Trump again demands mediation
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ-ପାକିସ୍ତାନ ମଧ୍ୟରେ ଗତବର୍ଷ ହୋଇଥିବା ଯୁଦ୍ଧ ବନ୍ଦ କରିବାରେ ମଧ୍ୟସ୍ଥତା କରିଥିବା ନେଇ ଦାବି ଦୋହରାଇଛନ୍ତି। ସେ ଉଭୟ ଦେଶକୁ କଡ଼ା ବାଣିଜ୍ୟିକ ଦଣ୍ଡ ଦେବାକୁ ଧମକ ଦେଇ ଏହି ଯୁଦ୍ଧ ବନ୍ଦ କରାଇଥିଲେ ବୋଲି ଟ୍ରମ୍ପ କହିଛନ୍ତି। ଯୁଦ୍ଧବେଳେ ପ୍ରାୟ ୧୧ଟି ଦାମୀ ଲଢ଼ୁଆ ବିମାନ ଖସାଇ ଦିଆଯାଇଥିଲା ବୋଲି ଟ୍ରମ୍ପ ନୂଆକରି ଦାବି କରିଛନ୍ତି। ୱାସିଂଟନଠାରେ ଆମେରିକା ନେତୃତ୍ବରେ ଗାଜା ଶାନ୍ତି ବୋର୍ଡ଼ ଆଲୋଚନା ବେଳେ ଟ୍ରମ୍ପ କହିଥିଲେ ଯେ, ଯଦି ଭାରତ ଓ ପାକିସ୍ତାନ ଯୁଦ୍ଧ କରନ୍ତି ତେବେ ସେ ଉଭୟ ଦେଶ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲଗାଇବେ। ଉଭୟ ଦେଶ ଯୁଦ୍ଧ କରିବାକୁ ଚାହୁଁଥିଲେ। କିନ୍ତୁ ଶୁଳ୍କ ଲଗାଇବା କଥା ଶୁଣିବା ପରେ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଯାଇଥିଲେ ବୋଲି ଟ୍ରମ୍ପ କହିଛନ୍ତି।
ଗତବର୍ଷ ମେ’ ମାସରେ ଭାରତ- ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିବାବେଳେ ସେବେଠାରୁ ଟ୍ରମ୍ପ ଅନେକ ଥର ଯୁଦ୍ଧବିରତିରେ ମଧ୍ୟସ୍ଥତା କରିଥିବା ନେଇ ଦାବି କରିଛନ୍ତି। ଗତବର୍ଷ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ଭାରତର ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଭାରତ ‘ଅପରେସନ ସିନ୍ଦୂର’ ନାଁରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିଲା।
ଆକାଶ ମାର୍ଗରେ ଦୁଇଦେଶ ମୁହାଁମୁହିଁ ହୋଇଥିଲେ
ଟ୍ରମ୍ପ ଶାନ୍ତି ବୋର୍ଡ ଆଲୋଚନା ଅବସରରେ ଦାବି କରିଥିଲେ ଯେ, ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଏକ ଭୟଙ୍କର ପର୍ଯ୍ୟାୟକୁ ଚାଲି ଯାଇଥିଲା। ଆକାଶ ମାର୍ଗରେ ଦୁଇଦେଶ ମୁହାଁମୁହିଁ ହୋଇଥିଲେ। ଅନେକ ବିମାନ ନଷ୍ଟ ହୋଇଥିଲା। ଏହି ଯୁଦ୍ଧ ସମୟରେ ୧୧ଟି ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା, ସେଗୁଡ଼ିକୁ ଖୁବ୍ ଦାମୀ ଜେଟ୍ ଥିଲା ବୋଲି ଟ୍ରମ୍ପ କହିଛନ୍ତି। ମୁଁ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଫୋନରେ ଯୋଗାଯୋଗ କରିଥିଲି। ମୁଁ ସେମାନଙ୍କୁ ଜାଣିଥିଲି। ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ଭାବରେ ଜାଣିଥିଲି। ମୁଁ ସେମାନଙ୍କୁ କହିଥିଲି ତୁମେ ଯୁଦ୍ଧ ବନ୍ଦ ନକଲେ ମୁଁ ତୁମମାନଙ୍କ ସହିତ ବାଣିଜ୍ୟ ଚୁକ୍ତି କରିବି ନାହିଁ ଓ ଦୁଇ ଦେଶ ଯୁଦ୍ଧବିରତି ପାଇଁ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ ବୋଲି ଟ୍ରମ୍ପ କହିଥିଲେ। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଆହୁରି କହିଥିଲେ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ତାଙ୍କୁ ଏଥିପାଇଁ ସର୍ବସାଧାରଣରେ ଧନ୍ୟବାଦ ଦେଇଥିଲେ ଓ ୨୫ ନିୟୁତ ଜୀବନ ବଞ୍ଚେଇ ଦେଇଥିବା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ ବୋଲି ଟ୍ରମ୍ପ କହିଥିଲେ। ଟ୍ରମ୍ପ ବାରମ୍ବାର ଏପରି ଦାବି କରିଆସୁଥିବାବେଳେ ଭାରତ କିନ୍ତୁ ଯୁଦ୍ଧବିରତିରେ କୌଣସି ତୃତୀୟ ପକ୍ଷର ସମ୍ପୃକ୍ତିକୁ ଖଣ୍ଡନ କରିଆସୁଛି।
ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗାଜା ଶାନ୍ତି ବୋର୍ଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଅସ୍ୱସ୍ତିକର ମୁହୂର୍ତ୍ତର ସମ୍ମୁଖୀନ ହୋଇଥିଲେ। ଟ୍ରମ୍ପ ତାଙ୍କର ତଥାକଥିତ ମଧ୍ୟସ୍ଥତା ଦକ୍ଷତା ବିଷୟରେ ଆଲୋଚନା କରିବା ସମୟରେ ସରିଫ୍ଙ୍କୁ ଛିଡ଼ା ହେବାକୁ କହିଥିଲେ, ଯାହାକି ତାଙ୍କ ପାଇଁ ଖୁବ୍ ଅପମାନଜନକ ଥିଲା।
ଆହୁରି ପଢ଼ନ୍ତୁ: Britain refuses to allow Washington: ଇରାନ ଉପରେ ଆକ୍ରମଣ ପାଇଁ ୱାସିଂଟନକୁ ବାୟୁସେନା ଘାଟି ବ୍ୟବହାର କରିବାକୁ ଅନୁମତି ଦେଲାନାହିଁ ବ୍ରିଟେନ
Follow Us