Generated by IJG JPEG Library
ଓ୍ଵାସିଂଟନ: ମୁମ୍ବାଇ ଆତଙ୍କବାଦୀ ହମ୍ଲାର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ୍ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଆମେରିକା ପ୍ରଶାସନ ପାକିସ୍ତାନକୁ ତାଗିଦ୍ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ୍ ଖାକାନ୍ ଅବ୍ଦାସୀ ସ୍ଥାନୀୟ ଗଣମାଧ୍ୟମକୁ ବିବୃତି ଦେଇ ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ ହାଫିଜ୍କୁ ସାହେବ ବୋଲି ସମ୍ବୋଧନ କରିବା ସହ ତା ବିରୁଦ୍ଧରେ କୌଣସି ମୋକଦ୍ଦମା ନଥିବା କହିବା ପରେ ଆମେରିକା ଏହି ଅପିଲ କରିଛି। ପାକିସ୍ତାନ ପ୍ରଦାନମନ୍ତ୍ରୀ ଅବ୍ଦାସୀଙ୍କ କହିବା ମୁତାବକ ହାଫିଜ୍ ବିରୋଧରେ କୌଣସି ଅଭିଯୋଗ ନଥିବାରୁ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ ନାହିଁ। ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହିଥର ନୋର୍ଟ କହିଛନ୍ତି ଯେ,ହାଫିଜ୍ ଜଣେ ବିଶ୍ୱସ୍ଥରୀୟ ଆତଙ୍କବାଦୀ ହୋଇଥିବାରୁ ତାକୁ ଦଣ୍ଡ ଦିଆଯିବ ନେଇ ସେ ପାକିସ୍ତାନ ସରକାରଙ୍କ ନିକଟରେ ଅପିଲ କରିସାରିଛନ୍ତି।କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ସହ ହାଫିଜ୍ର ସମ୍ପର୍କ ଥିବାରୁ ତାକୁ ‘ୟୁଏନ୍ଏସ୍ସି ୧୨୬୭’ରେ ଅଲକାଏଦା ବ୍ଲାକ୍ ଲିଷ୍ଟରେ ସାମିଲ କରାଯାଇଛି। ୨୦୦୮ ମସିହାରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ କିଛି ଆମେରିକୀୟଙ୍କ ସମେତ ୧୬୬ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଏହି ଘଟଣା ପାଇଁ ଲସ୍କର-ଏ-ତୋଇବା ସଂଗଠନ ନିଜକୁ ଦାୟୀ ମଧ୍ୟ କରିଥିଲା ବୋଲି ହିଥର କହିଛନ୍ତି। ସେପଟେ ହାଫିଜ୍ ବିରୋଧରେ କୌଣସି ପ୍ରମାଣ ନଥିବା କଥାକୁ ଅସ୍ୱୀକାର କହି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ୍ କର୍ଯାଇ ପାକିସ୍ତାନର ଏଭଳି ବିବୃତିରେ ବିରକ୍ତି ପ୍ରକାଶ କରି କହିଛନ୍ତି ଯେ,ଆଉ କେତେ ପ୍ରମାଣ ମିଳିଲେ ଯାଇ ହାଫିଜ୍କୁ ଆତଙ୍କବାଦୀ ଭାବେ ପାକିସ୍ତାନ ଗ୍ରହଣ କରିବ। ଉଲ୍ଲେଖଯୋଗ୍ୟ ଯେ,ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଆମେରିକା ଏବେ ତାକୁ କୌଣସି ପ୍ରକାର ଆର୍ଥିକ ସହାୟତା ଦେବାକୁ ମନା କରିଦେଇଛି।
Follow Us