ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି : ଆପୋସ ଆଲୋଚନା ପାଇଁ ଓଡ଼ିଶା ଓ ଛତିଶଗଡ଼କୁ ନିର୍ଦ୍ଦେଶ

ନଭେମ୍ବର ୭ରେ ପରବର୍ତ୍ତୀ ଶୁଣାଣି

ତଥ୍ୟ ଲୁଚାଉଛି ଛତିଶଗଡ଼! ବ୍ୟାରେଜ୍‌, ଡ୍ୟାମ୍‌ ସଂଖ୍ୟାରେ ତାଳମେଳ ନାହିଁ

NewsClick

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଆପୋସ ଆଲୋଚନା ସକାଶେ ୨ ସପ୍ତାହ ଭିତରେ ବୈଠକ କରିବା ପାଇଁ ଓଡ଼ିଶା ଓ ଛତିଶଗଡ଼କୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବିଚାରପତି ଏଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ବେଞ୍ଚ୍‌ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ମାମଲାର ୧୬ତମ ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ପାଖାପାଖି ୩୦ ମିନିଟ୍ ଧରି ଶୁଣାଣି ଚାଲିଥିଲା।

ଗତ ସେପ୍ଟେମ୍ବର ୨୦ ତାରିଖରେ ଆପୋସ ଆଲୋଚନା ସକାଶେ ଓଡ଼ିଶା ଛତିଶଗଡ଼କୁ ପତ୍ର ଲେଖିଥିଲା। ଛତିଶଗଡ଼ ଟ୍ରିବ୍ୟୁନାଲଙ୍କୁ ଜଣାଇଥିଲା ଯେ ଟେକ୍ନିକାଲ ଟିମ୍‌ର ସଦସ୍ୟମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇନାହାନ୍ତି। ତେବେ, ଆଗାମୀ ଦୁଇ ସପ୍ତାହ ଭିତରେ ବୈଠକ କରାଯାଇପାରିବ ବୋଲି ଛତିଶଗଡ଼ ଜଣାଇଥିଲା। ଏହାକୁ ଦୃଷ୍ଟିରେ ରଖି ଅନ୍ତରୀଣ ବ୍ୟବସ୍ଥା ଲାଗି ଆପୋସ ଆଲୋଚନା ସକାଶେ ଦୁଇ ସପ୍ତାହ ଭିତରେ ବୈଠକ କରିବା ପାଇଁ ଟ୍ରିବ୍ୟୁନାଲ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକ କେବେ ଓ କେଉଁଠାରେ ହେବ, ସେ ନେଇ ଉଭୟ ପକ୍ଷ ସ୍ଥିର କରିବେ ବୋଲି ଟ୍ରିବ୍ୟୁନାଲ କହିଥିଲେ। ଆପୋସ ଆଲୋଚନା ପରେ ଦୁଇ ରିପୋର୍ଟ ଦାଖଲ ପାଇଁ ଦୁଇ ରାଜ୍ୟକୁ କୁହାଯାଇଛି।

ଓଡ଼ିଶା ଓ ଛତିଶଗଡ଼ ଦ୍ୱାରା ପରସ୍ପର ମଧ୍ୟରେ ଦସ୍ତାବିଜ୍ ଆଦାନପ୍ରଦାନକୁ ନେଇ ଟ୍ରିବ୍ୟୁନାଲରେ ଯେଉଁ ଦୁଇଟି ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଥିଲା, ଟ୍ରିବ୍ୟୁନାଲ ତାହାର ମଧ୍ୟ ଶୁଣାଣି କରିଥିଲେ। ଦୁଇ ପକ୍ଷ ଆବଶ୍ୟକ ଥିବା ଦସ୍ତାବିଜଗୁଡ଼ିକର ତାଲିକା ସପ୍ତାହ ଭିତରେ ପରସ୍ପରକୁ ହସ୍ତାନ୍ତର କରିବେ ଏବଂ ତାଲିକାରେ ଉଲ୍ଲେଖ କରାଯିବା ସମସ୍ତ ନଥିପତ୍ର ଆଦାନ ପ୍ରଦାନ ପ୍ରକ୍ରିୟାକୁ ଉଭୟ ରାଜ୍ୟ ତିନି ମାସ ଭିତରେ ଶେଷ କରିବା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଗତକାଲିର ଶୁଣାଣିରେ ଓଡ଼ିଶା ପକ୍ଷରୁ ଆଡଭୋକେଟ୍ ଜେନେରାଲ ଆଶୋକ ପରିଜା ଓ ଛତିଶଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏ କେ ଗାଙ୍ଗୁଲି ପକ୍ଷ ଉପସ୍ଥାପନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୭କୁ ଟ୍ରିବ୍ୟୁନାଲ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe