ସେବୁ: ବୁଧବାର ଦକ୍ଷିଣ-ପୂର୍ବ ଏସୀୟ ଦେଶ ଫିଲିପାଇନ୍ସରେ ଘୂର୍ଣ୍ଣିବାତ୍ୟା କାଲମେଗି ଭୟଙ୍କର ତାଣ୍ଡବ ସୃଷ୍ଟି କରିଛି। ଏଥିରେ ଅଦ୍ୟାବଧି ୧୧୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଗଛ ଉପୁଡ଼ିବା, ବାତ୍ୟାଜନିତ ବନ୍ୟାରେ ଅଞ୍ଚଳ ଓ ଘରଗୁଡ଼ିକ ଜଳମଗ୍ନ ହେବା ଏବଂ ଛାତ ଉଡ଼ିଯିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ୍ ଜୁନିୟର ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଉଦ୍ଧାରକାରୀ କର୍ମଚାରୀମାନେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣପଣ ଉଦ୍ୟମ କରୁଛନ୍ତି।
ଏକ ଶକ୍ତିଶାଳୀ ଭୂକମ୍ପରେ ୭୨ ଜଣଙ୍କର ମୃତ୍ୟୁ ଏବଂ ୧୪୦ରୁ ଅଧିକ ଆହତ ହେବାର ଏକ ମାସରୁ କମ୍ ସମୟ ମଧ୍ୟରେ ଏହି ଟାଇଫୁନ୍ ଆସିଥିଲା। ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ଅନ୍ୟ ଏକ ଟ୍ରପିକାଲ୍ ବାତ୍ୟା ଏକ ସୁପର ଟାଇଫୁନରେ ପରିଣତ ହୋଇପାରେ ଏବଂ ଆସନ୍ତା ସପ୍ତାହରେ ଉତ୍ତର ଫିଲିପାଇନ୍ସକୁ ଧକ୍କା ଦେଇପାରେ। କାଲମେଗି ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ପ୍ରଦେଶ ହେଉଛି ସେବୁ। ଫିଲିପାଇନ୍ସର ଦକ୍ଷିଣ ପ୍ରଦେଶ ଆଗୁସାନ୍ ଡେଲ୍ ସୁରରେ ରିଲିଫ୍ ସାମଗ୍ରୀ ବଣ୍ଟନ କରିବାକୁ ଯାଉଥିବା ବେଳେ ଫିଲିପାଇନ୍ସର ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଛଅ ଜଣଙ୍କର ମୃତ୍ୟୁ ଘଟିଛି। ସରକାରୀ ଆକଳନ ଅନୁଯାୟୀ, ଏହି ଘୂର୍ଣ୍ଣିବାତ୍ୟା ପ୍ରାୟ ୨ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି ଏବଂ ୫,୬୦,୦୦୦ରୁ ଅଧିକ ଗ୍ରାମବାସୀଙ୍କୁ ବିସ୍ଥାପିତ କରିଛି। ଫିଲିପାଇନ୍ସ ପ୍ରତିବର୍ଷ ପ୍ରାୟ ୨୦ଟି ଟାଇଫୁନ୍ ଓ ଝଡ଼ ଦ୍ୱାରା ପ୍ରଭାବିତ ହୁଏ। ଏକ ଡଜନରୁ ଅଧିକ ଆଗ୍ନେୟଗିରି ଥିବା ଏହି ଦେଶ ମଧ୍ୟ ପ୍ରାୟତଃ ଭୂକମ୍ପ ଦ୍ୱାରା ପ୍ରଭାବିତ ହୁଏ।
Follow Us