ୱାସିଂଟନ୍: ଯଦି ଗିରଫ ହୁଅନ୍ତି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ବିପୁଳ ସଂଖ୍ୟାରେ ଭୋଟ୍ ପାଇ ପୁନଃନିର୍ବାଚିତ ହୋଇ ପାରନ୍ତି ବୋଲି ବିଲିୟନେୟାର୍ ତଥା ‘ଟୁଇଟର୍’ର ‘ସିଇଓ’ ଏଲନ୍ ମସ୍କ୍ ଶନିବାର ଦିନ ଘୋଷଣା କରିଛନ୍ତି।
ଡୋନାଲ୍ଡ୍ ଟ୍ରମ୍ପ୍ଙ୍କୁ ଗିରଫ କରାଯାଇ ପାରେ ବୋଲି ‘ଫକ୍ସ୍ ନିଉଜ୍’ କରିଥିବା ରିପୋର୍ଟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଏଲନ୍ ମସ୍କ୍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯଦି ଏମିତ ହୁଏ, ଟ୍ରମ୍ପ୍ ବିପୁଳ ସଂଖ୍ୟାରେ ଭୋଟ୍ ପାଇ ପୁନଃନିର୍ବାଚିତ ହେବେ।
Image Courtesy of News18ଶନିବାର ପୂର୍ବାହ୍ନରେ ଟ୍ରମ୍ପ୍ ଘୋଷଣା କରିଥିଲେ କି, ତଥ୍ୟ-ଗୁପ୍ତ ରଖିବା ପାଇଁ ଦିଆଯାଇଥିବା ଅର୍ଥ (ହସ୍-ମନି ସ୍କିମ୍) ମାମଲାରେ ଦୀର୍ଘ ବର୍ଷେ ହେବ ଚାଲିଥିବା ତଦନ୍ତର ଅଂଶବିଶେଷ ଭାବେ ଆଗାମୀ ସପ୍ତାହର ମଙ୍ଗଳବାର ଦିନ ତାଙ୍କୁ ଗିରଫ କରାଯିବ। ଗିରଫଦାରି କାର୍ଯ୍ୟାନୁଷ୍ଠାନ ବିପକ୍ଷରେ ପ୍ରତିବାଦ କରିବାକୁ ମଧ୍ୟ ସେ ତାଙ୍କ ସମର୍ଥକମାନଙ୍କୁ କହିଛନ୍ତି।
‘ସିଏନ୍ଏନ୍’ ରିପୋର୍ଟ ଅନୁସାରେ, ପ୍ରାପ୍ତବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଚଳଚ୍ଚିତ୍ରର ଅଭିନେତ୍ରୀ ଷ୍ଟର୍ମି ଡାନିଏଲ୍ଙ୍କ ସହିତ ଜଡ଼ିତ ଥିବା କଥା ଗୁପ୍ତ ରଖିବା ପାଇଁ ପ୍ରଦତ୍ତ ଅର୍ଥ ମାମଲାରେ ବର୍ଷେ ହେବ ଚାଲିଥିବା ତଦନ୍ତରେ ଟ୍ରମ୍ପ୍ଙ୍କୁ ଅଭିଯୁକ୍ତ କରିବା ଲାଗି ସହର, ରାଜ୍ୟ ଓ କେନ୍ଦ୍ରୀୟ ଆଇନ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ମଧ୍ୟରେ ସପ୍ତାହ ସାରା ପ୍ରସ୍ତୁତି ବୈଠକ ଚାଲିଛି।
ଉଲ୍ଲେଖଯୋଗ୍ୟ, ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପୁନଃନିର୍ବାଚିତ ହେବା ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
Follow Us