ୱାସିଂଟନ: ଇରାନରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନକୁ ପୁଣି ଥରେ କଡ଼ା ଚେତାବନୀ ଦେଇଛନ୍ତି। ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି, ଇରାନରେ ଯଦି ଶାନ୍ତି ପ୍ରତିଷ୍ଠା ନ ହୁଏ, ତା’ହେଲେ ପୂରା ଦେଶକୁ ଧ୍ବଂସ କରିଦିଆଯିବ। କିଛି ଦିନ ତଳେ ଟ୍ରମ୍ପ ଇରାନରେ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଥି‌ଲେ। ଏବେ ଟ୍ରମ୍ପ କହିଛନ୍ତି, ଇରାନରେ ଯଦି କିଛି ହୁଏ, ପୃଥିବୀ ମାନଚିତ୍ରରୁ ଏହାକୁ ସମ୍ପୂର୍ଣ୍ଣ ହଟେଇ ଦିଆଯିବ।

Advertisment

ଟ୍ରମ୍ପଙ୍କୁ ଚେତାବନୀ ଦେଇଥିଲା ଇରାନ

ଇରାନ ମଙ୍ଗଳବାର ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇ କହିଥିଲା ଯେ, ଆମେରିକା ଯଦି ଆୟାତୋଲ୍ଲା ଅଲି ଖେମିନିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ତେହେରାନ ତା’ର ଦେଶରେ ନିଆଁ ଲଗାଇ ଦେବ। ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥା ରିପୋର୍ଟ ଅନୁଯାୟୀ, ଇରାନ ସେନାର ପ୍ରବକ୍ତା ଜେନେରାଲ ଅବୋଲଫଜଲ ସେକାରଚି କହିଥିଲେ, ଟ୍ରମ୍ପ ଜାଣିଛନ୍ତି ଯେ, ଯଦି ଆମ ନେତାଙ୍କ ଆଡ଼କୁ କେହି ହାତ ବଢ଼ାଏ, ତା’ହେଲେ ଆମେ ନା କେବଳ ସେହି ହାତ କାଟିଦେବୁ , ବରଂ ତା’ର ପୂରା ଦୁନିଆରେ ନିଆଁ ଲଗାଇ ଦେବୁ। ଟ୍ରମ୍ପ ଖେମିନିଙ୍କୁ ଜଣେ ଅସୁସ୍ଥ ବ୍ୟକ୍ତି ଓ ତାଙ୍କୁ ଦେଶ ଠିକ୍‌ ଭାବେ ଚଳାଇବା ତଥା ଲୋକଙ୍କ ହତ୍ୟା ବନ୍ଦ କରିବାକୁ କହିବା ପରେ ଇରାନ ପକ୍ଷରୁ ଏହା କୁହାଯାଇଥିଲା।

ମୃତ୍ୟୁ ସଂଖ୍ୟା ୪,୫୧୯ରେ ପହଞ୍ଚିଛି

ଇରାନରେ ବିରୋଧ ପ୍ରଦର୍ଶନଜନିତ ମୃତ୍ୟୁ ସଂଖ୍ୟା ୪,୫୧୯ରେ ପହଞ୍ଚିଛି। ମାନବାଧିକାର ଏଜେନ୍ସିଙ୍କ ଅନୁଯାୟୀ ୨୬,୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ବର୍ଦ୍ଧିତ ଦରଦାମ ଓ ମୁଦ୍ରାର ମୂଲ୍ୟ ହ୍ରାସ ବିରୋଧରେ ଡିସେମ୍ବରରେ ଇରାନରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ପରେ କ୍ଷମତା ପରିବର୍ତ୍ତନ ନେଇ ଦାବି ଉଠିଥିଲା। ଇରାନ ତା’ ଦେଶରେ ଚାଲିଥିବା ବିରୋଧ ପ୍ରଦର୍ଶନ ପଛରେ ଆମେରିକା ଓ ଇସ୍ରାଏଲର ହାତ ଥିବା ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ: Nitin Naveen Share big responsibility: ଆକ୍ସନ୍ ମୋଡରେ ନୀତିନ ନବୀନ: ଫୋକସରେ ଆସନ୍ତା ନିର୍ବାଚନ, ବାଣ୍ଟିଲେ ବଡ଼ ଦାୟିତ୍ବ