ଅହମ୍ମଦାବାଦ: ୨୦୦୧ ଜାନୁଆରି ୩୦ ତାରିଖ ଏମିତି ଏକ ଦିନ ଥିଲା ଯାହାକୁ ଏଯାବତ ଗୁଜରାଟର କଚ୍ଛ ଜିଲ୍ଲାର ଭୁଜ ବାସିନ୍ଦା ଭୁଲି ପାରି ନାହାନ୍ତି । ଭୁଜରେ ୨୦୦୧ ଜାନୁଆରି ୩୦ ତାରିଖରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୬ ରହିଥିଲା।
ଏହି ଭୟଙ୍କର ଭୂକମ୍ପରେ ୧୩,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ବଡ଼ବଡ଼ କୋଠା ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଥିଲା। କିଏ ମା’କୁ ତ କିଏ ବାପା, ଭାଇ, ଭଉଣୀଙ୍କୁ ତ ଆଉ କିଏ ସମ୍ପୂର୍ଣ୍ଣ ପରିବାକୁ ହରାଇ ଦେଇଥିଲେ।
ଭୂକମ୍ପ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଧ୍ବଂସସ୍ତୂପ ତଳୁ ଅନେକ ଲୋକଙ୍କୁ ଉଦ୍ଧାର କରୁଥିବା ବେଳେ ମୃତ ମା’ଙ୍କ କୋଳରେ ଶୋଇ କାନ୍ଦୁଥିବା ୮ମାସର ଏକ ଶିଶୁ କନ୍ୟାକୁ ଉଦ୍ଧାରକାରୀ ଦଳ ଦେଖିବାକୁ ପାଇଥିଲେ। ସେମାନେ ଏଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ।
ତୁରନ୍ତ ସେମାନେ ଶିଶୁକୁ ଉକ୍ତ ସ୍ଥାନରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ତାର ସମ୍ପର୍କୀୟଙ୍କ ଠିକଣା ଖୋଜିଥିଲେ। ଯାଞ୍ଚରୁ ଜଣାପଡ଼ିଥିଲା କି ୮ମାସର ଶିଶୁକନ୍ୟାର ନାମ ମୁ୍ର୍ତଜା ଅଲ୍ଲି। ଯିଏକି ଏହି ଭୟାବହ ଭୂମିକମ୍ପରେ ତାର ମା’, ବାପା, , ଦାଦା, ଖୁଡ଼ି, ଜେଜେବାପା ଏମିତି ଆଠଜଣ ସଦସ୍ୟଙ୍କୁ ହରାଇ ଦେଇଥିଲା।
ସୁସ୍ଥ ହେବାପରେ ମୁ୍ର୍ତଜାକୁ ତାର ପିଉସୀ ଓ ପିଉସା ଆସି ନିଜ ସାଥୀରେ ଘରକୁ ନେଇ ଯାଇଥିଲେ। ଏବେ ମୁ୍ର୍ତଜା ୨୨ବର୍ଷ ବୟସରେ ପ୍ରଦାର୍ପଣ କରିଛି। ଆଉ ବିବାହ କରି ଏକ ନୂଆ ଜୀବନର ଆରମ୍ଭ କରୁଛି।
ମୁ୍ର୍ତଜାର ବିବାହ ଉତ୍ସବରେ ତାର ଅଜା ୨୦୦୧ ଜାନୁଆରି ୩୦ ତାରିଖରେ ଘଟିଥିବା ସେହି ଦୁଃଖଦ ଦିନକୁ ମନେ ପକାଇ କାନ୍ଦି ପକାଇଥିଲେ। ଆଉ କହିଥିଲେ, ‘ମୋ ନାତୁଣୀ ତାର ଜୀବନରେ ମା’ ଓ ବାପାର ସୁଖ ପାଇଲା ନାହିଁ। ଏବେ ସେ ବିବାହ କରି ନୂଆ ଜୀବନ ଆରମ୍ଭ କରିଛି। ଭଗବାନ ତାକୁ ସବୁ ଖୁସି ଅଜାଡ଼ି ଦିଅନ୍ତୁ।’
Follow Us