ବେଙ୍ଗାଲୁରୁ/ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଏକ ଦମ୍ପତିଙ୍କୁ ଆକ୍ରମଣ କରାଯିବା ପରେ, ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଆକ୍ରମଣକାରୀଙ୍କୁ ମାଡ଼ ମାରୁଥିବାର ଦେଖାଯାଇଛି। ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ତେଣୁ ଏହା ଏକପାଖିଆ ହିଂସା ନୁହେଁ ବୋଲି ପୁଲିସ୍ ସୂଚାଇଛି।
ୱିଙ୍ଗ କମାଣ୍ଡର ଶିଲାଦିତ୍ୟ ବୋଷ ତାଙ୍କ ମୁହଁ ଏବଂ ବେକରେ ରକ୍ତ ଲାଗିଥିବା ଏକ ଭିଡିଓ ପୋଷ୍ଟ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ବାୟୁସେନା ଅଧିକାରୀଙ୍କ ବିରୋଧରେ ମଧ୍ୟ ଏକ ପାଲଟା ଅଭିଯୋଗ ଦାଖଲ କରିଛନ୍ତି।
ଗତକାଲି, ୱିଙ୍ଗ କମାଣ୍ଡର ବୋଷ ଅଭିଯୋଗ କରିଛନ୍ତି ଯେ "ଏକ ବାଇକ୍ ପଛରୁ ଆସି ଆମ ଗାଡ଼ିକୁ ଅଟକାଇଲା। ସେହି ବ୍ୟକ୍ତି ଜଣକ ମୋତେ କନ୍ନଡରେ ଗାଳି ଦେବା ଆରମ୍ଭ କଲେ। ସେମାନେ ମୋ ଗାଡ଼ିରେ ଡିଆର୍ଡିଓ ଷ୍ଟିକର ଦେଖି କହିଲେ 'ତୁମେ ଡିଆର୍ଡିଓ ଲୋକ'। ତା’ପରେ ସେମାନେ ମୋ ସ୍ତ୍ରୀ ଏବଂ ମୋତେ ଗାଳି ଦେଲେ, ମୁଁ ସହ୍ୟ କରିପାରିଲି ନାହିଁ। ମୁଁ ମୋ ଗାଡ଼ିରୁ ଓହ୍ଲାଇ ପଡ଼ିଲି। ସେହି ସମୟରେ ବାଇକ୍ ଚାଳକ ମୋ କପାଳରେ ଚାବି ମାରିଲେ ଏବଂ ମୋତେ ରକ୍ତାକ୍ତ କରିଦେଲେ"
ଅଫିସରଙ୍କ ପତ୍ନୀ ମଧୁମିତା ବୋଷ ବେଙ୍ଗାଲୁରୁର ସିଭି ରମଣ ନଗରର ଡିଆର୍ଡିଓ କଲୋନିରୁ ତାଙ୍କ ସ୍ୱାମୀଙ୍କୁ ବିମାନବନ୍ଦରକୁ ନେଇ ଯାଉଥିଲେ। ଭିଡିଓଟି ଭାଇରାଲ ହୋଇଥିଲା। କିନ୍ତୁ ପ୍ରଥମେ ଆକ୍ରମଣର କାର କିଛି ସ୍ପଷ୍ଟ ହୋଇନଥିଲା।
Follow Us