Image Courtesy: News Live
ଭୋପାଳ: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଶନିବାର ତିନି ଜଣ ପୁଲିସଙ୍କୁ ଗୁଳି କରି ହତ୍ୟା କରିଥିବା ଦୁଇ ଜଣ ଶିକାରୀଙ୍କୁ ଆଜି (ସୋମବାର) ବିଭିନ୍ନ ସ୍ଥାନରେ ଚଢାଉ ଏବଂ ସର୍ଚ୍ଚ ଅପରେସନ କରି ଏନକାଉଣ୍ଟର ଦ୍ୱାରା ହତ୍ୟା କରାଯାଇଛି ବୋଲି ପୁଲିସ କହିଛି।
ସୂତ୍ରରୁ ପ୍ରକାଶ ଯେ ଏନକାଉଣ୍ଟରରେ ପୁଲିସ ଅଭିଯୁକ୍ତ ଶିକାରୀମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ଗୁଳି କରି ହତ୍ୟା କରିଛି। ତେବେ, ପୁଲିସ ଅଧିକାରୀମାନେ କିନ୍ତୁ ଏହାକୁ ନିଶ୍ଚିତ କରିନାହାନ୍ତି ଏବଂ କହିଛନ୍ତି ଯେ ପୁଲିସ ଦୁଇ ଜଣ ଶିକାରୀଙ୍କୁ ଏନ୍କାଉଣ୍ଟରରେ ହତ୍ୟା କରିଛି।
ପୁଲିସ ସୂଚନା ଅନୁଯାୟୀ, ମୁଖ୍ୟ ଅପରାଧୀ ନୌଶାଦ ଖାନ ମେୱାଟି ଏବଂ ତା’ ଭାଇ ଶେହଜାଦକୁ ବିଭିନ୍ନ ସ୍ଥାନରେ ପୁଲିସ ଏନକାଉଣ୍ଟରରେ ଗୁଳି କରି ହତ୍ୟା କରିଛି। ଗୁନା ଆରକ୍ଷୀ ଅଧୀକ୍ଷକ ରାଜୀବ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ଆଠ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ପୁଲିସ ଗୁଳି କରି ହତ୍ୟା କରିଥିଲା ଏବଂ ଦୁଇଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ, ଏହି ମାମଲାରେ ଚାରିଜଣ ଫେରାର ଅଛନ୍ତି।
Image Courtesy: News Liveମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ କର୍ତ୍ତୃପକ୍ଷ ଏବଂ ପୁଲିସ ଶନିବାର ଦିନ ଚାରିଟି ବୁଲଡୋଜର ନିୟୋଜିତ କରି ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ନୌଶାଦ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଘର ଭାଙ୍ଗି ଦେଇଥିଲେ। ବନ୍ୟଜନ୍ତୁଙ୍କୁ ଶିକାର ଓ ପୁଲିସକୁ ହତ୍ୟା କରିବା ସନ୍ଦେହରେ ପ୍ରାୟ ଏକ ଡଜନ ଲୋକଙ୍କୁ ମଧ୍ୟ ଅଟକ ରଖିଥିଲା ପୁଲିସ ଏବଂ ସେମାନଙ୍କୁ ପଚରାଉଚରା କରାଯାଉଥିଲା।
ଉଲ୍ଲେଖଯୋଗ୍ୟ, ଶନିବାର ପ୍ରତ୍ୟୁଷ ପ୍ରାୟ ୩.୩୦ ସମୟରେ ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ଆରୋନ ପୁଲିସ ଥାନା ଅଧୀନରେ ସାଗା ବରଖେଡା ଗ୍ରାମ ନିକଟସ୍ଥ ଶାହରୋକ ରୋଡରେ ବେଆଇନ ଭାବେ ମୟୂର ଶିକାର କରିବାରେ ଜଡିତ ପ୍ରାୟ ଆଠ ଜଣ ଶିକାରୀଙ୍କୁ ଏକ ପୁଲିସ ଦଳ ଧରିବାକୁ ଚେଷ୍ଟା କରୁଥିବା ବେଳେ ଶିକାରୀମାନେ ତିନି ଜଣ ପୁଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଏବଂ ଅନ୍ୟ ଜଣଙ୍କୁ ଗୁରୁତର ଆହତ କରିଥିଲେ। ରାଜ୍ୟ ରାଜଧାନୀ ଭୋପାଳଠାରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲା।
Follow Us