ଉଦୟପୁର ହତ୍ୟା: ଅଭିଯୁକ୍ତମାନେ ବ୍ୟବହାର କରିଥିବା ବାଇକ୍‌ର ନମ୍ବର ଥିଲା ‘୨୬୧୧’; ସଂଯୋଗ ନା ସଙ୍କେତ!

ଉଦୟପୁର ହତ୍ୟା: ଅଭିଯୁକ୍ତମାନେ ବ୍ୟବହାର କରିଥିବା ବାଇକ୍‌ର ନମ୍ବର ଥିଲା ‘୨୬୧୧’; ସଂଯୋଗ ନା ସଙ୍କେତ!

Image Courtesy: News Live

ଜୟପୁର: ଉଦୟପୁରର କହ୍ନେୟାଲାଲ ହତ୍ୟାମାମଲାରେ ତଦନ୍ତ ଯେତିକି ଆଗକୁ ବଢ଼ୁଛି ଅଭିଯୁକ୍ତ ହତ୍ୟାକାରୀ ଦ୍ୱୟଙ୍କ ସଂପର୍କରେ ସେତିକି ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି। ଏବେ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନଙ୍କୁ ଫେରାର କରାଇବା ପାଇଁ ଯେଉଁ ମୋଟରସାଇକେଲ ବ୍ୟବହୃତ ହୋଇଥିଲା, ତାହାର ପଞ୍ଜୀକରଣ ନମ୍ବର ଥିଲା ‘୨୬୧୧’। ଯାହାକି ୨୦୦୮ରେ ଘଟିଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସନ୍ଦର୍ଭରେ ପ୍ରଚଳିତ।

ଉଲ୍ଲେଖଯୋଗ୍ୟ, ୨୦୦୮ ନଭେମ୍ବର ୨୬ରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ମୁମ୍ବାଇରେ ଯେଉଁ ସିରିଏଲ ଆତଙ୍କବାଦୀ ଆକ୍ରମଣ ସଂଘଠିତ ହୋଇଥିଲା ତାହାକୁ ଆତଙ୍କବାଦୀ ସଂଗଠନ ପକ୍ଷରୁ ସାଙ୍କେତିକ ଭାବେ ୨୬/୧୧ ବୋଲି ଉଲ୍ଲେଖ କରାଯାଇଥିଲା।

ତେବେ, ଜୁନ୍‌ ୨୮ରେ ଉଦୟପୁରରେ ଦର୍ଜୀ (ଟେଲର) କହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବା ପରେ ଅଭିଯୁକ୍ତ ରିଆଜ୍‌ ଅଖତରୀ ଏବଂ ଗ୍‌ହାଉସ୍‌ ମହମ୍ମଦ ଏକ ମୋଟର ସାଇକେଲରେ ଫେରାର ହୋଇଯାଇଥିଲେ; ଯାହାର ରେଜିଷ୍ଟ୍ରେସନ ନମ୍ବର ଥିଲା ‘୨୬୧୧’। ହତ୍ୟାକାଣ୍ଡର କିଛି ଘଣ୍ଟା ପରେ ଅଭିଯୁକ୍ତମାନେ ଏକ ମୋଟର ସାଇକେଲରେ ଫେରାର ହେଉଥିବା ସମୟରେ ଭୀମ ଅଞ୍ଚଳରେ ରାଜସମନ୍ଦ ପୁଲିସ ହାତରେ ଧରା ପଡିଥିଲେ। ସେମାନେ ପଳାୟନ କରୁଥିବା ବାଇକ୍‌ର ରେଜିଷ୍ଟ୍ରେସନ ନମ୍ବର ଥିଲା ଆରଜେ ୨୭ ଏଏସ୍‌ ୨୬୧୧। ପୁଲିସ୍‌ ସେମାନଙ୍କ ନିକଟରୁ ଏ ବାଇକକୁ ମଧ୍ୟ ଜବତ କରିଥିଲା। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ମୋଟର ସାଇକେଲକୁ ଏସଆଇଟିକୁ ହସ୍ତାନ୍ତର କରାଯାଇଥିଲା ବୋଲି ଭୀମ ପୁଲିସ ଷ୍ଟେସନର ଏସଏଚଓ କହିଛନ୍ତି।

ଏବେ ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀମାନେ କହିଛନ୍ତି ଯେ ଅଭିଯୁକ୍ତ ଅଖତରୀ ମାର୍ଚ୍ଚ ୨୦୧୩ରେ କିଣିଥିବା ମୋଟର ସାଇକେଲ ପାଇଁ ନିଜ ପସନ୍ଦର ରେଜିଷ୍ଟ୍ରସନ ନମ୍ବର ପାଇବା ପାଇଁ ଅଧିକ ୧୦୦୦ ଟଙ୍କା ପ୍ରଦାନ କରିଥିଲା। ଉଦୟପୁର ଆରଟିଓ ପ୍ରଭୁ ଲାଲ ବାମନିଆ କହିଛନ୍ତି ଯେ ରିଆଜ ଅଖତରୀ ନିଜର ମୋଟର ସାଇକେଲ ପାଇଁ ‘୨୬୧୧’ ନମ୍ବରକୁ ସଂରକ୍ଷିତ କରି ରଖିବା ପାଇଁ ମାର୍ଚ୍ଚ ୨୦୧୩ରେ ୧,୦୦୦ ଟଙ୍କାର ଶୁଳ୍କ ପ୍ରଦାନ କରିଥିଲା। ପରେ ତାକୁ ତା’ ମୋଯର ସାଇକେଲ ପାଇଁ ଆରଜେ ୨୭ ଏଏସ୍‌ ୨୬୧୧ ରେଜିଷ୍ଟ୍ରେସନ ନମ୍ବର ପ୍ରଦାନ କରା ଯାଇଥିଲା।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୬, ୨୦୦୮ରେ ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀ ସମୁଦ୍ର ପଥରେ ଆସି ମୁମ୍ବାଇରେ ପହଞ୍ଚି ଲୋକଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ଯେଉଁଥିରେ ୧୮ ଜଣ ସୁରକ୍ଷା କର୍ମୀଙ୍କ ସମେତ ୧୬୬ ଜଣ ପ୍ରାଣ ହରାଇଥିଲେ। ଏହି ଜଘନ୍ୟ ନରସଂହାର ଘଟଣାରେ ଅଜମଲ କସାବ ଥିଲା ଏକମାତ୍ର ଆତଙ୍କବାଦୀ ଯିଏ ଜୀବନ୍ତ ଧରାପଡିଥିଲା। ଏହି ଘଟଣାର ଚାରି ବର୍ଷ ପରେ ନଭେମ୍ବର ୨୧, ୨୦୧୨ରେ ତାଙ୍କୁ ଫାଶୀ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe