ଟ୍ରମ୍ପଙ୍କ ଟାର୍ଗେଟରେ ଜାତିସଂଘ: ପାଣ୍ଠି ସମୀକ୍ଷା ପାଇଁ ଅଡ଼ି ବସିଲେ

ଡୋନାଲ୍ଡ ଟ୍ରମ୍ପ ଜାତିସଂଘର ଅନେକ ଶାଖାରୁ ଆମେରିକାକୁ ବାହାର କରିଦେବା ପାଇଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି। ସେ ପୂର୍ବରୁ ଆମେରିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ବାହାର କରିସାରିଛନ୍ତି। ଏବେ ଜାତିସଂଘକୁ ଆମେରିକାର ସହାୟତା ପାଣ୍ଠିର ସମୀକ୍ଷା କରିବାକୁ ମଧ୍ୟ କହିଛନ୍ତି...

Trump targets UN: Order for Funding review

Trump targets UN: Order for Funding review Photograph: (sambad.in)

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ସାରା ବିଶ୍ୱରେ ଏକ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଛି। କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୁଦ୍ଧରେ ଆକ୍ରମଣାତ୍ମକ ଶୁଳ୍କ ଯୁଦ୍ଧ ଆରମ୍ଭ କରିବା ପରେ, ଡୋନାଲ୍ଡ ଟ୍ରମ୍ପ ଏବେ ଜାତିସଂଘ ଉପରେ ନଜର ପକାଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଜାତିସଂଘ (ୟୁଏନ)ରେ ତାଙ୍କ ଦେଶର ଭୂମିକା ଏବଂ ଆର୍ଥିକ ଅବଦାନର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଭଳି କରିବାକୁ ଟ୍ରମ୍ପ ଅଡ଼ି ବସିଛନ୍ତି। ସେ ଏହା ମଧ୍ୟ ଦୋହରାଇଛନ୍ତି ଯେ, ଆମେରିକା ଆଉ ଜାତିସଂଘ ମାନବାଧିକାର ପରିଷଦ (ୟୁଏନଏଚଆରସି) ବୈଠକରେ ଅଂଶଗ୍ରହଣ କରିବ ନାହିଁ। ଏହା ସହିତ, ଡୋନାଲ୍ଡ ଟ୍ରମ୍ପ ପାଲେଷ୍ଟାଇନକୁ ସାହାଯ୍ୟ କରୁଥିବା ଜାତିସଂଘର ସଂସ୍ଥା ୟୁନାଇଟେଡ୍ ନେସନ୍ସ ରିଲିଫ୍ ଆଣ୍ଡ୍ ୱାର୍କସ୍ ଏଜେନ୍ସି (ୟୁଏନଆରଡବ୍ଲୁଏ)ର ପାଣ୍ଠି ମଧ୍ୟ ବନ୍ଦ କରିଦେଇଛନ୍ତି।

ମଙ୍ଗଳବାର ଦିନ, ଡୋନାଲ୍ଡ ଟ୍ରମ୍ପ ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି। ଏଥିରେ ଟ୍ରମ୍ପ୍ ଜାତିସଂଘ ଉପରେ ଆମେରିକାର ସ୍ୱାର୍ଥ ବିରୋଧରେ କାମ କରିବା, ଆମେରିକାର ସହଯୋଗୀ ଦେଶଗୁଡ଼ିକୁ ଆକ୍ରମଣ କରିବା ଏବଂ ଇହୂଦୀ-ବିରୋଧୀ ମତାମତ ପ୍ରସାର କରିବାର ଅଭିଯୋଗ ଆଣିଛନ୍ତି।

ଆମେରିକା ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଏବଂ ଜାତିସଂଘର ମୋଟ ବଜେଟର ୨୨ ପ୍ରତିଶତ ଯୋଗଦାନ କରିଥାଏ। ଟ୍ରମ୍ପ ଏହାକୁ ଏକ ଅନୁଚିତ ବୋଝ ବୋଲି ଭାବୁଛନ୍ତି।  ଯଦି ଆମେରିକା ନିଜର ପାଣ୍ଠି ବନ୍ଦ କରେ, କିମ୍ବା ପାଣ୍ଠି ହ୍ରାସ କରେ, ତେବେ ଏହା ଦ୍ବାରା ଜାତିସଂଘ ଉପରେ ବଡ଼ ଧରଣର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବରୁ ରାଷ୍ଟ୍ରପତି ଜୋ ବ‌ାଇଡେନଙ୍କ କାର୍ଯ୍ୟକାଳ ସମୟରେ ମଧ୍ୟ, ଆମେରିକା ମାନବାଧିକାର ପରିଷଦରୁ ଓହରି ଯାଇଥିଲା ଏବଂ ୟୁଏନଆରଡବ୍ଲୁଏକୁ ପାଣ୍ଠି ବନ୍ଦ କରିଦିଆଯାଇଥିଲା। ଟ୍ରମ୍ପଙ୍କ ନିର୍ଦ୍ଦେଶ ପୂର୍ବରୁ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ମୁଖପାତ୍ର ଷ୍ଟିଫାନ ଡୁଜାରିକ୍ କହିଛନ୍ତି, ସଂଯୁକ୍ତ ରାଷ୍ଟ୍ର ଯାହା ନିଷ୍ପତ୍ତି ନେବ ତାହା ଏହାର ଅଧିକାର ମଧ୍ୟରେ ଅଛି, କିନ୍ତୁ ମାନବାଧିକାର ପରିଷଦର ଗୁରୁତ୍ୱ ଉପରେ ଆମର ଦୃଷ୍ଟିକୋଣ ପରିବର୍ତ୍ତନ ହେବ ନାହିଁ।

ଆଦେଶରେ ସ୍ୱାକ୍ଷର କରିବା ସମୟରେ ଟ୍ରମ୍ପ କହିଥିଲେ ଯେ,ୟୁଏନଆରଡବ୍ଲୁଏର ଟଙ୍କା ହମାସ ପାଖରେ ପହଞ୍ଚିଛି। ହମାସ ମାନବତା ବିରୁଦ୍ଧରେ କାମ କରୁଛି। ୟୁଏନଆରଡବ୍ଲୁଏର କିଛି କର୍ମଚାରୀ ହମାସ ସହିତ ଜଡିତ ଥିବା ଏବଂ ଆମେରିକାର ସୁବିଧାଗୁଡ଼ିକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଇଥିବା ଅଭିଯୋଗ କରିବା ପରେ ବାଇଡେନ ପ୍ରଶାସନ ମଧ୍ୟ ଏହାକୁ ପାଣ୍ଠି ପ୍ରଦାନ ବନ୍ଦ କରିଦେଇଥିଲେ।

ଅଧିକ ପଢ଼ନ୍ତୁ: ବୁଥ୍ ବାହୁଡ଼ା ମତ: ବିଜେପିକୁ ଅଧିକ ଆସନ

ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ, ଆମେରିକା ମଧ୍ୟ ୟୁନେସ୍କୋରୁ ଓହରି ଯାଇଥିଲା, ଯେଉଁଥିରେ ବାଇଡେନ ପ୍ରଶାସନ ପୁନର୍ବାର ସାମିଲ ହୋଇଥିଲେ। ହ୍ୱାଇଟ୍ ହାଉସ୍ ଅନୁଯାୟୀ, ୟୁନେସ୍କୋର ଇସ୍ରାଏଲ ବିରୋଧୀ ମନୋଭାବ ଯୋଗୁ ଟ୍ରମ୍ପ ଏହାର ସମୀକ୍ଷା ପ୍ରକ୍ରିୟାକୁ ଦ୍ରୁତତର କରିବାକୁ ଆହ୍ୱାନ ଦେଇଥିଲେ।

ରାଷ୍ଟ୍ରପତି ହେବା ପରେ, ଡୋନାଲ୍ଡ ଟ୍ରମ୍ପ ପ୍ରଥମ କାମ ଭାବେ ଆମେରିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ବାହାର କରିଦେଇଥିଲେ। ସେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉପରେ କୋଭିଡ୍ ସଙ୍କଟକୁ ଭୁଲ ଭାବରେ ପରିଚାଳନା କରିବା ଏବଂ ଚୀନ୍‌କୁ ସମର୍ଥନ କରିବାର ଅଭିଯୋଗ ଆଣିଥିଲେ।

ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ: କାଉଣ୍ଟର ଟିକେଟ୍‌ ନପାଇ ନିରାଶ ହେଲେ କ୍ରିକେଟ୍‌ପ୍ରେମୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe