Image Courtesy: Law Beat
ନୂଆଦିଲ୍ଲୀ: ଜମି ହଡ଼ପ ମାମଲାରେ ସମାଜବାଦୀ ପାର୍ଟି (ଏସପି) ନେତା ଆଜମ ଖାନଙ୍କ ଜାମିନ ଆବେଦନର ଶୁଣାଣିରେ ବିଳମ୍ବକୁ ନେଇ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଏହା ନ୍ୟାୟର ଉପହାସ।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏଲ ନାଗେଶ୍ୱର ରାଓ ଏବଂ ଜଷ୍ଟିସ ବି ଆର ଗାଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ ଖାନଙ୍କୁ ୮୭ ଟି ମାମଲା ମଧ୍ୟରୁ ୮୬ ଟିରେ ଜାମିନ ମିଳିଛି ଏବଂ ମେ ୧୧ରେ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ ବୋଲି କହିଛନ୍ତି।
‘ସେ (ଖାନ) ଏତେ ଦିନ ଧରି ଗୋଟିଏ ବ୍ୟତୀତ ଅନ୍ୟ ସମସ୍ତ ମାମଲାରେ ଜାମିନରେ ଅଛନ୍ତି, ଏହା ନ୍ୟାୟର ଉପହାସ। ଆମେ ଆଉ କିଛି କହିବୁ ନାହିଁ।’ ଆସନ୍ତା ବୁଧବାର (ମେ ୧୧) ଦିନ ଆମେ ଏହାର ଶୁଣାଣି କରିବୁ ବୋଲି ଖଣ୍ଡପୀଠ କହିଛନ୍ତି।
ଖାନଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି ଯେ ଆହ୍ଲାବାଦ ହାଇକୋର୍ଟ ଜାମିନ ଆବେଦନ ଉପରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ପାଇଁ ଏକ ସମ୍ପତ୍ତି ହଡ଼ପ ମାମଲାରେ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ତାଙ୍କ ରାୟକୁ ଡିସେମ୍ବର ୪, ୨୦୨୧ରୁ ସଂରକ୍ଷିତ ରଖିଛନ୍ତି।
Follow Us