ଟ୍ରମ୍ପ ଭାରତର ରପ୍ତାନି ଉପରେ ଲଗାଇଛନ୍ତି ୨୫ ପ୍ରତିଶତର ପାଲଟା ଶୁଳ୍କ

ଭାରତ ଆମେରିକାର ଆମଦାନି ଉପରେ ଉଚ୍ଚା ଶୁଳ୍କ ଆଦାୟ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ରପ୍ତାନି ଉପରେ ୨୫ ପ୍ରତିଶତର ପାଲଟା ଶୁଳ୍କ ଲଗାଇଛନ୍ତି।

New Project (1)

ୱାସିଂଟନ: ଭାରତ ଆମେରିକାର ଆମଦାନି ଉପରେ ଉଚ୍ଚା ଶୁଳ୍କ ଆଦାୟ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ରପ୍ତାନି ଉପରେ ୨୫ ପ୍ରତିଶତର ପାଲଟା ଶୁଳ୍କ ଲଗାଇଛନ୍ତି। ଏଥିସହିତ ରୁଷ୍‌ଠାରୁ ତେଲ କିଣୁଥିବାରୁ ଆଉ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ ଆମେରିକାକୁ ପୁନର୍ବାର ମହାନ ବା ମେକ୍‌ ଆମେରିକା ଗ୍ରେଟ୍ ‌ଏଗେନ୍‌ (ଏମ୍‌ଏଜିଏ) ଅଭିଯାନ ଚଳାଇଛନ୍ତି। ଏଭଳି ସ୍ଥିତିରେ ଏମ୍‌ଏଜିଏର ସମର୍ଥକମାନେ ଭାରତୀୟ କର୍ମଚାରୀମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏଚ୍‌-୧ବି ଭିସାରେ ପରିବର୍ତ୍ତନ କିମ୍ବା ନିଷିଦ୍ଧ କରିବାକୁ ଚାହୁଛନ୍ତି। 

ଟ୍ରମ୍ପଙ୍କ ସମର୍ଥକମାନେ ଏ ନେଇ ଆମେରିକାରେ ପ୍ରଚାର ଚଳାଇଛନ୍ତି। ଆମେରିକାର ପ୍ରଯୁକ୍ତି ‌କ୍ଷେତ୍ରକୁ ବଡ଼ଧରଣର ଛଟେଇ କବଳିତ କରିଥିବାବେଳେ ତାଙ୍କ ଦେଶ ବିଦେଶୀ କର୍ମଚାରୀଙ୍କ ଉପରେ ଏତେମାତ୍ରାରେ କାହିଁକି ନିର୍ଭର କରୁଛନ୍ତି ବୋଲି ଯୁକ୍ତି ବାଢ଼ୁଛନ୍ତି। ବିଶେଷକରି ଭାରତ ଉପରେ ଟ୍ରମ୍ପ ଶୁଳ୍କ ଲଗାଇବା ପରେ ଏଚ୍‌-୧ବି ଭିସା ପ୍ରସଙ୍ଗକୁ ଜୋରଦାର୍‌ କରାଯାଇଛି। ଅନଲାଇନ୍‌ରେ ମଧ୍ୟ ଏ ନେଇ ଏକାଧିକ ବ୍ୟକ୍ତି ମୁହଁ ଖୋଲିଛନ୍ତି। ଏଚ୍‌-୧ବି ଭିସାରେ ଆମେରିକା ଯାଇଥିବା ଭାରତୀୟ ଆଇଟି ଇଞ୍ଜିନିୟରମାନଙ୍କ ବିରୋଧରେ ସେମାନେ ଖୋଲାଖୋଲି ମନ୍ତବ୍ୟ ଦେଉଛନ୍ତି। ଭାରତୀୟମାନଙ୍କୁ ଆସିବାକୁ ନଦେବା ଲାଗି ଏଚ୍‌-୧ବି ଭିସାକୁ ବଦଳାଇବା କିମ୍ବା ନିଷିଦ୍ଧ କରିବା ପାଇଁ ସେମାନେ ଦାବି କରିଛନ୍ତି। 

ଗତମାସରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ଆମେରିକାରେ ପ୍ରତିଭାଙ୍କ ଉପଲବ୍ଧତା ସଂପର୍କରେ ମାଇକ୍ରୋସଫ୍ଟ ଭ୍ରମିତ କରୁଥିବା ଅଭିଯୋଗ ବି ବାଢ଼ିଥିଲେ। ଆମେରିକାରେ ପ୍ରତିଭାବାନ ପିଲା ରହିବା ଆମେ ଚାହୁ। ୯୦୦୦ ଆମେରିକୀୟ କର୍ମଚାରୀଙ୍କୁ ବିଦା କରିବା ପରେ ଆମେ ଦେଶରେ କର୍ମଚାରୀ ପାଉନୁ ବୋଲି କହିବା ଅଗ୍ରହଣୀୟ ବୋଲି ସେ ମନ୍ତବ୍ୟ ଦେଇଥିଲେ। ଆମେରିକାର ସମାନ ନିଯୁକ୍ତି ସୁଯୋଗ ଆୟୁକ୍ତ (ଇଇଓସି) ମଧ୍ୟ ଆମେରିକୀୟଙ୍କ ବଦଳରେ ବିଦେଶୀ କର୍ମଚାରୀଙ୍କୁ ପସନ୍ଦ କରୁଥିବା କମ୍ପାନିଗୁଡ଼ିକୁ ସତର୍କ କରାଇଛି। ଏହାର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଣ୍ଡ୍ରି ଲୁକାସ ଦେଶର ଆଇନ କଥା ସେମାନଙ୍କୁ ମନେ ପକାଇ ଦେଇଥିଲେ। 

ଉଲ୍ଲେଖଯୋଗ୍ୟ, ଏଚ୍‌-୧ବି ଭିସା ସଂପର୍କରେ ଆମେରିକା ରାଷ୍ଟ୍ରପତି ଯଦି କୌଣସି ପ୍ରତିକୂଳ ପଦକ୍ଷେପ ନିଅନ୍ତି ତା’ହେଲେ ଭାରତୀୟ ଆଇଟି କର୍ମଚାରୀଙ୍କୁ ତାହା ପ୍ରଭାବିତ କରିବ। ୨୦୨୩-୨୪ ଆର୍ଥିକବର୍ଷରେ ପାଖାପାଖି ୨ ଲକ୍ଷ ୭ ହଜାର ଭାରତୀୟ ଏଚ୍‌-୧ବି ଭିସାରେ ଆମେରିକାକୁ ଯାଇଥିଲେ। ଭାରତର ଆଇଟି କର୍ମଚାରୀମାନେ ଏହି ଭିସା ଉପରେ କେତେ ମାତ୍ରାରେ ନିର୍ଭର କରୁଛନ୍ତି ତାହା ଏଥିରୁ ଅନୁମେୟ। ତେଣୁ ଏଚ୍‌-୧ବି ଭିସାରେ କୌଣସି ପରିବର୍ତ୍ତନ କିମ୍ବା କାର୍ଯ୍ୟାନୁଷ୍ଠାନ ପ୍ରଯୁକ୍ତି କ୍ଷେତ୍ରରେ ଭାରତ-ଆମେରିକାର ସଂପର୍କକୁ ଏବଂ ଭାରତର ଆଇଟି କର୍ମଚାରୀମାନଙ୍କୁ ବଡ଼ ଧରଣର କ୍ଷତି ପହଞ୍ଚାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe