Image Courtesy of India Today
ଅହମଦାବାଦ: ଦୁଇଦିନିଆ ଭାରତ ଗସ୍ତରେ ଆସି ଆଜି ସକାଳେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଅହମଦାବାଦ ବିମାନ ବନ୍ଦରରେ ଅବତରଣ କରିଛନ୍ତି।
ବିମାନ ବନ୍ଦରରେ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ଜନ୍ସନ୍ଙ୍କୁ ପାଛୋଟି ନେଇଥିଲେ। ଅହମଦାବାଦର ମେୟର୍, ମୁଖ୍ୟ ସଚିବ, ପୁଲିସ ଡି.ଜି. ଆଶିଷ ଭାଟିଆ, ଜିଲ୍ଲାପାଳ ଓ ଅହମଦାବାଦ ସହରର ପୁଲିସ କମିସନର୍ ମଧ୍ୟ ବିମାନ ବନ୍ଦରରେ ଉପସ୍ଥିତ ଥିଲେ।
ବିମାନ ବନ୍ଦରରେ ପରିବେଶଣକାରୀ ଦଳ ସବୁ ପାରମ୍ପରିକ ଗୁଜରାଟୀ ନୃତ୍ୟ ଏବଂ ସଙ୍ଗୀତ ପରିବେଶଣ କରିଥିଲେ। ସେଠାରୁ ଆଶ୍ରମ ରୋଡ୍ ଏବଂ ଦାଫନାଲା ଏବଂ ରିଭର୍ଫ୍ରଣ୍ଟ୍ ଦେଇ ୪ କିଲୋମିଟର୍ ଦୂରରେ ଥିବା ଏକ ପଞ୍ଚ ତାରକା ହୋଟେଲ୍କୁ ରୋଡ୍ ସୋ’ କରି ଯିବା ବାଟରେ ବୋରିସ୍ଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ୪ କିଲୋମିଟର୍ ରାସ୍ତାରେ ନିୟମିତ ବ୍ୟବଧାନରେ ପ୍ରାୟ ୪୦ ମଞ୍ଚ ପ୍ରସ୍ତୁତ କରାଯାଇଥିଲା। ଆଶ୍ରମ ରୋଡ୍ରେ ଥିବା ଉକ୍ତ ହୋଟେଲ୍ ପ୍ରାଙ୍ଗଣରେ ମଧ୍ୟ ପାରମ୍ପରିକ ଭାରତୀୟ ନୃତ୍ୟ ପରିବେଶଣ କରାଯାଇ ବୋରିସ୍ଙ୍କୁ ସ୍ବାଗତ କରାଯାଇଥିଲା।
Image Courtesy of NDTVଏହାପରେ, ଜନ୍ସନ୍ ସାବରମତୀରେ ଥିବା ମହାତ୍ମା ଗାନ୍ଧୀଙ୍କ ଆଶ୍ରମକୁ ଯାଇ ଅରଟ ଚଳାଇଥିଲେ। ଆଶ୍ରମରେ ଥିବା ପରିଦର୍ଶକ ପୁସ୍ତିକାରେ ସେ ଲେଖିଛନ୍ତି, ଏହି ଅସାଧାରଣ ବ୍ୟକ୍ତିଙ୍କ ଆଶ୍ରମକୁ ଆସି ସତ୍ୟର ସରଳ ନୀତି ଏବଂ ଅହିଂସାଦ୍ବାରା ସେ କିଭଳି ଦୁନିଆକୁ ଉନ୍ନତ କରି ପାରଲେ ତାହା ଜାଣିବା ଗୋଟାଏ ବଡ଼ ସୁଯୋଗ।
ଆଜି ଦିନ ତମାମ ପ୍ରଧାନମନ୍ତ୍ରୀ ଜନ୍ସନ୍ ଗୁଜରାଟରେ ରହିବେ ଏବଂ ରାତ୍ର ଭୋଜନ ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏହା ହେଉଛି ତାଙ୍କର ପ୍ରଥମ ଗୁଜରାଟ ଗସ୍ତ। ଏହା ପୂର୍ବରୁ ତାଙ୍କର ଭାରତ ଗସ୍ତ ଚୂଡ଼ାନ୍ତ ହୋଇଥିଲା ମାତ୍ର କୋଭିଡ୍-୧୯ ଯୋଗୁଁ ଗସ୍ତ ବାତିଲ ହୋଇଥିଲା।
Follow Us