(Photo: Twitter/MP Lodha)
ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍(ସିଏଏ) ବିରୋଧରେ କଥା ହେଉଥିବା ଜଣେ ବ୍ୟକ୍ତଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳକୁ ନନେଇ ତାଙ୍କୁ ନେଇ ପୁଲିସ୍ ଷ୍ଟେସନ୍ରେ ପହଞ୍ଚାଇଥିବା ଜଣେ ଉବେର ଚାଳକଙ୍କୁ ରବିବାର ଚାକିରିରୁ ନିଲମ୍ବନ କରି ଦେଇଛି କମ୍ପାନି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖିବା କମ୍ପାନିର ପ୍ରଥମ କାମ। ଚାଳକ ରୋହିତ ଗୌର୍ ଯାତ୍ରୀଙ୍କ ବିଶ୍ବାସ ଭଙ୍ଗ କରିବା ସହ କମ୍ପାନିର ନିୟମ ଭାଙ୍ଗିଛନ୍ତି। ଏହି କାରଣରୁ ତଦନ୍ତ ପୂରା ନହେବା ପର୍ଯ୍ୟନ୍ତ ରୋହିତଙ୍କୁ ଗାଡ଼ି ଚଳାଇବାର ଅନୁମତି ଛଡ଼ାଇ ନିଆଯାଉଛି ବୋଲି କମ୍ପାନି ପକ୍ଷରୁ କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୫ ତାରିଖରେ ବାପାଦିତ୍ୟ ସରକାର ନାମକ ଜଣେ ବ୍ୟକ୍ତି ଏକ ଉବେର ଟ୍ୟାକ୍ସିରେ ଯାତ୍ରା କରୁଥିଲେ। ଉବେରରେ ଯାତ୍ରା କରିବା ସମୟରେ ସେ ସିଏଏକୁ ବିରୋଧ କରି ଆନ୍ଦେଳନ କରିବା ନେଇ କାହା ସହ ଫୋନ୍ରେ କଥା ହେଉଥିଲେ। ତାଙ୍କ କଥା ଶୁଣିବା ପରେ ଉବେର ଚାଳକ ରୋହିତ ତାଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳକୁ ନେବା ବଦଳରେ ସାନ୍ତାକ୍ରଜ୍ ପୁଲିସ୍ ଷ୍ଟେସନ୍କୁ ନେଇ ଯାଇଥିଲେ।
ଉବେର ଚାଳକଙ୍କର ଏପରି ସାହସିକତା ହେତୁ ତାଙ୍କୁ ଶନିବାର ମୁମ୍ବାଇ ବିଜେପିି ମୁଖ୍ୟ ଏମ୍ପି ଲୋଧା ସମ୍ମାନିତ ମଧ୍ୟ କରିଥିଲେ। ତାଙ୍କୁ ଦଳ ପକ୍ଷରୁ ‘ଆଲର୍ଟ ସିଟିଜନ୍ ଆୱାର୍ଡ’ ବା ସଚେତନ ନାଗରିକ ପୁରସ୍କାର ପ୍ରଦାନ କରାଯାଇଥିଲା। ରୋହିତଙ୍କୁ ସମ୍ମାନିତ କରିବା ପରେ ଲୋଧା ଟ୍ବିଟ୍ କରି ଲେଖିଥିଲେ, ‘ନାଗରିକତା ସଂଶୋଧନ ଆଇନ୍(ସିଏଏ)କୁ ବିରୋଧ କରି ଆନ୍ଦୋଳନ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ହାତରେ ଧରାଇ ଦେଇଥିବା କାରଣରୁ ମୁଁ ଆଜି ଉବେର ଚାଳକ ରୋହିତ ଗୌରଙ୍କୁ ସମ୍ମାନିତ କଲି। ରୋହିତଙ୍କୁ ମୁଁ ମୁମ୍ବାଇବାସୀଙ୍କ ପକ୍ଷରୁ ‘ଆଲର୍ଟ ସିଟିଜନ୍ ଆୱାର୍ଡ’ ପ୍ରଦାନ କଲି।’
Follow Us