Business Today
ନୂଆଦିଲ୍ଲୀ : ଲୋକସଭାରେ ଆଜି ତିନି ତଲାକ୍ ତଥା ମୁସଲିମ ମହିଳାଙ୍କ ବିବାହ ଅଧିକାର ସୁରକ୍ଷା ବିଲ୍-୨୦୧୯ କୁ ଆଗତ କରାଯାଇଛି। େତବେ ବିଲ୍ ଆଗତ କରିବା ସପକ୍ଷରେ ଓ ବିପକ୍ଷରେ କେତେ ଜଣ ଅଛନ୍ତି ତାହା ଜାଣିବା ପାଇଁ ପ୍ରଥମେ େଭାଟ୍ ଗ୍ରହଣ ହୋଇଥିଲା। ବିଲ୍ ସପକ୍ଷରେ ୧୮୬ ଜଣ ସାଂସଦ ଭୋଟ୍ ଦେଇଥିବା ବେଳେ ବିପକ୍ଷରେ ୭୪ ଜଣ ଯାଇଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲୋକସଭାରେ ବିଲ୍କୁ ଆଗତ କରିବା ସପକ୍ଷ କିମ୍ବା ବିପକ୍ଷରେ ବିଜେଡି ପକ୍ଷରୁ ଭୋଟ୍ ଦିଆଯାଇ ନ ଥିଲା। ଅର୍ଥାତ ଭୋଟିଂରୁ ବିଜେଡି ବିରତ ରହିଥିଲା। ଲୋକସଭାରେ ବିଜେଡିର ସଭ୍ୟ ସଂଖ୍ୟା ୧୨ ଥିବା ବେଳେ ଆଜି ଭୋଟିଂରୁ ବିରତ ରହିବା ସମୟରେ ବିଜେଡିର କେବଳ ୬ ଜଣ ସାଂସଦ ଗୃହରେ ଉପସ୍ଥିତ ଥିଲେ। ସେମାନେ ହେଲେ ସଂସଦୀୟ ଦଳର ନେତା ପିନାକୀ ମିଶ୍ର, ମୁଖ୍ୟ ସଚେତକ ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ଶର୍ମିଷ୍ଠା ସେଠୀ, ପ୍ରମିଳା ବିଶୋୟୀ ଓ ମଞ୍ଜୁଲତା ମଣ୍ଡଳ।
ତେବେ ବିଜେଡି କାହିଁକି ଭୋଟିଂରୁ ବିରତ ରହିଲା ବୋଲି ପ୍ରଶ୍ନ କରାଯିବାରୁ ଲୋକସଭାର ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର କହିଛନ୍ତି, ତିନି ତଲାକ୍ ବିଲ୍କୁ ଆମେ ବିରୋଧ କରୁନାହୁଁ । ବିଲ୍ର ବର୍ତ୍ତମାନ ସ୍ବରୂପରେ ଆମର କିଛି ଆପତ୍ତି ରହିଛି। ଏଥିପାଇଁ ଆଜି ଆମେ ଭୋଟଦାନରୁ ବିରତ ରହିଛୁ। ଏହି ବିଲ୍ରେ ତିନି ବର୍ଷର ଜେଲ୍ ଦଣ୍ଡାଦେଶକୁ ସରକାର ପୁନଃବିଚାର କରନ୍ତୁ। ଏହା ଆମ ଦଳ ଚାହୁଁଛି। ତିନି ବର୍ଷ ଜେଲ୍ କଠୋର ଦଣ୍ଡାଦେଶ। ଏହି ଦଣ୍ଡାଦେଶକୁ ହ୍ରାସ କରାଯାଇ ବର୍ଷକ ପାଇଁ କରାଯାଇ ପାରନ୍ତା ବୋଲି ପିନାକୀ କହିଥିଲେ। ଏତତ୍ ବ୍ୟତୀତ ଅଭିଯୁକ୍ତଙ୍କ ପତ୍ନୀଙ୍କ ପାଖରେ ସିଭିଲ ଓ କ୍ରିମିନାଲ୍ ରିଡ୍ରେସାଲ କରିବାର ଅଧିକାର ମଧ୍ୟ ଦିଆଯାଉ ବୋଲି ସେ କହିଥିଲେ। ବର୍ତ୍ତମାନ ସରକାର ଯେଉଁ ବିଲ୍ ଆଣିଛନ୍ତି ସେଥିରେ ଏସବୁ ବ୍ୟବସ୍ଥା ନାହିଁ। ବିଲ୍କୁ ନେଇ ବ୍ୟାପକ ବିଚାରବିମର୍ଷ କରାଯିବାର ଆବଶ୍ୟକତା ଅଛି ବୋଲି ପିନାକୀ କହିଥିଲେ।
  
 Follow Us