ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଇନଗତ ଲଢ଼େଇ ଏତେ ଶୀଘ୍ର ସରିବ ନାହିଁ, ତାଙ୍କୁ ରାଷ୍ଟ୍ରପତି କ୍ଷମା ମିଳିବ ନାହିଁ ଏବଂ ୨୦୨୪ ନିର୍ବାଚନ ପର ଯାଏ ବି ବିଚାର ପ୍ରକ୍ରିୟା ଚାଲିବ ବୋଲି ନ୍ୟୁୟର୍କର ଭାରତୀୟ-ଆମେରିକୀୟ ଆଟର୍ଣ୍ଣି ରବି ବାତ୍ରା ବୁଧବାର କହିଛନ୍ତି। ମଙ୍ଗଳବାର ନ୍ୟୁୟର୍କ କୋର୍ଟରେ ୭୬ ବର୍ଷୀୟ ଟ୍ରମ୍ପଙ୍କୁ ହାଜର ହେବାକୁ କୁହାଯାଇଥିଲା। ଟ୍ରମ୍ପ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।
୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଅନ୍ୟତମ ପ୍ରମୁଖ ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ୍ ତାଙ୍କ ବିରୋଧରେ ଆଗତ ୩୪ଟି ଆପରାଧିକ ମାମଲା ଖାରଜ କରିବା ପାଇଁ ଷ୍ଟେଟ୍ ସୁପ୍ରିମ୍କୋର୍ଟ ଜଷ୍ଟିସ୍ ଜୁଆନ ଏମ୍ ମର୍ଚାନଙ୍କ ଆଗରେ ଆବେଦନ କରିଥିଲେ। ବାତ୍ରାଙ୍କ କହିବା ଅନୁସାରେ ଟ୍ରମ୍ପ ଯଦି ୨୦୨୪ରେ ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହୁଅନ୍ତି, ତେବେ ତାଙ୍କ ବିରୋଧରେ ମାମଲାର ଶୁଣାଣି ଓ ଦଣ୍ଡ ପ୍ରଦାନରେ ବିଳମ୍ବ ହୋଇପାରେ ଏବଂ ଫେଡ଼େରାଲ ଅପରାଧ ପାଇଁ ତାଙ୍କୁ କ୍ଷମା ମିଳିପାରେ କିନ୍ତୁ ନ୍ୟୁୟର୍କ ଷ୍ଟେଟ୍ ମାମଲାରେ ସେ ଏହି କ୍ଷମା ପାଇପାରିବେ ନାହିଁ। ନ୍ୟୁୟର୍କ ଷ୍ଟେଟ୍ ଡେମୋକ୍ରାଟିକ୍ମାନଙ୍କର ଗଡ଼ ହୋଇଥିବାରୁ ନିକଟ ଭବିଷ୍ୟତରେ କୌଣସି ରିପବ୍ଲିକାନ ଏହାର ଗଭର୍ଣ୍ଣର ହେବାର ସମ୍ଭାବନା ନାହିଁ। ତେଣୁ ନ୍ୟୁୟର୍କ ଗଭର୍ଣ୍ଣର ତାଙ୍କୁ କ୍ଷମା ଦେବେ ବୋଲି ଆଶା କରିବା ବୃଥା। ଯଦି ସେ ରାଷ୍ଟ୍ରପତି ବି ହୁଅନ୍ତି, ତେବେ ସେ ନିଜେ ନିଜକୁ କ୍ଷମା ତ ଦେଇପାରିବେ ନାହିଁ କିମ୍ବା ରାଜ୍ୟରେ ଘଟିତ ଅପରାଧ ପାଇଁ ଆଉ କେହି ତାଙ୍କୁ କ୍ଷମା ଦେବେ ନାହିଁ ବୋଲି ବାତ୍ରା ଯୁକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ତାଙ୍କ ମାନହାନି ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ୧୨୨,୦୦୦ ଡଲାରର ଲିଗାଲ ଫି ଦେବାକୁ ହେବ। ମଙ୍ଗଳବାର ଏକ କୋର୍ଟ ଏହି ଆଦେଶ ଦେଇଛନ୍ତି।
Follow Us