଧାନୀ ଆଇଜଲ୍‌କୁ ସଂଯୋଗ କରିବ ଟ୍ରେନ୍‌
ବୈରବୀ-ସାଇରଙ୍ଗ ପ୍ରକଳ୍ପ ଶେଷ, ୧୩ରେ ଲୋକାର୍ପଣ
୫୧.୩୮ କିମି ରେଳ ଲାଇନ୍‌ରେ ୪୮ ଟନେଲ୍‌, ୧୪୨ ବ୍ରିଜ୍‌
ଉତ୍ତରପୂର୍ବର ୪ର୍ଥ ରାଜ୍ୟ ରାଜଧାନୀ ଭାବେ ଯୋଡ଼ିହେଲା
ପ୍ରକଳ୍ପ ନିର୍ମାଣରେ ଓଡ଼ିଶାର ଇଞ୍ଜିନିୟରିଂ, ପାଇପ୍‌ ମିସ୍ତ୍ରି

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୧୧୪ ମିଟର ଉଚ୍ଚର ଏକ ଖୁଣ୍ଟ ଏହି ପ୍ରକଳ୍ପ ମଧ୍ୟରେ ରହିଛି, ଯାହାର ଉଚ୍ଚତା କୁତବ୍‌ ମିନାରଠାରୁ ୪୨ ମିଟର ଅଧିକ। ୪ଟି ପର୍ଯ୍ୟାୟରେ ୮ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ରେଳ ଲାଇନ୍‌ରେ ସଫଳ ପରୀକ୍ଷଣ ହୋଇସାରିଛି। ମେ’ ୧ରେ ରେଳ ଟ୍ରାକ୍‌ରେ ଟ୍ରେନ୍‌ ଗଡ଼ିବା ଆଇଜଲ୍‌କୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବାରେ ଏକ ଐତିହାସିକ ପଦକ୍ଷେପ ପାଲଟିଛି। ଜୁନ୍‌ ୬ରୁ ୧୦ ମଧ୍ୟରେ ରେଳ ସୁରକ୍ଷା କମିସନର (ସିଆରଏସ୍‌)ଙ୍କ ଦ୍ବାରା ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ୍ ପରିଚାଳନାକୁ ଅନୁମୋଦନ ମିଳିଛି। ଚତୁର୍ଥ ଉତ୍ତର-ପୂର୍ବ ରାଜ୍ୟ ଭାବରେ ମିଜୋରାମ ରାଜଧାନୀ ଆଇଜର୍‌କୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ ହୋଇଛି, ଯାହାକି ଉତ୍ତର-ପୂର୍ବ ଅଞ୍ଚଳରେ ରେଳ ସଂଯୋଗକୁ ସୁଦୃଢ଼ କରିବାରେ ଏକ ଐତିହାସିକ ସଫଳତା। ମିଜୋରାମ ଅନେକ ଜାତିଗତ ଗୋଷ୍ଠୀର ବାସସ୍ଥାନ ହୋଇଥିବା ବେଳେ ସାଂସ୍କୃତିକ ଦୃଷ୍ଟିରୁ ଅନନ୍ୟ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସାଂସ୍କୃତିକ ସମୃଦ୍ଧି ଓ ଉଷ୍ମ ଆତିଥ୍ୟ ସହ ଏକ ସ୍ଥାୟୀ, ଶାନ୍ତ ପର୍ଯ୍ୟଟନ ସ୍ଥଳର ଅପାର ସମ୍ଭାବନା ରହିଛି। ଏହାର ପ୍ରାକୃତିକ ଦୃଶ୍ୟ, ସ୍ପନ୍ଦନଶୀଳ ପରିବେଶ, ଶାନ୍ତିପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳର ସମ୍ଭାବନା ସୃଷ୍ଟି କରୁଥିବା ରେଳବାଇ ପକ୍ଷରୁ କୁହାଯାଇଛି। ଏହି ରେଳ ପ୍ରକଳ୍ପ ନିର୍ମାଣରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, ବିହାର, ଉତ୍ତର-ପୂର୍ବ ରାଜ୍ୟର ଇଞ୍ଜିନିୟର, କର୍ମଚାରୀଙ୍କ ପ୍ରମୁଖ ଯୋଗଦାନ ରହିଛି।

 ଏବେ ବି ପ୍ରକଳ୍ପର ଇଞ୍ଜିନିୟରିଂ, ପାଇପ୍‌ କାମରେ ଓଡ଼ିଶାରୁ ବହୁସଂଖ୍ୟକ ଶ୍ରମିକ ନିୟୋଜିତ ରହିଥିବା ଦେଖିବାକୁ ମିଳିଛି। ଉତ୍ତରପୂର୍ବ ଫ୍ରଣ୍ଟିଅର ରେଲୱେ (ଏନ୍‌ଏଫ୍‌ଆର)ର ଲୋକ ସମ୍ପର୍କ ଅଧିକାରୀ ନିଲଞ୍ଜନ୍‌ ଦେବଙ୍କ କହିବାନୁଯାୟୀ ୨୦୧୪ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ କାମ କରିବା କଷ୍ଟକର ଥିଲା। ବର୍ଷର ମାତ୍ର ୪ମାସ ଯଥା ଡିସେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ନିର୍ମାଣ ସମ୍ଭବପର ହେଉଥିଲା। ଅନ୍ୟ ଦିନଗୁଡ଼ିକରେ କାମ ହୋଇପାରୁ ନ ଥିଲା। ସେହି ହିସାବ ଦେଖିଲେ ପ୍ରାୟ ୧୧ ବର୍ଷରେ ମାତ୍ର ୪୦ରୁ ୪୨ ମାସ ହିଁ ଏହି ପ୍ରକଳ୍ପ କାମ ହୋଇଛି। ପ୍ରକଳ୍ପ ଶେଷ ହେବା ଯାଏଁ ୮ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କେବଳ ଏହି ପ୍ରକଳ୍ପ କରିବାକୁ ୨୦୦ କିମି ରାସ୍ତା ନିର୍ମାଣ କରିବାକୁ ପଡ଼ିଥିଲା। ଜାତୀୟ ରାଜପଥରେ ସାମଗ୍ରୀ ଆସିବା ପରେ ତାହାକୁ ଛୋଟ ଗାଡ଼ି ମାଧ୍ୟମରେ ଏଠାକୁ ଅଣାଯାଇଥିଲା। ରେଳ ସଂଯୋଗ ଦ୍ୱାରା ଏଠାକାର ପର୍ଯ୍ୟଟନ ଶିଳ୍ପର ବିକାଶ ହେବ। ମିଜୋରାମ ଲୋକଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇପାରିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଭିଷ୍ଟାଡମ୍‌ ଟ୍ରେନ୍‌ ଚଲାଯିବ ବୋଲି ସେ ସୂଚନା‌ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe