ଟ୍ରିବ୍ୟୁନାଲ ସଂସ୍କାର ଆଇନ: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

Advertisment
କେମିତି ରାୟ ଲେଖାଯାଏ ତା’ ଉପରେ ରାୟ ଦେଲେ ସୁପ୍ରିମ୍‌କୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: ବିଭିନ୍ନ ଟ୍ରିବ୍ୟୁନାଲରେ ଖାଲି ଥିବା ପଦବି ପୂରଣ ଦିଗରେ ଅବହେଳା କରିବା ସହ ଟ୍ରିବ୍ୟୁନାଲ ସଂସ୍କାର ଆଇନ କାର୍ଯ୍ୟକାରୀ କରିବା ନେଇ ସୋମବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ପ୍ରତି ସରକାରଙ୍କର କୌଣସି ସମ୍ମାନବୋଧ ନ ଥିବା ଓ ସରକାର ଅଦାଲତଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଥିବା କୋର୍ଟ କହିଛନ୍ତି।

ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ଯେଉଁ ଟ୍ରିବ୍ୟୁନାଲ ସଂସ୍କାର ଆଇନ ପ୍ରଣୟନ କରିଛନ୍ତି, ତାହା ପୂର୍ବ ଆଇନର ଅନୁରୂପ ଯାହାକୁ ସୁପ୍ରିମ୍‌କୋର୍ଟ ଆଗରୁ ନାକଚ କରିସାରିଛନ୍ତି। ତେଣୁ ଅବିକଳ ସେହିପରି ଆଉ ଗୋଟିଏ ଆଇନ କାର୍ଯ୍ୟକାରୀ କରିବା କି ଦରକାର ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଏନ୍‌ଭି ରମଣା, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଏଲ୍‌ଏନ୍‌ ରାଓଙ୍କ ଖଣ୍ଡପୀଠ କହିଲେ ଯେ, ସରକାର କୋର୍ଟ ଆଦେଶକୁ ଅବମାନନା କରୁଛନ୍ତି ଓ ଅଦାଲତଙ୍କ ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି। ତେବେ ସୁପ୍ରିମ୍‌କୋର୍ଟରେ ନୂତନ ବିଚାରପତିଙ୍କ ନିଯୁକ୍ତି ଲାଗି କଲେଜିୟମ୍‌ର ସୁପାରିସକୁ ସରକାର ଗ୍ରହଣ କରିଥିବାରୁ ଜଷ୍ଟିସ୍ ରମଣା ସନ୍ତୋଷ ବ୍ୟକ୍ତ କରିଥିଲେ। ସୁପାରିସର ୭ ଦିନ ଭିତରେ ସୁପ୍ରିମ୍‌କୋର୍ଟର ୯ ଜଣ ବିଚାରପତିଙ୍କ ନିଯୁକ୍ତି ସମ୍ଭବ ହୋଇଥିବା ବେଳେ ବିଭିନ୍ନ ଟ୍ରିବ୍ୟୁନାଲର ସଦସ୍ୟ ଓ ଅଧ୍ୟକ୍ଷ ପଦ ବର୍ଷାଧିକ କାଳ ଧରି ସରକାର କାହିଁକି ପୂରଣ କରୁନାହାନ୍ତି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି। ସରକାର ଯଦି ସର୍ବୋଚ୍ଚ ଅଦାଲତଙ୍କ ସୁପାରିସ ଗ୍ରହଣ ନ କରନ୍ତି, ତେବେ ଟ୍ରିବ୍ୟୁନାଲଗୁଡ଼ିକୁ ବନ୍ଦ କରିବାକୁ ପଡ଼ିବ ନ ହେଲେ କେନ୍ଦ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ହେବ ବୋଲି ରମଣା କହିଥିଲେ।

ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ଥିବାରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଗୁରୁବାର ପର୍ଯ୍ୟନ୍ତ ମାମଲା ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଏଥିରେ କୋର୍ଟ ସନ୍ତୁଷ୍ଟ ହୋଇ ନ ଥିଲେ। କୋର୍ଟ କହିଥିଲେ ଟ୍ରିବ୍ୟୁନାଲଗୁଡ଼ିକରେ ନିଯୁକ୍ତି ପାଇଁ ପ୍ରାୟ ଦେଢ଼ବର୍ଷ ତଳୁ ସୁପାରିସ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଯୁକ୍ତି ଦିଆ ହୋଇନାହିଁ। ଫଳରେ ଟ୍ରିବ୍ୟୁନାଲଗୁଡ଼ିକ ବନ୍ଦ ହେବାକୁ ବସିଲାଣି। ଯଦି ସର୍ବୋଚ୍ଚ ଅଦାଲତଙ୍କ ସୁପାରିସ କାର୍ଯ୍ୟକାରୀ କରା ନ ଯାଏ ତେବେ କୋର୍ଟ ପାଖରେ ନିମ୍ନଲେଖ୍ୟ ବିକଳ୍ପ ଅଛି: ଟ୍ରିବ୍ୟୁନାଲ ସଂସ୍କାର ଆଇନକୁ ସ୍ଥଗିତ ରଖିବା, ଟ୍ରିବ୍ୟୁନାଲଗୁଡ଼ିକୁ ବନ୍ଦ କରିଦେବା, ଖାଲିସ୍ଥାନ ପୂରଣ କରିବା ଲାଗି ସର୍ବୋଚ୍ଚ ଅଦାଲତ ନିଜେ ନିଯୁକ୍ତି କରିବା ଏବଂ ସରକାରଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ଆରମ୍ଭ କରିବା ବୋଲି କୋର୍ଟ କହିଥିଲେ। ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୧୬ ତାରିଖରେ ବିଭିନ୍ନ ଟ୍ରିବ୍ୟୁନାଲରେ ଖାଲି ଥିବା ପଦବିଗୁଡ଼ିକ ୧୦ ଦିନ ଭିତରେ ପୂରଣ କରିବା ଲାଗି ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆଦେଶ ପାଳନ ନ ହେଲେ ତା’ର ପରିଣାମ ପାଇଁ ମଧ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe