ଆଲିଗଡ଼ରେ ବିଷାକ୍ତ ମଦ ପିଇ ୨୨ ମୃତ: ୫ ଅଭିଯୁକ୍ତ ଗିରଫ, ଅବକାରୀ ବିଭାଗର ୩ ଜଣ ନିଲମ୍ବିତ

Advertisment
ଆଲିଗଡ଼ରେ ବିଷାକ୍ତ ମଦ ପିଇ ୨୨ ମୃତ: ୫ ଅଭିଯୁକ୍ତ ଗିରଫ, ଅବକାରୀ ବିଭାଗର ୩ ଜଣ ନିଲମ୍ବିତ

NewsTrack

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାରେ ବିଷାକ୍ତ ମଦ ପିଇ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ୨୮ ଜଣ ଗୁରୁତର ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁବାର ରାତିରୁ ଏହି ଅଘଟଣ ଆରମ୍ଭ ହୋଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ମୋଟ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ଅସୁସ୍ଥମାନେ ଏଏମୟୁର ଜବାହରଲାଲ ନେହରୁ ମେଡିକାଲ କଲେଜ ହସ୍ପିଟାଲ ଏବଂ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଲୋଧା ଥାନା ଅନ୍ତର୍ଗତ କରସୁଆ ଏବଂ ଆଣ୍ଡ୍‌ଲା ଗ୍ରାମ ଏବଂ ଜୱାନ ଥାନା ଅନ୍ତର୍ଗତ ଛେରଟ୍‌ ଗ୍ରାମରେ ଏହି ମୃତ୍ୟୁ ହୋଇଛି। ପୁଲିସ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି।

ଏହାର କିଙ୍ଗପିନ୍ କୁହାଯାଉଥିବା ଅନୀଲ ଚୌଧୁରୀକୁ ମଧ୍ୟ ଗିରଫ କରାଯାଇଛି। ତେବେ ଆଉ ଦୁଇ ମୁଖ୍ୟ ଅଭିଯୁକ୍ତ ଋଷି ଶର୍ମା ଏବଂ ବିପିନ ଯାବଦ ଫେରାର ହୋଇଯାଇଛନ୍ତି ବୋଲି ଏସ୍‌ପି କଳାନିଧି ନୈଥାନି କହିଛନ୍ତି। ଏହି ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ୫୦ ହଜାର ଟଙ୍କା ଲେଖାଏଁର ପୁରସ୍କାର ରାଶି ଘୋଷଣା କରିଛି। ସ୍ଥାନୀୟ ପୁଲିସ ୩ଟି ପୃଥକ ମାମଲାରେ ଏପର୍ଯ୍ୟନ୍ତ ୧୨ଟି ମାମଲା ରୁଜୁ କରିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ମଧ୍ୟ ଜାରି ରହିଛି।

ଅନ୍ୟପକ୍ଷରେ ଏହି ମାମଲାରେ ଅବକାରୀ ବିଭାଗର ୩ ଜଣଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ଜିଲ୍ଲାସ୍ତରୀୟ ଅଧିକାରୀ, ଜଣେ ଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଳ ରହିଛନ୍ତି। ଅଧିକାରୀମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ୫ଟି ଲାଇ‌ସେନ୍ସପ୍ରାପ୍ତ ମଦ ଦୋକାନକୁ ମଧ୍ୟ ସିଲ୍ କରାଯାଇଇଛି। ସେଠାରୁ ନମୁନା ସଂଗ୍ରହ କରାଯାଇଛି ପରୀକ୍ଷାଗାରକୁ ପଠାଯାଇଛି। ମଦମୃତ୍ୟୁର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଆଲିଗଡ଼ ଜିଲ୍ଲାର ୫୦୦ ଲାଇସେନ୍ସପ୍ରାପ୍ତ ମଦ ଦୋକାନକୁ ମଧ୍ୟ ବନ୍ଦ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe