ତରୁଣକାନ୍ତି ମିଶ୍ର ପାଇବେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର

Advertisment

ସାନ୍ତାଳୀ ଭାଷା ପାଇଁ କାଳୀଚରଣ ହେମ୍ବ୍ରମ

ସାନ୍ତାଳୀ ଭାଷା ପାଇଁ କାଳୀଚରଣ ହେମ୍ବ୍ରମ

ତରୁଣକାନ୍ତି ମିଶ୍ର ପାଇବେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର

ଭୁବନେଶ୍ବର : ୨୦୧୯ର କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଘୋଷିତ ହୋଇଛି। ଗଳ୍ପ ସଙ୍କଳନ ‘ଭାସ୍ବତୀ’ ପାଇଁ ଏହି ପୁରସ୍କାର ପାଇବେ ବିଶିଷ୍ଟ ଓଡ଼ିଆ ଗାଳ୍ପିକ ଡକ୍ଟର ତରୁଣକାନ୍ତି ମିଶ୍ର। ପୁରସ୍କାର ଘୋଷଣା ହେଲାପରେ ସେ କହିଛନ୍ତି, ‘ଏଭଳି ଆନୁଷ୍ଠାନିକ ସ୍ବୀକୃତି ମୋତେ ଆନନ୍ଦ ଦେଇଛି, କିନ୍ତୁ ଏହା ସାମୟିକ ଆନନ୍ଦ। ଜଣେ ପାଠକର ମନ ଭିତରେ ସ୍ଥାନଟିଏ ତିଆରି ପାରିବା ହେଉଛି ସବୁଠୁ ବଡ଼ କଥା। ଆନୁଷ୍ଠାନିକ ସ୍ବୀକୃତି ଏବଂ ପାଠକୀୟ ଶ୍ରଦ୍ଧା ଭିତରେ ପାର୍ଥକ୍ୟ ରହିଛି। ଯେଉଁ ପାଠକମାନେ ମୋତେ ଶ୍ରଦ୍ଧା ଦେଇଛନ୍ତି ସେମାନଙ୍କ ନିକଟରେ ମୁଁ କୃତଜ୍ଞ। ପାଠକ ହେଉଛନ୍ତି ଲେଖକର ଶ୍ରେଷ୍ଠ ବିଚାରକ। ‘ଭାସ୍ବତୀ’ ଗଳ୍ପ ସଙ୍କଳନ ମୋର ଅନ୍ୟ ପୁସ୍ତକଠାରୁ ଶ୍ରେଷ୍ଠ ବୋଲି ମୁଁ କହିପାରିବି ନାହିଁ। ଏଥିରେ ‘ଭାଇ’ ଏବଂ ‘ଲଳିତ ଆଖ୍ୟାନ’ ଭଳି ମୋର ପ୍ରିୟ ଗଳ୍ପ ରହିଛି।’

ଶ୍ରୀ ମିଶ୍ର ୧୯୫୦ ମସିହାରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ମାତ୍ର ୧୪ ବର୍ଷ ବୟସ ହେଉଥିବାବେଳେ ‘ଆସନ୍ତାକାଲି’ ପତ୍ରିକାରେ ପ୍ରକାଶିତ ହୋଇଥିଲା ତାଙ୍କର ପ୍ରଥମ ଗଳ୍ପ ‘ହେ ପୃଥିବୀର ନାଗରିକ’। ୧୯୬୮ରେ ବିଜେବି କଲେଜରେ ପଢ଼ିବା ସମୟରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଆବର୍ତ୍ତର ଦୁଇଟି ସ୍ବର’ ପ୍ରକାଶିତ ହୋଇଥିଲା। ଏଯାବତ ତାଙ୍କର ଅଠରଟି ଗଳ୍ପ ସଂକଳନ ଓ କୋରାପୁଟ ଦଣ୍ଡକାରଣ୍ୟ ଉପରେ ପର୍ଯ୍ୟବସିତ ଗୋଟିଏ ଉପନ୍ୟାସ ‘ଶରଦଃ ଶତମ୍’ ପ୍ରକାଶିତ ହୋଇ ପ୍ରଚୁର ପାଠକୀୟତା ଅର୍ଜନ କରିଛି। ତାଙ୍କର ଗଳ୍ପ ସଙ୍କଳନ ମଧ୍ୟରେ ରହିଛି ‘ଆଜି ରାତିର ଗଳ୍ପ’, ‘ବହୁବ୍ରିହୀ’, ‘କୋମଳ ଗାନ୍ଧାର’, ‘ଜହ୍ନ ରାତିର ଗପ ସରିନାହିଁ’, ‘ସକାଳର ମାନଚିତ୍ର’, ‘ବୀତଂସ’ ଏବଂ ‘କେହି ଜଣେ ଏକା ଏକା’ ଇତ୍ୟାଦି। ନିଜ ଗଳ୍ପଗୁଡ଼ିକରେ ସେ କୋମଳ ଭାବର ବନ୍ଧନ, ଜୀବନର ନାନାବିଧ ସୂକ୍ଷ୍ମାତିସୂକ୍ଷ୍ମ ଅନୁଭବ, ମଧୁର ସ୍ମୃତି ଓ ଭାବଭରା ପ୍ରେମକୁ ସାବଲୀଳ ଢଙ୍ଗରେ କହିଥାନ୍ତି। ୧୯୭୫ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ସେ ୨୦୧୦ରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିଛନ୍ତି। ଅବସର ପରେ ସେ ଓଡ଼ିଶା ସରକାରଙ୍କ ମୁଖ୍ୟ ସୂଚନା କମିସନର ଦାୟିତ୍ବ ମଧ୍ୟ ନିର୍ବାହ କରିଛନ୍ତି। ଏହା ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ସାରଳା ପୁରସ୍କାର, ନୂଆଦିଲ୍ଲୀର କଥା ପୁରସ୍କାର ଆଦି ଅନେକ ସମ୍ମାନଜନକ ପୁରସ୍କାର ପାଇଛନ୍ତି।

ସେହିପରି ସାନ୍ତାଳୀ ଭାଷାରେ ସାହିତ୍ୟ ଅକାଦେମି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଓଡ଼ିଶାର ବିଶିଷ୍ଟ ସାନ୍ତାଳୀ ଲେଖକ କାଳୀଚରଣ ହେମ୍ବ୍ରମ। ତାଙ୍କ ଗଳ୍ପ ସଙ୍କଳନ ‘ଶିଶିରଜାଲି’ ପାଇଁ ସେ ଏହି ପୁରସ୍କାର ପାଇ‌େବ। ଏଥର ଶଶି ଥରୁର (ଇଂରାଜୀ), ଜୟଶ୍ରୀ ଗୋସ୍ବାମୀ (ଅହମିୟା), ଚିନ୍ମୟ ଗୁହା (ବଙ୍ଗଳା) ଏବଂ ନନ୍ଦ କିଶୋର ଆଚାର୍ଯ୍ୟ (ହିନ୍ଦୀ) ଆଦି ବିଶିଷ୍ଟ ଲେଖକ ୨୩ଟି ଭାଷାର ପୁରସ୍କାର ପାଇଁ ମନୋନୀତ ହୋଇଥିବାବେଳେ ନେପାଳୀ ଭାଷାର ପୁରସ୍କାର ଘୋ‌ଷଣା କରାଯାଇ ନାହିଁ।

୨୦୨୦ ଫେବ୍ରୁଆରି ୨୫ରେ ନୂଆଦିଲ୍ଲୀରେ ହେବାକୁଥିବା ଅକାଦେମିର ସାହିତ୍ୟୋତ୍ସବରେ ଶ୍ରୀ ମିଶ୍ରଙ୍କୁ ତାମ୍ରଫଳକ ସହିତ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଏଥର ଓଡ଼ିଆ ବିଭାଗର ପୁରସ୍କାର ପାଇଁ ବିଚାରକ ଥିଲେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରଫୁଲ୍ଲ ମହାନ୍ତି, ଡକ୍ଟର ମାଳବିକା ରାୟ ଏବଂ ଡକ୍ଟର ଫନୀ ମହାନ୍ତି। ଅକାଦେମିର ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସଭା ଶେଷରେ ସଚିବ କେ. ଶ୍ରୀନିବାସ ରାଓ ଚଳିତ ବର୍ଷର ଅକାଦେମି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe