Image Courtesy of The Economics Times
ନ୍ୟୁୟର୍କ: ଶିକ୍ଷାନୁଷ୍ଠାନ ଓ ବଡ଼ ବଡ଼ କମ୍ପାନିମାନଙ୍କର ଚାପ ଏବଂ ସବୁ ସ୍ତରରୁ ନିନ୍ଦା ହେବା କାରଣରୁ ଦେଶରୁ ଲକ୍ଷ ଲକ୍ଷ ବିଦେଶୀ ଶିକ୍ଷାର୍ଥୀଙ୍କୁ ବିଦା କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଟ୍ରମ୍ପ୍ ପ୍ରଶାସନ ରଦ୍ଦ କରିଛି।
ଗତ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ ଘୋଷଣା କରିଥିଲେ ଯେ, କରୋନାଭାଇରସ୍ ମହାମାରୀ କାରଣରୁ ଯେଉଁ ସ୍କୁଲ୍ ସବୁ କେବଳ ଅନ୍ଲାଇନ୍ କ୍ଲାସ୍ ଦେଉଛନ୍ତି ସେ ସ୍କୁଲ୍ରେ ନାମ ଲେଖାଇଥିବା ବିଦେଶୀ ଶିକ୍ଷାର୍ଥୀମାନେ ଯଦି ପ୍ରତ୍ୟକ୍ଷ ଶିକ୍ଷାଦାନ କରାଉଥିବା ଶିକ୍ଷାନୁଷ୍ଠାନକୁ ଟ୍ରାନ୍ସ୍ଫର୍ ନ ହୁଅନ୍ତି, ସେମାନଙ୍କୁ ଦେଶ ଛାଡ଼ିବାକୁ ପଡ଼ିବ।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଯୁକ୍ତରାଷ୍ଟ୍ର ଆମେରିକାର କଲେଜ ଓ ବିଶ୍ବବିଦ୍ୟାଳୟମାନଙ୍କରେ ନିୟୁତ ନିୟୁତସଂଖ୍ୟକ ବିଦେଶୀ ଶିକ୍ଷାର୍ଥୀ ଅଧ୍ୟୟନ କରନ୍ତି। ଦେଶର ଅନେକ ସ୍କୁଲ୍ ମଧ୍ୟ ବିଦେଶୀ ଛାତ୍ରଙ୍କ ଠାରୁ ମିଳୁଥିବା ଅର୍ଥରେ ନିର୍ଭର କରନ୍ତି।
Image Courtesy of Livemintଟ୍ରମ୍ପ୍ ପ୍ରଶାସନର ଏହି ନିୟମ ବିରୋଧରେ ହାର୍ଭାର୍ଡ ୟୁନିଭର୍ସିଟି ଏବଂ ମାସାଚୁସେଟ୍ସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ସମେତ ଅନେକ ଶିକ୍ଷା ପ୍ରତିଷ୍ଠାନ ଆଇନର ଆଶ୍ରୟ ନେଇଥିଲେ। ଏହାଛଡ଼ା ଅନେକ ବଡ଼ କମ୍ପାନି, କଲେଜ ଓ ବିଶ୍ବବିଦ୍ୟାଳୟ ‘ଫ୍ରେଣ୍ଡ୍-ଅଫ୍-ଦି-କୋର୍ଟ’ରେ ଏହି ନିୟମକୁ ବିରୋଧ କରି ଆବେଦନ କରିଥିଲେ।
ବିଶ୍ବବିଦ୍ୟାଳୟମାନେ ଯୁକ୍ତି ବାଢ଼ିଥିଲେ କି, ଏଭଳି ପଦକ୍ଷେପ ବେଆଇନ ଏବଂ ଏହା ସେମାନଙ୍କ ଶିକ୍ଷା ପ୍ରତିଷ୍ଠାନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ।
ମଙ୍ଗଳବାର ଦିନ ମାସାଚ୍ୟୁସେଟ୍ରେ ୟୁ. ଏସ୍. ଡିଷ୍ଟ୍ରିକ୍ଟ୍ ଜଜ୍ ଆଲିସନ୍ ବରୋ କହିଲେ ଯେ ସରକାରଙ୍କ ଏହି ନୂତନ ନିୟମ ପ୍ରତ୍ୟାହାର କରି ପୂର୍ବ ସ୍ଥିତି ବଜାୟ ରଖନ୍ତୁ। ମାତ୍ର ଚାରି ମିନିଟ୍ରେ ଏହି ଶୁଣାଣି ହୋଇଥିଲା।
Follow Us