ନୋବେଲ ପୁରସ୍କାର ପାଇଁ ସମର୍ଥନ ନପାଇ ଶୁଳ୍କ ଲାଗୁ କଲେ ଟ୍ରମ୍ପ୍: ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା

ଟ୍ରମ୍ପ୍ କାହିଁକି ଭାରତ ଉପରେ ଶୁଳ୍କ ଲାଗୁ କରିଛନ୍ତି। ଜୁନ୍ ୧୭ ତାରିଖରେ ଟ୍ରମ୍ପ୍ ମୋଦୀଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରିଥିଲେ। କଥାବାର୍ତ୍ତା ପ୍ରାୟ ୩୫ ମିନିଟ୍ ଧରି ଚାଲିଥିଲା। ଏହି ସମୟରେ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀଙ୍କୁ ଏପରି କିଛି କରିବାକୁ କହିଥିଲେ ଯାହା ପ୍ରଧାନମନ୍ତ୍ରୀ ମାନି ନଥିଲେ....

Trump imposes tariffs without support for Nobel prize: report reveals shocking revelations

Trump imposes tariffs without support for Nobel prize: report reveals shocking revelations Photograph: (sambad.in)

ନୂଆଦିଲ୍ଲୀ:ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଶୁଳ୍କ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବନ୍ଧୁତାର କାହାଣୀ ଶତ୍ରୁତାର କାହାଣୀରେ ପରିଣତ ହୋଇଛି। କିନ୍ତୁ ଟ୍ରମ୍ପ୍ କାହିଁକି ରାଗିଗଲେ? ସେ ଭାରତ ଉପରେ କାହିଁକି ୫୦% ଶୁଳ୍କ ଲଗାଇଲେ? ଏକ ଆମେରିକୀୟ ଖବରକାଗଜ ଏ ବିଷୟରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି।

ଭାରତ-ଆମେରିକା ସମ୍ପର୍କରେ ତିକ୍ତତାର ଗୋଟିଏ କାରଣ ହେଉଛି ଶୁଳ୍କ। ଅନ୍ୟ କାରଣ ହେଉଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଣିବା ପାଇଁ ଟ୍ରମ୍ପ୍‌ଙ୍କ ବାରମ୍ବାର ଦାବି। ଜୁନ୍ ୧୭ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏକ ଫୋନ୍ ବାର୍ତ୍ତାଳାପ ହୋଇଥିଲା। ତା'ପରେ ସ୍ଥିତି ଆହୁରି ଖରାପ ହୋଇଥିଲା।

ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଏକ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା କରିଛି। ରିପୋର୍ଟ ଅନୁସାରେ ଜୁନ୍ ୧୭ ତାରିଖରେ ଟ୍ରମ୍ପ୍ ମୋଦୀଙ୍କ ସହ ଫୋନ୍ ମାଧ୍ୟମରେ କଥାବାର୍ତ୍ତାରେ ଭାରତ-ପାକିସ୍ତାନ ଯୁଦ୍ଧବିରତି ପ୍ରସଙ୍ଗ ପୁଣି ଥରେ ଉଠାଇଥିଲେ ଏବଂ କହିଥିଲେ ଯେ, ସାମରିକ ଉତ୍ତେଜନା ଶେଷ ହୋଇଥିବାରୁ ମୁଁ ଗର୍ବିତ। ଦୁଇ ନେତା ୩୫ ମିନିଟ୍ ଧରି ଫୋନ୍‌ରେ କଥା ହୋଇଥିଲେ।

ଏହି କଥାବାର୍ତ୍ତାରେ  ଟ୍ରମ୍ପ୍  ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ ଯେ, ପାକିସ୍ତାନ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିବାକୁ ଯାଉଛି। ଟ୍ରମ୍ପ୍‌ଙ୍କ କହିବାର ଅର୍ଥ ଥିଲା ଯେ, ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟ୍ରମ୍ପ୍‌ଙ୍କୁ ମନୋନୀତ କରିବା ଉଚିତ୍। ଏହାକୁ ନେଇ ଭାରତୀୟ ନେତା ପ୍ରଧାନମନ୍ତ୍ରୀ ମୋଦୀ ରାଗି ଯାଇଥିଲେ ଏବଂ ସ୍ପଷ୍ଟ ଭାବରେ କହିଥିଲେ ଯେ, ଭାରତ-ପାକିସ୍ତାନ ଯୁଦ୍ଧବିରତି ସହିତ ଟ୍ରମ୍ପ୍‌ଙ୍କର କୌଣସି ସମ୍ପର୍କ ନାହିଁ। ଏନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିଷ୍ପତ୍ତି ହୋଇଥିଲା।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ମନ୍ତବ୍ୟଗୁଡ଼ିକୁ ଡୋନାଲ୍ଡ ଟ୍ରମ୍ପ୍ ଅଣଦେଖା କରିଥିଲେ । କିନ୍ତୁ ଯୁଦ୍ଧବିରତିକୁ ନେଇ ମତଭେଦ ଦେଖାଦେବାରୁ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋବେଲ ପୁରସ୍କାର ବିଷୟରେ କଥା ହେବାକୁ ମନା କରିବାରୁ ଦୁଇ ନେତାଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଗଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଜୁନ୍ ମାସରେ ହୋଇଥିବା ଏହି ଫୋନ୍ କଲ୍ ପରେ, ଟ୍ରମ୍ପ୍ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଥିଲେ ଯେ, ଭାରତ କ୍ରମାଗତ ଭାବରେ ରୁଷିଆରୁ ତେଲ ଆମଦାନୀ କରୁଛି, ଯାହା ଯୋଗୁ ଅତିରିକ୍ତ ଶୁଳ୍କ ଲାଗୁ କରାଯାଉଛି। ଆମେରିକା ଦ୍ୱାରା ଭାରତ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ କରାଯାଉଛି।

ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସହ ପରିଚିତ ଲୋକଙ୍କ ଅନୁସାରେ, ଟ୍ରମ୍ପ୍‌ଙ୍କର ବର୍ତ୍ତମାନ ଶରତ ୠତୁରେ ଭାରତ ଗସ୍ତ କରିବାର କୌଣସି ଯୋଜନା ନାହିଁ। ତେବେ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ, ସେ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ କରିବେ। ଜୁନ୍ ୧୭ ତାରିଖର ଆଲୋଚନା ପରଠାରୁ ଦୁଇ ନେତାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ, ଯାହା ଉଭୟଙ୍କ ମଧ୍ୟରେ ଖରାପ ହେଉଥିବା ସମ୍ପର୍କକୁ ପ୍ରତିଫଳିତ କରୁଛି।

ଏହା ଉଲ୍ଲେଖନୀୟ ଯେ, ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଯେତେବେଳେ ୨୦୨୦ରେ ଟ୍ରମ୍ପ୍ ଭାରତ ଆସିଥିଲେ, ସେତେବେଳେ ଗୁଜରାଟରେ ନମସ୍ତେ ଟ୍ରମ୍ପ୍ ଆୟୋଜନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଦ୍ୱିତୀୟ କାର୍ଯ୍ୟକାଳରେ ଦୁଇ ନେତାଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି।

USA | India | donald-trump | pm-narendra-modi | tariff-war

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe