ଦୁଇ ନରରାକ୍ଷସ

ଦୁଇ ନରରାକ୍ଷସ

କେଡ଼େ ହ୍ୟାଣ୍ଡସମ୍ ଚେହେରା! କେତେ ସୁଗଠିତ ଶରୀର! ଏକ ମହାଶକ୍ତିର ରାଷ୍ଟ୍ରନାୟକ ହୋଇ ମଧ୍ୟ ଲୋକଙ୍କ ସହ କେତେ ଚମତ୍କାର ଆଇସ୍‌ ହକି ଖେଳୁଛନ୍ତି! ଆମ ନେତାମାନେ ଏମିତି ଅସୀମିତ ଶକ୍ତି ଓ ଶୌର୍ଯ୍ୟର ପ୍ରତୀକ ହୁଅନ୍ତେନି! ପୁଟିନ୍‌ଙ୍କ ଫଟୋଟିଏ କିଏ ପୋଷ୍ଟ କଲେ ଏକଦା ଏପରି ମତମନ୍ତବ୍ୟରେ ଭର୍ତ୍ତି ହୋଇଯାଉଥିଲା ସାମାଜିକ ଗଣମାଧ୍ୟମର କମେଣ୍ଟ ବକ୍ସଗୁଡ଼ିକ। କିଛି ବି ଶୁଣିବାକୁ ରାଜି ନ ଥିଲେ ତାଙ୍କ ପ୍ରଶଂସକ। ଏପରିକି ତାଙ୍କ ରାସଲୀଳାକୁ ମଧ୍ୟ ‘ପାଶ୍ଚାତ୍ୟରେ ଏପରି ଚଳେ’ କହି ହସି ଉଡ଼ାଇଦେଉଥିଲେ। ପୁଟିନ୍ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିବାର ବର୍ଷେ ପରେ ଯେ ତାଙ୍କର ଜନପ୍ରିୟତା ପୂରା ଶୂନ ହୋଇଯାଇଛି, ସେ କଥା ନୁହେଁ। ଆମେରିକୀୟ ଆଧିପତ୍ୟକୁ ବିରୋଧ କରୁଥିବା ଲୋକେ ତ ସ୍ବାଭାବିକ ଭାବେ ଏବେ ମଧ୍ୟ ପୁଟିନ୍‌ଙ୍କ ସପକ୍ଷରେ ଅଛନ୍ତି।

ଜେଲେନସ୍କିଙ୍କ ସମାଲୋଚକମାନେ ମଧ୍ୟ ପୁଟିନ୍‌ଙ୍କ ପାଇଁ ବିଭିନ୍ନ ଯୁକ୍ତି ବାଢ଼ୁଛନ୍ତି। ହେଲେ ଗୋଟିଏ କଥା ଉଲ୍ଲେଖନୀୟ। ପୁଟିନ୍‌ଙ୍କୁ ଆଗରୁ ଭଲ ପାଉଥିବା କିମ୍ବା ତାଙ୍କ ବିଷୟରେ ପୂର୍ବରୁ ଆଦୈା କିଛି ମତ ରଖୁନଥିବା ବେଶ୍‌ କିଛି ଲୋକ ଏବେ ତାଙ୍କୁ ବିଶ୍ବର ସର୍ବକାଳୀନ ଅନ୍ୟତମ ଘୃଣିତ ବ୍ୟକ୍ତି ଭାବେ ଅଭିହିତ କରୁଛନ୍ତି। ସେମାନଙ୍କ ମତରେ ହିଟଲରଙ୍କଠାରୁ ମଧ୍ୟ ଏଇ ଲୋକଟି ଅଧିକ ମାରାତ୍ମକ। କାରଣ ପ୍ରାୟ ଶହେ ବର୍ଷ ବ୍ୟବଧାନରେ କରୋନା ମହାମାରୀ ଭଳି ବିଶ୍ବିକ ସଙ୍କଟକୁ ଯୁଝୁଥିବା ବେଳେ ମାନବଜାତି ଉପରେ ଏତେ ବଡ଼ ଯୁଦ୍ଧଟିଏ ସେ ଲଦିଦେଇଛନ୍ତି। ଯୁଦ୍ଧ ପାଇଁ ଯେତେ କାରଣ ଥାଉ ନା କାହିଁକି, ଯୋଉ ସମୟରେ ସେ ବିଶ୍ବବାସୀଙ୍କ ଉପରେ ଯୁଦ୍ଧଟିଏ ଲଦିଦେଲେ, ତାଙ୍କୁ ନରରାକ୍ଷସ କୁହାଯିବନି ତ ଆଉ କ’ଣ କୁହାଯିବ ବୋଲି ପ୍ରଶ୍ନ ହେଉଛି।

publive-image

ଜେଲେନ୍‌ସ୍କିଙ୍କୁ ମଧ୍ୟ କମ୍ ଟ୍ରୋଲ୍ ହେଉନାହିଁ। ହାସ୍ୟାଭିନେତାଙ୍କ ହାତରେ ଶାସନ ଦେଲେ ଦେଶବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗିବେନି ତ ଆଉ କ’ଣ? ସ୍ବାଭିମାନର ଏକ ଭୁଲ୍‌ ବ୍ୟାଖ୍ୟା କରୁଛନ୍ତି ସେ। ଯେଉଁ ମୁହୂର୍ତ୍ତରେ ସେ ପଦରୁ ଓହରିଯାଇଥିଲେ ଯୁଦ୍ଧକୁ ଏଡ଼ାଯାଇପାରିଥା’ନ୍ତା, ନିଜ ଦେଶବାସୀଙ୍କ ଧନଜୀବନର ସୁରକ୍ଷା ପାଇଁ ସେ ସେତେବେଳେ ସେଭଳି କିଛି କରିବାର ଥିଲା। ତଥାକଥିତ ରାଷ୍ଟ୍ରୀୟ ସ୍ବାର୍ଥ ଓ ସାର୍ବଭୈାମତ୍ବର ଦ୍ବାହି ଦେଇ ରାଷ୍ଟ୍ର ପାଇଁ ବଳିଦାନ କଥା କହୁଥିବା ଏଇ ଦୁଇନେତା ଏପରି ଏକ ଚରମ ନିଷ୍ପତ୍ତି ନେବା ପୂର୍ବରୁ, ଲୋକେ ପ୍ରକୃତରେ କ’ଣ ଚାହାନ୍ତି, ଜାଣିବାକୁ ଚେଷ୍ଟା କରିଥିଲେ କି? ଲକ୍ଷଲକ୍ଷ ଲୋକଙ୍କର ଧନଜୀବନର ଧ୍ବଂସଲୀଳା ଘଟାଇ ଏ ଦୁହେଁ କି ଲାଭ ପାଇଲେ? ଦେଶପ୍ରେମ ଆଗରେ ସବୁ ତୁଚ୍ଛ ବୋଲି କହି ଏପରି ନରପୈଶାଚିକ କାଣ୍ଡକୁ ଯାଥାର୍ଥ୍ୟ ପ୍ରଦାନ କରୁଥିବା ଲୋକଙ୍କ ପରିବାର ବର୍ଗ ନିଜେ ଏପରି ବର୍ବରତାର ଶିକାର ହେଲାପରେ ବି ଯଦି ନିଜ ମତକୁ ସେମାନେ ଅପରିବର୍ତ୍ତିତ ରଖନ୍ତେ ତାହାହେଲେ ଯାଇ ସିନା ତାଙ୍କ କଥା ଧରାଯା’ନ୍ତା! ଯୁଗ ଆସିକି କୋଉଠି ହେଲାଣି! ଅପାର୍ଟମେଣ୍ଟଗୁଡ଼ିକୁ କ୍ଷେପଣାସ୍ତ୍ରରେ ଉଡ଼ାଇ ଲୋକଙ୍କୁ ପୋକମାଛି ପରି ମାରିବ? ୩ ଲକ୍ଷ ସୈନ୍ୟ, ୩୦ ହଜାର ସାଧାରଣ ଜନତାଙ୍କର ମୃତ୍ୟୁର କାରଣ ସାଜିବ? ପାଖାପାଖି ୧୪ ନିୟୁତ ଲୋକଙ୍କୁ ବିସ୍ଥାପିତ କରିବ? ୧୩୮ ଶହ କୋଟି ଡଲାର ଯୁଦ୍ଧରେ ସାରିବ? କ’ଣ ସେଥିପାଇଁ ତୁମକୁ ଈଶ୍ବର ଏ ଧରାପୃଷ୍ଠକୁ ପଠାଇଥିଲେ? ନିଟିଜେନ୍‌ମାନେ ନିରବଦ୍ରଷ୍ଟା ସାଜିଥିବା ବିଶ୍ବ ସମୁଦାୟକୁ ‘ନପୁଂସକ’ ଭଳି ଶବ୍ଦରେ ଗାଳିଦେଇ ଜାତିସଂଘରେ ଭାରତର ଭୂମିକାର ଔଚିତ୍ୟକୁ ମଧ୍ୟ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ, ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷ୍ ସହ ସମ୍ପର୍କର ସଂଜ୍ଞା ପୁନଃ ନିର୍ଦ୍ଧାରଣକୁ ‘ଦେଶଦ୍ରୋହ’ର ଆଖ୍ୟା ଦେଇ ମୋଦୀ ସମର୍ଥକମାନେ ପାଲଟା ଜବାବ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe