୪୪ ବିଲିୟନ୍‌ ଡଲାର୍‌ ରାଜିନାମାରୁ ଓହରି ଗଲେ ଏଲନ୍‌ ମସ୍କ୍‌: ମାମଲା ରୁଜୁ କରିବାକୁ ଧମକ ଦେଲା ଟୁଇଟର୍‌

୪୪ ବିଲିୟନ୍‌ ଡଲାର୍‌ ରାଜିନାମାରୁ ଓହରି ଗଲେ ଏଲନ୍‌ ମସ୍କ୍‌: ମାମଲା ରୁଜୁ କରିବାକୁ ଧମକ ଦେଲା ଟୁଇଟର୍‌

Image Courtesy of NDTV

ସାନ୍‌ ଫ୍ରାନ୍‌ସିସ୍‌କୋ: ସାମାଜିକ ଗଣମାଧ୍ୟମ କମ୍ପାନି ‘ଟୁଇଟ୍‌ର୍‌’କୁ ଖରିଦ କରିବା ଲାଗି ହୋଇଥିବା ୪୪ ବିଲିୟନ୍‌ ଡଲାର୍‌ ଚୁକ୍ତିନାମାର ଅବସାନ ଘଟାଇଛନ୍ତି ବୋଲି ଶୁକ୍ରବାର ଦିନ ‘ଟେସ୍‌ଲା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଶ୍ବର ଶ୍ରେଷ୍ଠ ଧନୀବ୍ୟକ୍ତି ଏଲନ୍‌ ମସ୍କ୍‌ କହିଛନ୍ତି।

ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି ଯେ, ରାଜିନାମା (ମର୍ଜର୍‌ ଏଗ୍ରିମେଣ୍ଟ୍‌) ଅନୁସାରେ, ଜାଲ୍‌ ଆକାଉଣ୍ଟ୍‌ ସଂକ୍ରାନ୍ତରେ ସୂଚନା ଯୋଗାଇ ଦେବାରେ ‘ଟୁଇଟର୍‌’ ବିଫଳ ହୋଇଥିବାରୁ ସ‌େ ଏଭଳି ନିଷ୍ପତ୍ତି ନେଇଛନ୍ତି।

କିନ୍ତୁ, ‘ଟୁଇଟର୍‌’ର ଅଧ୍ୟକ୍ଷ ବ୍ରେଟ୍‌ ଟେଲର୍‌ ଟୁଇଟ୍‌ କରି କହିଛନ୍ତି, ଉକ୍ତ ‘ମର୍ଜର୍‌ ଏଗ୍ରିମେଣ୍ଟ୍‌’କୁ (ଦୁଇଟି କମ୍ପାନିକୁ ମିଶାଯାଇ ନୂଆ କମ୍ପାନି କରାଯିବା ଚୁକ୍ତି) କାଏମ ରଖିବା ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ‘ଟୁଇଟର୍‌’ ବୋର୍ଡ ଯୋଜନା କରୁଛି।

ରାଜିନାମା ରଦ୍ଦ ସମ୍ବନ୍ଧରେ ଫାଇଲ୍‌ କରିଥିବା ଆବେଦନ ପତ୍ରରେ ମସ୍କ୍‌ଙ୍କ ଓକିଲ କହିଛନ୍ତି, ବାରମ୍ବାର ଅନୁରୋଧ କରାଯାଇଥିଲେ ବି ‘ଟୁଇଟର୍‌ ପ୍ଲାଟ୍‌ଫର୍ମ’ରେ ଥିବା ଜାଲ୍‌ ଆକାଉଣ୍ଟ୍‌ (ଫେକ୍‌ ବା ସ୍ପାମ୍‌ ଆକାଉଣ୍ଟ୍‌) ବିଷୟରେ ସୂଚନା ଦେବା ପାଇଁ ‘ଟୁଇଟର୍‌’ ଅଗ୍ରାହ୍ୟ କରି ଦେଇଛି କିଂବା ନିରୁତ୍ତର ରହିଛି। କମ୍ପାନିର ବ୍ୟାବସାୟିକ ପରିଚାଳନା ଲାଗି ଜାଲ୍‌ ଆକାଉଣ୍ଟ୍‌ ସଂକ୍ରାନ୍ତରେ ସୂଚନା ରଖିବା ଅତ୍ୟାବଶ୍ୟକ ବୋଲି ଉକ୍ତ ଆବେଦନ ପତ୍ରରେ ଉଲ୍ଲେଖ ଅଛି।

publive-image Image Courtesy of India Today

ଏହାଛଡ଼ା, ପଦସ୍ଥ ଅଧିକାରୀ ଏବଂ ‘ଟାଲେଣ୍ଟ୍‌ ଆକ୍ୟୁଜିସନ୍‌ ଟିମ୍‌’ରୁ ଏକତୃତୀୟାଂଶ କର୍ମଚାରୀଙ୍କୁ ‘ଟୁଇଟର୍‌’ ବହିଷ୍କାର କରିଥିବା କାରଣରୁ ମଧ୍ୟ ଉକ୍ତ ରାଜିନାମାରୁ ଓହରି ଯିବାକୁ ସ୍ଥିର କରିଛନ୍ତି ବୋଲି ମସ୍କ୍‌ କହିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ୍‌ ପ୍ରାରମ୍ଭରେ ମସ୍କ୍‌ ‘ଟୁଇଟର୍‌’ର ଭାଗିଦାରୀ ହେବା ପରେ କମ୍ପାନିର ସେୟାର୍‌ ଦର ହଠାତ୍‌ ବୃଦ୍ଧି ପାଇଥିଲା। କିନ୍ତୁ, ‘ଟୁଇଟର୍‌’କୁ ଖରିଦ କରିବେ ବୋଲି ଏପ୍ରିଲ୍‌ ୨୫ ତାରିଖରେ ମସ୍କ୍‌ ରାଜି ହେବା ପରେ ସେୟାର୍‌ ବଜାରରେ କମ୍ପାନିର ସେୟାର୍‌ ଦର କ୍ରମଶଃ ହ୍ରାସ ପାଇବାକୁ ଲାଗିଲା। କାରଣ ନିବେଶକାରୀଙ୍କର ମନେହେଲା ମସ୍କ୍‌ ରାଜିନାମାରୁ ଓହରି ଯାଇପାରନ୍ତି।

ସେହିପରି, ରାଜିନାମା ସର୍ତ୍ତ ଅନୁସାରେ, ଯଦି ମସ୍କ୍‌ ଏଥିରୁ ଓହରି ଯାଆନ୍ତି ତେବେ ତାଙ୍କୁ  ୧ ବିଲିୟନ୍‌ ଡଲାର୍‌ ଦେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe