ଟ୍ରମ୍ପଙ୍କ ଏଚ୍‌୧-ବି ଭିସା ନୀତି ଖାରଜ: ଉପକୃତ ହେବେ ଭାରତୀୟ କର୍ମଚାରୀ

Advertisment
ଟ୍ରମ୍ପଙ୍କ ଏଚ୍‌୧-ବି ଭିସା ନୀତି ଖାରଜ: ଉପକୃତ ହେବେ ଭାରତୀୟ କର୍ମଚାରୀ

ନୂଆଦିଲ୍ଲୀ/ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଆମେରିକୀ ପ୍ରଥମ ନୀତିକୁ ଆପଣାଇଥିଲେ। ଆମେରିକୀୟ କମ୍ପାନିଗୁଡ଼ିକରେ ପ୍ରଥମେ ଆମେରିକୀୟଙ୍କ ନିଯୁକ୍ତିକୁ ଏଥିରେ ଗୁରୁତ୍ବ ଦିଆଯାଉଥିଲା। ଏଥିପାଇଁ ସେ ଏଚ-୧ ବି ଭିସା ଚୟନ ପ୍ରକ୍ରିୟା ନିୟମରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଟ୍ରମ୍ପଙ୍କ ସେହି ପ୍ରସ୍ତାବକୁ ଆମେରିକାର ଏକ ଅଦାଲତ ଖାରଜ କରିଦେଇଛନ୍ତି। ଟ୍ରମ୍ପଙ୍କ ପ୍ରସ୍ତାବିତ ଏଚ୍‌-୧ ଭିସା ଦ୍ବାରା ବର୍ତ୍ତମାନ ପ୍ରଚଳିତ ଭିସା ନିୟମ ବଦଳି ଯାଇଥାନ୍ତା।

କାଲିଫର୍ଣ୍ଣିଆର ନର୍ଦନ ଡିଷ୍ଟ୍ରିକ୍ଟର ଜିଲ୍ଲା ଜଜ୍ ଜେଫ୍ରେ ଏସ ହ୍ବାଇଟ୍ ଟ୍ରମ୍ପଙ୍କ ଅମଳର ଏଚ-୧ବି ଭିସା କଟକଣା ନିୟମକୁ ଖାରଜ କରିଦେଇଛନ୍ତି। ସେତେବେଳେ ଏହି ନିୟମ କାମଚଳା ହୋମଲ୍ୟାଣ୍ଡ୍ ସିକ୍ୟୁରିଟି ସଚିବ ଚାଡ୍ ଉଲଫଙ୍କ ଦ୍ବାରା ଘୋଷଣା ହୋଇଥିଲା। ତେଣୁ କାମଚଳା ସଚିବଙ୍କ ଦ୍ବାରା ଏହି ନିୟମ ଘୋଷଣା ହୋଇଥିବାରୁ ତାହାକୁ ଅଦାଲତ ସେହି ନିୟମକୁ ଖାରଜ କରିଦେଇଛନ୍ତି। ଆମେରିକାର ଚାମ୍ବର ଅଫ କମର୍ସ ପକ୍ଷରୁ ଭିସା ନିୟମରେ ଉକ୍ତ ପରିବର୍ତ୍ତନକୁ ବିରୋଧ କରାଯାଇ ମାମଲା ହୋଇଥିଲା। ଏଚ-୧ବି ଭିସା ହେଉଛି ଏକ ଅଣ-ଆପ୍ରବାସୀ ଭିସା। ଉକ୍ତ ଭିସା ମାଧ୍ୟମରେ ଆମେରିକୀୟ କମ୍ପାନି ଗୁଡ଼ିକ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି କରିବାର ସୁଯୋଗ ପାଇଥାନ୍ତି। ବିଶେଷକରି ଆଇଟି ଓ ପ୍ରଯୁକ୍ତି କମ୍ପାନି ଗୁଡ଼ିକ ଏହି ଭିସା ମାଧ୍ୟମରେ ବର୍ଷକୁ ବହୁସଂଖ୍ୟକ ଭାରତୀୟ ଏବଂ ଚୀନ ନାଗରିକଙ୍କୁ ନିଯୁକ୍ତି ଦେଇଥାନ୍ତି।

ବର୍ଷକୁ ଏଚ-୧ ବି ଭିସାର ସୀମା ୬୫ ହଜାରରେ ଧାର୍ଯ୍ୟ କରାଯାଇଛି। ଏହାବ୍ୟତୀତ ଅଧିକ କୁଶଳୀ ବ୍ୟକ୍ତିଙ୍କ ପାଇଁ ଅତିରିକ୍ତ ୨୦ ହଜାର ଭିସା ରହିଛି। ଉଭୟ ଫାଷ୍ଟ୍ କମ୍ ଫାଷ୍ଟ ସର୍ଭଡ ଏବଂ ‌ଲଟେରି ମାଧ୍ୟମରେ ଆବେଦନଗୁଡ଼ିକୁ ବିଚାରକୁ ନିଆଯାଉଛି। କିନ୍ତୁ ‌ଡୋନାଲ୍ଟ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳର ଶେଷଭାଗରେ ଆମେରିକାର ନାଗରିକତା ଏବଂ ଆପ୍ରବାସୀ ସେବା ବିଭାଗ ପକ୍ଷରୁ ଏଚ-୧ ବି ଭିସାର ସଫଳ ଆବେଦନକାରୀଙ୍କୁ ଚୟନ କରିବା ପାଇଁ ପାରମ୍ପରିକ ‌ଲଟେରି ବ୍ୟବସ୍ଥାକୁ ରଦ୍ଦ କରିବା ପାଇଁ ଘୋଷଣା କରିଥିଲେ। ଏହାଦ୍ବାରା ଆମେରିକୀୟ କର୍ମଚାରୀମାନେ ଉପକୃତ ହେବେ ଏବଂ ଅଧିକ କୁଶଳୀ ବିଦେଶୀ କର୍ମଚାରୀ ଆମେରିକାରେ ଅସ୍ଥାୟୀ ନିଯୁକ୍ତି ପାଇଁ ଆସିପାରିବେ। ଏଚ-୧ ବି ଭିସାର ସୀମା ନିର୍ଦ୍ଧାରଣ ପ୍ରଥମେ ୨୦୨୧ ମାର୍ଚ୍ଚ ୯ରୁ ଲାଗୁ ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ପରେ ହୋମଲାଣ୍ଡ ସିକ୍ୟୁରିଟି ବିଭାଗ ଏହାକୁ ୨୦୨୧ ଡିସେମ୍ବର ୩୧କୁ ଘୁଞ୍ଚାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe