ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଇସ୍ତଫା ଦେଲେ ଉଦ୍ଧବ ଠାକ୍‌ରେ

Advertisment
ମହାରାଷ୍ଟ୍ର ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ: ସୁପ୍ରିମକୋର୍ଟ ଯିବାକୁ ଧମକ ଦେଲେ ଉଦ୍ଧବ ଠାକ୍‌ରେ

moneycontrol.com

ନୂଆଦିଲ୍ଲୀ/ମୁମ୍ବାଇ : ସୁପ୍ରିମ୍‌କୋର୍ଟରେ ଝଟ୍‌କା ପରେ ବୁଧବାର ରାତିରେ ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ‌େ‌ର। ଆଜି ରାଜ୍ୟ ବିଧାନସଭାରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବାଲାଗି ରାଜ୍ୟପାଳଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଦେବା ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ଏହାସହିତ ଗତ କିଛିଦିନ ଧରି କ୍ଷମତାସୀନ ଶିବ ସେନାରେ କେତେକ ବିଧାୟକଙ୍କ ବିଦ୍ରୋହ ଯୋଗୁଁ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟର ଅବସାନ ଘଟିଛି।

ରାଜ୍ୟ ବିଧାନସଭାରେ ଆଜି (ଗୁରୁବାର) ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାଲାଗି ରାଜ୍ୟପାଳ ଭଗତ ସିଂହ କୋସିୟାରୀ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚାଲେଞ୍ଜ କରି ଉଦ୍ଧବ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଉଦ୍ଧବଙ୍କ ଶିବ ସେନା ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ମାମଲା ବିଚାରାଧୀନ ଥିବାରୁ ଏବେ ଶକ୍ତି ପରୀକ୍ଷା କରାଯିବା ଠିକ୍ ହେବନାହିଁ। ଦୀର୍ଘସମୟ ଧରି ଶୁଣାଣି ଚାଲିଥିବା ବେଳେ କୋର୍ଟ କହିଥିଲେ ଯେ ଗଣତନ୍ତ୍ରରେ ସମସ୍ତ ସମସ୍ୟାର ସମାଧାନ କେବଳ ବିଧାନସଭା ଭିତରେ କରାଯାଇପାରିବ। ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ମଧ୍ୟ ଅନୁରୂପ ମତ ଦିଆଯାଇଥିଲା।

publive-image Times of India

କୋର୍ଟ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବୁଧବାର ରାତି ୯ଟାରେ ରାୟ ଘୋଷଣା କରିଥିଲେ। ବିଧାନସଭାରେ ଶକ୍ତି ପରୀକ୍ଷା ନେଇ ରାଜ୍ୟପାଳଙ୍କ ଆଦେଶ ଉପରେ କୌଣସି ରୋକ୍‌ ଲାଗିବ ନାହିଁ ବୋଲି ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଜେ ବି ପରଦିୱାଲାଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଦେଇଥିଲେ। କହିଥିଲେ ଯେ ଉଦ୍ଧବ ସରକାର ପ୍ରତି ସଂଖ୍ୟାଗରିଷ୍ଠ ସଭ୍ୟଙ୍କ ସମର୍ଥନ ରହିଛି ବୋଲି ଆସନ୍ତାକାଲି ପ୍ରମାଣ ଦେବାକୁ ପଡ଼ିବ। ତେବେ ଏହାସହିତ ସର୍ତ୍ତ ରଖିଥିଲେ ଯେ କାଲି ‌ହେବାକୁ ଥିବା ଶକ୍ତି ପରୀକ୍ଷାର ଫଳାଫଳ ଆସନ୍ତା ୧୨ ତାରିଖରେ ବିଧାୟକମାନଙ୍କ ଅଯୋଗ୍ୟ ଘୋଷଣା ମାମଲାର ଫଇସଲା ଉପରେ ନିର୍ଭର କରିବ।

ସୁପ୍ରିମ କୋର୍ଟ ରାୟ ପରେ ଫେସବୁକ‌୍‌ରେ ଉଦବୋଧନ ଦେଇ ଉଦ୍ଧବ ଠାକରେ ଇସ୍ତଫା ଘୋଷଣା କରିଛନ୍ତି। ସେ କହି‌ଲେ ଯେ ସୁପ୍ରିମ କୋର୍ଟ ରାୟକୁ ଆମେ ସମ୍ମାନ ଜଣାଉଛୂୁ। ଗଣତନ୍ତ୍ର ତିଷ୍ଠିିବା ଉଚିତ। ରାଜ୍ୟ ବିଧାନ ପରିଷଦର ସଭ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ସେ ମନ୍ତ୍ରୀ ତଥା ଶିବ ସେନାର ବରିଷ୍ଠ ନେତା ଏକନାଥ ସିନ୍ଦେ ୮ ଦିନ ତଳେ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ତାଙ୍କ ନେତୃତ୍ବରେ ଦଳର ୧୬ ଜଣ ବିଧାୟକ ଗୁଜରାଟର ସୁରଟ ହୋଟେଲରେ ଆଶ୍ରୟ ନେଇଥିଲେ। ଏହାପରେ ତାଙ୍କ ଗୋଷ୍ଠୀ ବିଜେପି ଶାସିତ ଆସାମର ଗୌହାଟୀକୁ ଯାଇ ଏକ ତାରକା ‌େହାଟେଲରେ ଅବସ୍ଥାନ କରୁଥିଲେ। ସେଠାରେ ତାଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ୩୯ରେ ଯାଇ ପହଂଚିଥିଲା। ୫୫ ବିଧାୟକ ବିଶିଷ୍ଟ ଶିବ ସେନାକୁ ବିଭାଜନ କରିବା ଲାଗି ଏହି ସଂଖ୍ୟା ଯଥେଷ୍ଟ ଥିଲା। ଉଦ୍ଧବଙ୍କ ସହିତ ତାଙ୍କ ଦଳର ମାତ୍ର ୧୫ ଜଣ ବିଧାୟକ ରହିଥିଲେ। ଅନେକ ସ୍ବାଧୀନ ବିଧାୟକ ମଧ୍ୟ ଠାକରେଙ୍କୁ ଛାଡ଼ି ସିନ୍ଦେଙ୍କୁ ସମର୍ଥନ କରିଥିଲେ।

publive-image

ବିଜେପି ସହିତ ମିଶି ରାଜ୍ୟରେ ସରକାର ଗଠନ ପାଇଁ ସି‌ନ୍ଦେ କଥାବାର୍ତ୍ତା ଚଳାଇଥିବା ବେଳେ ଗତକାଲି ରାତିରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରାଜ୍ୟପାଳଙ୍କୁ ଭେଟି ଉଦ୍ଧବ ସରକାରକୁ ଶକ୍ତି ପରୀକ୍ଷା ଲାଗି ନିର୍ଦ୍ଦେଶ ଦେବାକୂୁ ଦାବି କରିଥିଲେ। ଏହାପରେ ଆଜି ସକାଳେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାଲାଗି କହିଥିଲେ।

ଉଲ୍ଳେଖଯୋଗ୍ୟ ଯେ ରାଜ୍ୟରେ ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଶିବ ସେନା, କଂଗ୍ରେସ ଏବଂ ଏନସିପି ମେଣ୍ଟ ସରକାର ନଭେମ୍ବର ୨୦୧୯ରେ ଗଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe