Trump's tariff shock: Will it be cheaper or more expensive, what will be the loss? Photograph: (sambad.in)
ନୂଆଦିଲ୍ଲୀ/ଟ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଭାରତୀୟ ଆମଦାନୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ସମ୍ପର୍କରେ ଏକ ସରକାରୀ ନୋଟିସ୍ ଜାରି କରିଛନ୍ତି,ଯାହା ଅନୁଯାୟୀ ଭାରତକୁ ୨୭ ଅଗଷ୍ଟ ରାତି ୧୨ଟାରୁ ୫୦% ଶୁଳ୍କ ଦେବାକୁ ପଡିବ। ଆମେରିକାର ଗୃହ ସୁରକ୍ଷା ବିଭାଗ ଦ୍ୱାରା ଜାରି ନୋଟିସ୍ରେ କୁହାଯାଇଛି ଯେ, ରୁଷିଆ ଦ୍ୱାରା ଆମେରିକାକୁ ଦିଆଯାଉଥିବା ଧମକର ଜବାବରେ ଭାରତ ଉପରେ ଶୁଳ୍କ ଲାଗୁ କରାଯାଇଛି। ନିର୍ଦ୍ଦେଶ ଅନୁସାରେ ଏହା ସ୍ପଷ୍ଟ ଯେ, ଆମେରିକାର ଟ୍ରମ୍ପ ପ୍ରଶାସନ ରୁଷିଆକୁ ଜବାବ ଦେବା ପାଇଁ ଭାରତକୁ ବଳିର ଛେଳି କରାଯାଇଛି।
ଟ୍ରମ୍ପ୍ଙ୍କ ଶୁଳ୍କ ଉପରେ ପ୍ରତିକ୍ରିୟା ଦେଇ,ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଅହମଦାବାଦରେ ଏକ ରାଲିରେ ଘୋଷଣା କରିଥିଲେ ଯେ, ଆମେ ଆମେରିକାର ଯେକୌଣସି ଆର୍ଥିକ ଚାପକୁ ସହ୍ୟ କରିବା ପାଇଁ ଆମର କ୍ଷମତା ବୃଦ୍ଧି କରିବୁ। ରୁଷିଆ ଉପରେ ଚାପ ପକାଇବା ପାଇଁ,ଆମେରିକା ଶୁଳ୍କ ଲଗାଇ ଭାରତ ଉପରେ ଆର୍ଥିକ ଚାପ ପକାଇବାକୁ ଚେଷ୍ଟା କରିଛି, କିନ୍ତୁ ଭାରତ ଏହି ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଭାରତର ଶକ୍ତି ଏବଂ ଜାତୀୟ ସୁରକ୍ଷା ପାଇଁ ରୁଷିଆଠାରୁ ତେଲ ଏବଂ ଅସ୍ତ୍ରଶସ୍ତ୍ର କିଣିବା ଜରୁରୀ। ଭାରତ ଏହି କ୍ରୟରୁ ପଛକୁ ହଟିବ ନାହିଁ।
ଅର୍ଥ ବିଶେଷଜ୍ଞଙ୍କ ଅନୁସାରେ ଆମେରିକାର ୫୦ ପ୍ରତିଶତ ଶୁଳ୍କ ଭାରତର ଅର୍ଥନୀତି ଏବଂ ଜିଡଡିପି ଉପରେ ନକାରାତ୍ମକ ପ୍ରଭାବ ପକାଇବାର ଆଶଙ୍କା ରହିଛି।। ଶୁଳ୍କ ଭାରତର ଅର୍ଥନୀତିକୁ ଏକ ବଡ଼ ଧକ୍କା ଦେଇପାରେ, କାରଣ ଭାରତ ପ୍ରତିବର୍ଷ ଆମେରିକାକୁ ପ୍ରାୟ ୮୭ ବିଲିୟନ ଡଲାରର ସାମଗ୍ରୀ ରପ୍ତାନି କରିଥାଏ। ଏହି ରପ୍ତାନି ଭାରତର ମୋଟ ରପ୍ତାନିର ୧୮ ପ୍ରତିଶତ ଏବଂ ମୋଟ ଜିଡିପିର ୨.୫ ପ୍ରତିଶତ। ୫୦ ପ୍ରତିଶତ ଶୁଳ୍କ ଯୋଗୁ ରପ୍ତାନି ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇପାରେ। ଏହା ସହିତ ଜିଡିପି ମଧ୍ୟ ୦.୪% ହ୍ରାସ ପାଇପାରେ।
/filters:format(webp)/sambad/media/media_files/2025/08/26/screenshot-2025-08-26-091004-2025-08-26-12-45-05.png)
ଏହାର ପ୍ରଭାବରେ ୨୦୨୬ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬ ପ୍ରତିଶତରୁ କମ୍ ହୋଇପାରେ। ଟଙ୍କା ଦୁର୍ବଳ ହୋଇପାରେ ଏବଂ ଘରୋଇ କ୍ଷେତ୍ରର ନିବେଶ ହ୍ରାସ ହେବାର ଆଶଙ୍କା ରହିଛି।ଏହା ଯୋଗୁ ଘରୋଇ ଉତ୍ପାଦନ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି। ଯାହା ଫଳରେ କୋଟି କୋଟି ଡଲାରର କ୍ଷତି ହେବ। ଔଷଧ ଏବଂ ଇଲେକ୍ଟ୍ରୋନିକ୍ସ ଉପରେ ଶୁଳ୍କ ଲାଗୁ ହେବ ନାହିଁ, କିନ୍ତୁ ୫୦ ପ୍ରତିଶତ ଶୁଳ୍କ ଶ୍ରମକେନ୍ଦ୍ରୀୟ କ୍ଷେତ୍ରଗୁଡ଼ିକ ଉପରେ ସର୍ବାଧିକ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଫଳରେ ଲକ୍ଷ ଲକ୍ଷ ଚାକିରି ବିପଦରେ ପଡ଼ିବ। ଯାହା ଭାରତରେ ବେକାରୀ ସମସ୍ୟା ବୃଦ୍ଧି କରିପାରେ।
ଭାରତର କେତେକ କ୍ଷେତ୍ରଗୁଡ଼ିକ ଶୁଳ୍କ ଦ୍ୱାରା ପ୍ରଭାବିତ ହେବ। ୧୦ ରୁ ୧୫ ବିଲିୟନ ଡଲାରର କପଡ଼ା ଏବଂ ପୋଷାକ କ୍ଷେତ୍ରର ରପ୍ତାନି ପ୍ରଭାବିତ ହେବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏହି କ୍ଷେତ୍ରଗୁଡ଼ିକର ଅର୍ଡର ଭିଏତନାମ, ଇଣ୍ଡୋନେସିଆ ଭଳି ଛୋଟ ଦେଶକୁ ସ୍ଥାନାନ୍ତରିତ ହୋଇପାରେ। ଯାହା ପ୍ରତିଯୋଗିତା ହ୍ରାସ କରିବ। ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ଏବଂ ନିଯୁକ୍ତି ପ୍ରଭାବିତ ହେବ।
ରତ୍ନ ଏବଂ ଅଳଙ୍କାର କ୍ଷେତ୍ରର ୯ ରୁ ୧୦ ବିଲିୟନ ଡଲାରର ରପ୍ତାନି ପ୍ରଭାବିତ ହେବ। ରପ୍ତାନି ବନ୍ଦ ହେବା ଯୋଗୁ ଲକ୍ଷ ଲକ୍ଷ କାରିଗରଙ୍କ ଚାକିରି ବିପଦରେ ପଡ଼ିପାରେ। ଯଦିଓ ଭାରତ ଦୁବାଇ ଏବଂ ମେକ୍ସିକୋରେ ନୂତନ ୟୁନିଟ୍ ଖୋଲିବାକୁ ଯୋଜନା ରଖିଛି। ତେବେ ଏହି ପ୍ରକ୍ରିୟା ପାଇଁ ସମୟ ଲାଗିବ।
ଅଟୋ ପାର୍ଟସ୍ ଶିଳ୍ପର ୭ ବିଲିୟନ ଡଲାରର ରପ୍ତାନି ପ୍ରଭାବିତ ହେବ। ଏହି କ୍ଷେତ୍ରରେ ଅଟୋ ପାର୍ଟସ୍ ମୂଲ୍ୟରେ ପ୍ରତିଯୋଗିତା ଯୋଗୁ ହଜାର ହଜାର ଲୋକଙ୍କ ଚାକିରି ବିପଦରେ ପାରେ। କାର, ଟ୍ରକ୍ ଏବଂ ଟ୍ରାକ୍ଟର ପାର୍ଟସ୍ ଶିଳ୍ପ ବିଶେଷ ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି।
ସାମୁଦ୍ରିକ ଖାଦ୍ୟ କ୍ଷେତ୍ରରେ, ଶୁଳ୍କ ଦ୍ୱାରା ୨ ରୁ ୩ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨୪୦୦୦ କୋଟି ଟଙ୍କାର ରପ୍ତାନି ପ୍ରଭାବିତ ହେବ। କେତେକ ଅର୍ଡର ବାତିଲ ମଧ୍ୟ ହୋଇପାରେ। ଯାହା ଫଳରେ ଲକ୍ଷ ଲକ୍ଷ ଶ୍ରମିକ ଏବଂ କୃଷକଙ୍କର କ୍ଷତି ହେବ। କିନ୍ତୁ ଇକ୍ୱେଡର ଏବଂ ଭିଏତନାମ ଭଳି ପ୍ରତିଯୋଗୀମାନେ ଲାଭବାନ ହୋଇପାରନ୍ତି।
କାର୍ପେଟ ତିଆରି କ୍ଷେତ୍ରର ରପ୍ତାନିର ୬୦ ପ୍ରତିଶତ ପ୍ରଭାବିତ ହେବ। ଯାହା ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିବ। ଚମଡା, ରାସାୟନିକ ପଦାର୍ଥ, ଯାନ୍ତ୍ରିକ ଯନ୍ତ୍ରପାତି ରପ୍ତାନି ହ୍ରାସ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ନିଯୁକ୍ତି ପ୍ରଭାବିତ ହେବାର ଆଶଙ୍କା ରହିଥିବା ଅର୍ଥ ବିଶେଷଜ୍ଞ ମତପୋଷଣ କରିଛନ୍ତି।
USA | AIr India | tariff-war | pm-narendra-modi | donald-trump
Follow Us