କହ୍ନୈୟାଲାଲ ମୃତ୍ୟୁ ଘଟଣା: ଦେଶରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ କରିବାର ସମୟ ଆସିଛି ବୋଲି କହିଲେ ଗେହଲଟ

କହ୍ନୈୟାଲାଲ ମୃତ୍ୟୁ ଘଟଣା: ଦେଶରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ କରିବାର ସମୟ ଆସିଛି ବୋଲି କହିଲେ ଗେହଲଟ

ଉଦୟପୁର: ପ୍ରଫେଟ ମହମ୍ମଦଙ୍କ ବାବଦରେ ବିବାଦୀୟ ଟିପ୍ପଣୀ ଦେଇ ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବା ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି। ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଯୁବକଙ୍କୁ ଆଜି ଦିନ ଦ୍ଵିପ୍ରହରରେ ଦୁଇ ଜଣ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ରାଜସ୍ଥାନର ଉଦୟପୁରରୁ ଏହି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଯୋଗୁଁ ସହରରେ ଉତ୍ତେଜନା ଦେଖାଦେବା ସହ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ବିଜେପି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଇସ୍ତଫା ଦାବି କରୁଥିବା ବେଳେ ଗେହଲଟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କୁ ଶାନ୍ତି ପାଇଁ ଲୋକଙ୍କୁ ନିବେଦନ କରିବା ଉଚିତ।

ସେ କହିଛନ୍ତି ଯେ, ଜଣେ ଯୁବକଙ୍କର ଏଭଳି ହତ୍ୟା କରାଯିବା ଦୁଃଖଦାୟକ ଏବଂ ଲଜ୍ଜାଜନକ। ଏବେ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ମୁଁ ବାରମ୍ବାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କହିଆସିଛି ଯେ, ସେମାନେ ଦେଶକୁ ସମ୍ବୋଧିତ କରି ଶାନ୍ତି ବଜାୟ ରଖିବାକୁ ଅପିଲ କରନ୍ତୁ। ଆମେ କହିବା ଦ୍ବାରା ଯେତିକି ପ୍ରଭାବ ପଡ଼ିବ, ପ୍ରଧାନମନ୍ତ୍ରୀ କହି‌ଲେ ତା’ଠାରୁ ଅଧିକ ପ୍ରଭାବ ପଡ଼ିବ। ମୁଁ ଭାବୁଛି ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ସ୍ଥିତିରେ ସମଗ୍ର ଦେଶକୁ ସମ୍ବୋଧିତ କରିବା ଉଚିତ୍ ଏବଂ କୌଣସି ପରିସ୍ଥିତିରେ ହିଂସା ଗ୍ରହଣ କରାଯିବ ନାହିଁ ବୋଲି କହିବା ଉଚିତ।

ଉଲ୍ଲେଖଯୋଗ୍ୟ, ୧୦ ଦିନ ପୂର୍ବେ ରାଜସ୍ଥାନର ଉଦୟପୁରରେ ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏହି କହ୍ନେୟାଲାଲ ତେଲି (୪୦)ଙ୍କୁ ହତ୍ୟା କରାଯାଇଛି। ଆକ୍ରମଣକାରୀମାନେ ଆଜି ଦିନ ଦ୍ଵିପ୍ରହରରେ ଉକ୍ତ ଯୁବକଙ୍କ ଦୋକାନରେ ପଶି ଖଣ୍ଡାରେ ତାଙ୍କ ଗଳା କାଟି ଦେଇଥିଲେ। ଏହି ପୁରା ଆକ୍ରମଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe