ଗରମ ସାମ୍ବର ହଣ୍ଡାରେ ପଡ଼ି ଜନ୍ମଦିନରେ ଶିଶୁର ହେଲା ମୃତ୍ୟୁ

ଗରମ ସାମ୍ବର ହଣ୍ଡାରେ ପଡ଼ି ଜନ୍ମଦିନରେ ଶିଶୁର ହେଲା ମୃତ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା‌ର କାଲାଗାର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଲୋକଙ୍କ ଖାଇବା ପାଇଁ ରଖାଯାଇଥିବା ଗରମ ସାମ୍ବର ହଣ୍ଡାରେ ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃ୍ତ ଶିଶୁର ବୟସ ଦୁଇବର୍ଷ ପାଖାପାଖି ହେବ, ନାମ ତେଜସ୍ବୀ ବୋଲି କୁହାଯାଉଛି।

ପୁଲିସର କହିବାନୁସାରେ, ଶିବା ଓ ଭାନୁମତଙ୍କ ଝିଅ ତେଜସ୍ବୀର ଜନ୍ମଦିନ ଥିଲା। ତେଣୁ ସେ ତାର ସାଙ୍ଗ ପିଲାଙ୍କ ସହିତ ଘର ବାହାରେ ଖେଳୁଥିଲା। ଆଉ ଝିଅର ଜନ୍ମଦିନ ପାଇଁ ଆସିଥିବା ଅତିଥିଙ୍କୁ ଶିବା ଓ ଭାନୁମତ ଖାଇବା ଦେଉଥିଲେ। ଏତିକି ବେଳେ ରୋଷେଇ ଘରେ ଗରମ ସାମ୍ବର ହଣ୍ଡା ରଖା ଯାଇଥିଲା।

ସାଙ୍ଗ ପିଲାଙ୍କ ସହିତ ଘର ବାହାରେ ଖେଳୁଥିବା ବେଳେ ତେଜସ୍ବୀ କେତେବେଳେ ଘର ଭିତରକୁ ଚାଲି ଆସି ରୋଷେଇ ଘରେ ପଡ଼ିଥିବା ଏକ ଚୌକି ଉପରେ ଚଢ଼ି ଯାଇଥିଲା। ଯେମିତି ସେ ଚୌକି ଉପରେ ଚଢ଼ିଥିଲା ନିଜ ଉପରେ ଭାରସାମ୍ୟ ରଖି ପାରି ନଥିଲା। ଫଳରେ ସେ ତଳେ ରଖାଯାଇଥିବା ଗରମ ସାମ୍ବର ହଣ୍ଡାରେ ପଡ଼ିଯାଇଥିଲା।

ଶବ୍ଦ ଶୁଣି ତେଜସ୍ବୀ ମା’ ଓ ବାପା ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଆଉ ଝିଅର ଏଭଳି ଅବସ୍ଥା ଦେଖି ପାଗଳପ୍ରାୟ ହୋଇଯାଇଥିଲେ ମା’। ସଙ୍ଗେସଙ୍ଗେ ପରିବାରଲୋକ ତେଜସ୍ବୀକୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲ ତିରୁଭୁରୁକୁ ନେଇଥିଲେ। ସେଠାରେ ଡାକ୍ତର ବିଜୟୱାଡାକୁ ସ୍ଥାନାନ୍ତର କରି ଦେଇଥିଲେ। ହେଲେ ଡାକ୍ତର ସେଠାରେ ତେଜସ୍ବୀକୁ ମୃତ ଘୋଷଣା କରିଥିଲେ। ଝିଅ ଜନ୍ମଦିନରେ ଘର ହସଖୁସିରେ ପୂରି ଉଠୁଥିବା ବେଳେ ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe