Image Courtesy of Zee News
ନୂଆଦିଲ୍ଲୀ: ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ଖୋଦେଇ ହୋଇ ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ ହେବା ପାଇଁ ନେପାଳରୁ ଅଣାଯାଇଥିବା ଦୁଇଟି ପ୍ରକାଣ୍ଡ ଦୁର୍ଲଭ ଶିଳାଖଣ୍ଡ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପହଞ୍ଚିଛି।
ବିଶ୍ବ ହିନ୍ଦୁ ପରିଷଦ୍ର ଜାତୀୟ ସମ୍ପାଦକ ରାଜେନ୍ଦ୍ର ସିଂହ ପଙ୍କଜ ସେ ଦୁଇ ପବିତ୍ର ଶିଳାଖଣ୍ଡକୁ ନେପାଳର ମୁସ୍ତାଙ୍ଗ ଜିଲ୍ଲାରୁ ଆଣିଥିଲେ। ୬୦୦ ଲକ୍ଷ ବର୍ଷ ପ୍ରାଚୀନ ବୋଲି କୁହାଯାଉଥିବା ଏହି ଶାଳଗ୍ରାମ ଶିଳାଖଣ୍ଡଗୁଡ଼ିକ ଭିନ୍ନ ଭିନ୍ନ ଟ୍ରକ୍ରେ ନେପାଳରୁ ଅଯୋଧ୍ୟାକୁ ଅଣାଯାଇଛି। ସେଥିରୁ ଗୋଟିଏ ଶିଳାଖଣ୍ଡର ଓଜନ ୨୬ ଟନ୍ ହୋଇଥିବା ବେଳେ ଆରଟି ୧୪ ଟନ୍ ଓଜନ ବୋଲି କୁହାଯାଉଛି।
ପୁରୋହିତ ଓ ସ୍ଥାନୀୟ ଜନତା ପବିତ୍ର ଶିଳା ଦୁଇଟିକୁ ପ୍ରଭୁ ରାମଙ୍କ ଜନ୍ମସ୍ଥଳୀକୁ ସ୍ବାଗତ କରି ଫୁଲହାର ପିନ୍ଧାଇ ପୂଜାର୍ଚ୍ଚନା କରିବା ପରେ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’କୁ ହସ୍ତାନ୍ତର କରିଛନ୍ତି।
Image Courtesy of ANIନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଗଣମାଧ୍ୟମକୁ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ର ସାଧାରଣ ସଚିବ ଚମ୍ପତ ରାୟ କହିଛନ୍ତି, ନେପାଳରେ କାଳୀ ଗଣ୍ଡକୀ ନାମରେ ଜଳପ୍ରପାତଟିଏ ଅଛି। ଗଣ୍ଡକୀସ୍ଥିତ ଗଣେଶ୍ବର ଧାମର ଉତ୍ତରକୁ ପ୍ରାୟ ୮୫ କିଲୋମିଟର୍ ଦୂର ଦାମୋଦର କୁଣ୍ଡରୁ ଏହାର ସୃଷ୍ଟି। ଦୁଇଟିଯାକ ଶିଳାଖଣ୍ଡ ସେଠାରୁ ଅଣାଯାଇଛି। ସେ ସ୍ଥାନଟି ସମୁଦ୍ର ପତ୍ତନଠାରୁ ୬୦୦୦ ଫୁଟ୍ ଉଚ୍ଚରେ ଅବସ୍ଥିତ।
Follow Us