ନୂଆଦିଲ୍ଲୀ: ବର୍ଷକ ମଧ୍ୟରେ ୧୨୮୭କୋଟି ବଢ଼ିଲା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି। ସଣ୍ଡେ ଟାଇମ୍ସରେ ଧନୀମାନଙ୍କର ଏକ ନୂତନ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି ବୃଦ୍ଧି ପାଇଥିବା ଜଣାପଡ଼ିଛି। ବଢ଼ିଥିବା ସମ୍ପତ୍ତିକୁ ମିଶାଇ ଏବେ ସେ ମୋଟ ୬୮୬୭ କୋଟି ଟଙ୍କାର ମାଲିକ ହୋଇଛନ୍ତି।
ତେବେ ଇନଫୋସିସ ପାଇଁ ଏହା ସମ୍ଭବ ହୋଇପାରିଥିବା କୁହାଯାଉଛି। ଇନଫୋସିସ୍ ହେଉଛି ୭୦ବିଲିୟନ ଡଲାରର ଭାରତୀୟ ଆଇଟି କମ୍ପାନି। ଅକ୍ଷତା ମୁର୍ତ୍ତୀଙ୍କ ପିତା ଏନଆର ନାରାୟଣ ମୁର୍ତ୍ତୀ ଏହାର ସହ-ପ୍ରତିଷ୍ଠାତା ଅଟନ୍ତି। ଅକ୍ଷତା ମୁର୍ତ୍ତୀଙ୍କର ମଧ୍ୟ ଏଥିରେ କିଛି ଅଂଶଧନ ରହିଛି। ଗତ ବର୍ଷ ଇନଫୋସିସରେ ଅକ୍ଷତା ମୁର୍ତ୍ତୀଙ୍କ ଅଂଶଧନ ମୂଲ୍ୟ ୧୦୮.୮ ମିଲିୟନ ବଢ଼ି ପ୍ରାୟ ୫୯୦ମିଲିୟନ ଡଲାରରେ ପହଞ୍ଚିଥିଲା। ଏଥିରେ ଲାଭବାନ ହେବା ପରେ ତାଙ୍କର ସମ୍ପତ୍ତି ବଢ଼ିଥିବା କୁହାଯାଉଛି। ଧନର ଏହି ବୃଦ୍ଧି ସହିତ ଋଷି ସୁନକ ରାଜା ଚାର୍ଲ୍ସ (ତୃତୀୟ)ଙ୍କ ଅପେକ୍ଷା ଅଧିକ ଧନୀ ହୋଇପାରିଛନ୍ତି।
ତେବେ ଋଷି ସୁନକ ଗତ ୨୦୨୨ ଅକ୍ଟୋବର ୨୫ ତାରିଖରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରଠୁ ତାଙ୍କର ଲୋକପ୍ରିୟତା ବଢ଼ିଥିଲା। ଋଷି ସୁନକଙ୍କର ପିତାମହଙ୍କ ପରିବାର ବ୍ରିଟିସ ଶାସିତ ପୂର୍ବ ଆଫ୍ରିକାକୁ ଚାଲିଯାଇଥିଲେ। କିନ୍ତୁ ତାଙ୍କ ବାପା ଯଶବୀର ସୁନକ ଓ ତାଙ୍କ ମା’ ଇଂଲାଣ୍ଡରେ ବସବାସ କଲେ। ଏହା ପରେ ଋଷି ସୁନକ ଉଚ୍ଚ ଶିକ୍ଷା ପରେ ରାଜନୀତିରେ ପ୍ରବେଶ କରି ଶୀଘ୍ର ସଫଳ ହୋଇପାରିଲେ।
Follow Us