Trump-Zelensky together at Pope Francis' funeral Photograph: (sambad.in)
ଭଟିକାନ ସିଟି : ଶନିବାର ଦିନ ଭଟିକାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ସାକ୍ଷାତ କରିଛନ୍ତି। ପୋପ୍ ଫ୍ରାନ୍ସିସ୍ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଉଭୟ ନେତା ଭଟିକାନ୍ ପହଞ୍ଚିଥିଲେ । ଏଠାରେ ଦୁହେଁ କିଛି ସମୟ ବସି କଥାବାର୍ତ୍ତା କରିଥିଲେ। ହ୍ୱାଇଟ୍ ହାଉସରେ ପ୍ରବଳ ବିତର୍କ ପରେ ପ୍ରାୟ ଦୁଇ ମାସ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଛି। ଫେବ୍ରୂଆରି ୨୮ ତାରିଖରେ ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରେ ଉଭୟଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଏକ ଉଷ୍ଣ ବିତର୍କରେ ପରିଣତ ହୋଇଥିଲା। ଏହି ଦୃଷ୍ଟିରୁ, ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବର୍ତ୍ତମାନର ସାକ୍ଷାତ ଏବଂ ଆଲୋଚନା ସ୍ୱତନ୍ତ୍ର ଥିଲା।
ତଥାପି, ସେ କଥାବାର୍ତ୍ତା ବିଷୟରେ ଅଧିକ କିଛି ପ୍ରକାଶ କରି ନାହାନ୍ତି। ଆସୋସିଏଟେଡ୍ ପ୍ରେସ୍ ଜଣେ ୟୁକ୍ରେନୀୟ ଅଧିକାରୀଙ୍କ ସୂତ୍ରରୁ ସୂଚନା ଦେଇ କହିଛି ଯେ, ଦୁଇ ନେତା ଶୀଘ୍ର ପୁଣି ଥରେ ସାକ୍ଷାତ କରିବାକୁ ରାଜି ହୋଇଛନ୍ତି। ଏହା ଦୁଇ ନେତାଙ୍କ ମଧ୍ୟରେ ପରିସ୍ଥିତିକୁ ସଜାଡ଼ିବ ବୋଲି ଆଶା କରାଯାଉଛି।
ଚଳିତ ବର୍ଷ ଫେବ୍ରୁଆରି ଶେଷ ଭାଗରେ, ଜେଲେନସ୍କି ଟ୍ରମ୍ପ୍ ପ୍ରଶାସନ ସହିତ ଏକ ଖଣିଜ ଚୁକ୍ତି ବିଷୟରେ ଆଲୋଚନା କରିବା ପାଇଁ ଆମେରିକା ଗସ୍ତ କରିଥିଲେ।
ହ୍ୱାଇଟ୍ ହାଉସରେ ଉଭୟ ଦଳ ମଧ୍ୟରେ ଆଲୋଚନା ଚାଲିଥିଲା। ଏହି ସମୟ ମଧ୍ୟରେ, ୟୁକ୍ରେନ-ରୁଷିଆ ଯୁଦ୍ଧ ପ୍ରସଙ୍ଗରେ ଟ୍ରମ୍ପ୍ ଏବଂ ଜେଲେନସ୍କି ମୁହାଁମୁହିଁ ହୋଇଥିଲେ । ଏକ ଘମାଘୋଟ ବିତର୍କ ପରେ, ବୈଠକକୁ ସଂକ୍ଷିପ୍ତ କରାଯାଇଥିଲା ଏବଂ ଜେଲେନସ୍କିଙ୍କୁ ବିନା ଚୁକ୍ତିନାମାରେ ଫେରିବାକୁ ପଡିଥିଲା। ଏହି କାରଣରୁ, ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା।
ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣ: ଭାରତକୁ ୟୁଏନଏସସିର ସମର୍ଥନ, ୧୫ ଦେଶ କହିଲେ ଆତଙ୍କବାଦର ପୃଷ୍ଠପୋଷକଙ୍କୁ ଦଣ୍ଡ ଦେବା ଜରୁରୀ
ଖ୍ରୀଷ୍ଟିଆନ କ୍ୟାଥୋଲିକ ଧାର୍ମିକ ନେତା ପୋପ୍ ଫ୍ରାନ୍ସିସ୍ଙ୍କ ଅନ୍ତିମ ସଂସ୍କାର ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କିଙ୍କ ଯେଉଁ ଫଟୋ ସାମ୍ନାକୁ ଆସିଛି, ତାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ଦୁଇ ନେତାଙ୍କ ମଧ୍ୟରେ ସମ୍ପର୍କରେ ଉନ୍ନତି ଆସିଛି।
ଫଟୋରେ, ଉଭୟ ନେତା ବହୁତ ଆରାମଦାୟକ ଏବଂ କଥାବାର୍ତ୍ତାରେ ମଗ୍ନ ଦେଖାଯାଉଛନ୍ତି। ପୋପ୍ ଫ୍ରାନ୍ସିସ୍ଙ୍କ ଅନ୍ତିମ ସଂସ୍କାର ପାଇଁ ସାରା ବିଶ୍ୱର ନେତାମାନେ ରୋମ୍ରେ ପହଞ୍ଚିଛନ୍ତି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୋପ୍ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଘର ସାମ୍ନାରେ ବସିଥିଲା ଅଢ଼େଇ ବର୍ଷର ଶିଶୁପୁତ୍ର; ମାଡ଼ିଗଲା ଦ୍ରୁତଗାମୀ ପିକ୍ଅପ୍
volodymyr-zelensky | donald-trump | pope-francis
Follow Us