ଇସଲାମାବାଦ: ଆତଙ୍କବାଦୀମାନେ ପାକିସ୍ତାନର ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ଏକ ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ଶନିବାର ଦିନ ହୋଇଥିବା ଏହି ଆକ୍ରମଣରେ ୧୬ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ। ଏହା ସହିତ କେତେକ ସୈନିକ ଗୁରୁତର ଆହତ ହୋଇଥିଲେ। ଏହି ଆକ୍ରମଣ ପାଇଁ ତେହରିକି-ଏ-ତାଲିବାନ ପାକିସ୍ତାନ(ଟିଟିପି) ନିଜକୁ ଦାୟୀ କରି ୩୫ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି। କିନ୍ତୁ ପାକିସ୍ତାନ ସେନା କହିଛି ଯେ ୧୬ ସୈନିକଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ରାତିରେ ଆଫଗାନିସ୍ତାନ ସୀମା ନିକଟ ଖାଇବର ପାସ୍ତୁନଖ୍ବା ପ୍ରଦେଶର ମାକେନ୍ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା।
ଏହି ଆକ୍ରମଣ ପାଇଁ ପାକିସ୍ତାନୀ ତାଲିବାନ ନିଜକୁ ଦାୟୀ ବୋଲି କହି ଆକ୍ରମଣରେ ୩୫ ସୈନିକଙ୍କୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି। ଏଥିରେ ୧୫ ଜଣ ଆହତ ହୋଇଥିବା ଟିଟିପି କହିଛି। ପାକିସ୍ତାନ ସେନା ସହିତ ଟିଟିପିର ପ୍ରାୟ ୨ ଘଣ୍ଟା ଧରି ଗୁଳି ବିନିମୟ କରାଯାଇଥିଲା ବୋଲି ଦାବି କରାଯାଇଛି। ଏହି ଆକ୍ରମଣ ସମୟରେ ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନୀ ସେନାର କେତେକ ଉନ୍ନତ ଅସ୍ତ୍ରଶସ୍ତ୍ର ଏବଂ ନାଇଟ ଭିଜନ କ୍ୟାମେରା ଲୁଟ୍ କରିଥିଲା।
ଆଫଗାନିସ୍ତାନ ନିକଟବର୍ତ୍ତୀ ଅଞ୍ଚଳରେ ତେହରିକି-ଏ-ତାଲିବାନ ପାକିସ୍ତାନ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ହ୍ବାଟସ୍ ଆପ୍ ଗ୍ରୁପରେ ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି।
ଏହି ଆକ୍ରମଣ ପରଠାରୁ ପାକିସ୍ତାନୀ ସେନା ପକ୍ଷରୁ କୌଣସି ବିବୃତି ଜାରି କରାଯାଇ ନାହିଁ। ଗଣମାଧ୍ୟମକୁ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଆକ୍ରମଣରେ ଆତଙ୍କବାଦୀମାନେ ହାଲୁକା ଏବଂ ଭାରୀ ଅସ୍ତ୍ର ବ୍ୟବହାର କରିଛନ୍ତି। ଯେଉଁଥିପାଇଁ ୧୬ ସୈନିକଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନେକ ମଧ୍ୟ ଆହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ଗାଜା ଚୁକ୍ତିରେ ବିଳମ୍ବ: ଇସ୍ରାଏଲ-ହମାସ୍ କ’ଣ ଚାହୁଁଛନ୍ତି?
ସୂଚନାଯୋଗ୍ୟ,ପାକିସ୍ତାନରେ ଏହା ପ୍ରଥମ ଘଟଣା ନୁହେଁ ଯେ ତାଲିବାନ ସେନାକୁ ଟାର୍ଗେଟ କରୁଛି। ୨୦୨୧ ମସିହାରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରଠାରୁ ଏଭଳି ଘଟଣା କ୍ରମାଗତ ଭାବରେ ଦେଖାଯାଉଛି। ଏହି ଆକ୍ରମଣ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କକୁ ତିକ୍ତ କରିଦେଇଛି।
ପାକିସ୍ତାନରେ ବୋମା ବିସ୍ଫୋରଣ ଏବଂ ଆକ୍ରମଣ ଖବର ଲଗାତାର ଜାରି ରହିଛି। କିଛି ଦିନ ପୂର୍ବରୁ ପାକିସ୍ତାନରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ପାକିସ୍ତାନର କ୍ୱେଟା ରେଳ ଷ୍ଟେସନରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ବିସ୍ଫୋରଣରେ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଥିଲା।
ଅଧିକ ପଢ଼ନ୍ତୁ: ବ୍ରାଜିଲରେ ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍-ଟ୍ରକ୍ ଧକ୍କାରେ ୩୮ ଜଣଙ୍କର ମୃତ୍ୟୁ