କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣନଗର (ନଦିଆ ଉତ୍ତର)ର ଜିଲ୍ଲା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଏହି ନୂଆ ଦାୟିତ୍ବ ଦେଇଛନ୍ତି। ଏଣେ ନୂଆ ଦାୟିତ୍ୱ ମିଳିଥିବା ବେଳେ ପଶ୍ଚିମବଙ୍ଗରଏହି ସାଂସଦଙ୍କ ବିରୋଧରେ ‘କ୍ୟାସ୍ ଫର୍ କ୍ୱେରି’ ମାମଲାରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚର୍ଚ୍ଚା ହେଉଛି। ଲୋକସଭା ସଦାଚାର କମିଟି ତାଙ୍କ ସଂସଦୀୟ ସଦସ୍ୟତାକୁ ରଦ୍ଦ କରିବାକୁ ସୁପାରିସ କରିଛି। ଲୋକସଭାର ଶୀତକାଳୀନ ଅଧିବେଶନ କାଳରେ ଏହି ନିଷ୍ପତ୍ତି ନିଆଯିବ।
ସାଂସଦ ମହୁଆ ମୈତ୍ର ଏକ୍ସରେ (ପୂର୍ବର ଟ୍ଵିିଟର) କରିଥିବା ଏକ ପୋଷ୍ଟରେ ମମତା ବାନାର୍ଜୀ ଏବଂ ତାଙ୍କ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ‘ମୋତେ କୃଷ୍ଣନଗର (ନଦିଆ ଉତ୍ତର)ର ଜିଲ୍ଲା ସଭାପତି ନିଯୁକ୍ତ କରିଥିବାରୁ ମମତା ବାନାର୍ଜୀ ଏବଂ ଏଆଇଟିସି (ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ)କୁ ଧନ୍ୟବାଦ। କୃଷ୍ଣନଗରବାସୀଙ୍କ ପାଇଁ ଦଳ ସହ ସବୁବେଳେ କାମ କରିବି’ ବୋଲି ଶ୍ରୀମତୀ ମୈତ୍ର ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ଶ୍ରୀମତୀ ମୈତ୍ରଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ଜିଲ୍ଲାର ଦାୟିତ୍ୱ ଦେବା ପାଇଁ ଦଳର ପଦକ୍ଷେପ ଏହା ସ୍ପଷ୍ଟ କରୁଛି ଯେ ତୃଣମୂଳ କଂଗ୍ରେସ୍ ତାଙ୍କୁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନେତା ଭାବରେ ବିବେଚନା କରୁଥିବା ସଂକେତ ଦେଇଛି।
Follow Us