ଏଆଇଏଡିଏମ୍‌କେ ମୁଖ୍ୟାଳୟରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ: ଇପିଏସ୍ ହେଲେ ଅନ୍ତରୀଣ ସାଧାରଣ ସମ୍ପାଦକ

ଦଳବିରୋଧୀ କାର୍ଯ୍ୟ ପାଇଁ ଓପିଏସ୍‌ ବହିଷ୍କୃତ

ଏଆଇଏଡିଏମ୍‌କେ ମୁଖ୍ୟାଳୟରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ: ଇପିଏସ୍ ହେଲେ ଅନ୍ତରୀଣ ସାଧାରଣ ସମ୍ପାଦକ

GNS News

ଚେନ୍ନାଇ: ଜେ ଜୟଲଳିତାଙ୍କ ମୃତ୍ୟୁର ୬ ବର୍ଷ ପରେ ସୋମବାର ଦଳର ସାଧାରଣ ପରିଷଦ ବୈଠକରେ ଏଡ଼ାପ୍ପାଡ଼ି କେ ପାଲାନିସ୍ବାମୀ (ଇପିଏସ୍‌)ଙ୍କୁ ଦଳର ଅନ୍ତରୀଣ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଦଳ ପକ୍ଷରୁ ଦ୍ବୈତ ନେତୃତ୍ବ ନୀତିର ଅନ୍ତ ଘଟାଇବା ସହ ଏକ ଡେପୁଟି ସାଧାରଣ ସମ୍ପାଦକ ପଦ ସୃ‌ଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ପରେ ଡେପୁଟି ଭାବେ ମନୋନୀତ ଓ ପନୀରସେଲବାମ୍ (ଓପିଏସ୍‌)ଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ବାହାର କରିଦିଆଯାଇଛି। ତାଙ୍କ ସମର୍ଥକ ଆର୍‌ ବୈଠିଲିଗାମ ଓ ପିଏଚ୍ ମନୋଜ ପାଣ୍ଡିଆନଙ୍କୁ ମଧ୍ୟ ଦଳରୁ ବାହାର କରି ଦିଆଯାଇଛି। ତେବେ ଇପିଏସ୍‌ଙ୍କୁ ସାଧାରଣ ସମ୍ପାଦକ କରାଯିବାକୁ ନେଇ ଏଆଇଏଡିଏମ୍‌କେ ମୁଖ୍ୟାଳୟ ବାହାରେ ଗଣ୍ଡଗୋଳ ଓ ହାତାହାତି ହୋଇଥିଲା। ଏଥିରେ ୨୫ ଜଣ କର୍ମୀ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ ଆଜି ଏଆଇଏଡିଏମ୍‌କେ ଦଳର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଇପିଏସ୍‌ଙ୍କୁ ସାଧାରଣ ସମ୍ପାଦକ ଭାବେ ଘୋଷଣା କରାଯାଇଥିଲା। କିନ୍ତୁ ଓପିଏସ୍ ଗୋଷ୍ଠୀ ଏହାକୁ ବିରୋଧ କରିବା ସହ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଗଣ୍ଠଗୋଳରେ ୨୫ ଜଣ କର୍ମୀ ଆହତ ହୋଇଥିଲେ। ଏହାପରେ ଇପିଏସ୍ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ ଅଭିଯୋଗ କରିଥିଲେ ଯେ ଓ’ ପନୀରସେଲବାମ୍ (ଓପିଏସ୍‌) ଶାସକ ଡିଏମ୍‌କେ ସହ ସମ୍ପର୍କ ରଖି ଅଫିସରୁ ଦଳର ଅନେକ ଜିନିଷ ନେଇଯାଇଛନ୍ତି। ଆବେଦନ ସତ୍ତ୍ବେ ଏଆଇଏଡିଏମ୍‌କେ ମୁଖ୍ୟାଳୟକୁ ପୁଲିସ ସୁରକ୍ଷା ପ୍ରଦାନ କରୁନାହିଁ ବୋଲି ସେ ଅଭିଯୋଗ କରିଥିଲେ। ଅନ୍ତରୀଣ ସାଧାରଣ ସମ୍ପାଦକ ଦାୟିତ୍ବ ନେବା ପରେ ଇପିଏସ୍ ହସ୍ପିଟାଲକୁ ଆସି ଆହତ କର୍ମୀମାନଙ୍କୁ ଭୋଟିଥିଲେ। ଆଜିର ସାଧାରଣ ପରିଷଦ ବୈଠକରେ ଏ ତାମିଲ ମହାନ ହୁସେନ ଅଧ୍ୟକ୍ଷତା କରିଥିଲେ। ସକାଳ ୯ଟା ୧୫ରେ ବୈଠକ ଆରମ୍ଭ ହୋଇଥିଲା। ମାଡ୍ରାସ ହାଇକୋର୍ଟ ବୈଠକ କରିବା ସପକ୍ଷରେ ରାୟ ଦେବା ପରେ ଏହାର ଆରମ୍ଭ ହୋଇଥିଲା। କାରଣ ବୈଠକ ଉପରେ ରହିତାଦେଶ ଜାରି କରିବାକୁ ଦାବି କରି ଓପିଏସ୍ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe