Image Courtesy of NDTV
କିବ୍: କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ରୁଷର୍ ଅନ୍ୟତମ ଅଗ୍ରଣୀ ଯୁଦ୍ଧପୋତର ବ୍ୟାପକ କ୍ଷତି ଘଟଣାକୁ ପ୍ରମୁଖ ବିଜୟ ବୋଲି ୟୁକ୍ରେନ୍ ଦାବି କରିଛି। ୟୁକ୍ରେନ୍ କହିଛି ଯେ, ରୁଷୀୟ ସ୍ଲାଭାଶ୍ରେଣୀୟ ମସ୍କ୍ଭା ଯୁଦ୍ଧପୋତକୁ ଟାର୍ଗେଟ୍ କରି ଦୁଇଟି ନେପ୍ଚୁନ୍ କ୍ଷପଣାସ୍ତ୍ର ନିକ୍ଷେପ କରାଯାଇଥିଲା।
ଓଡେଶାର ଆଞ୍ଚଳିକ ଗଭର୍ଣ୍ଣର୍ ମାକ୍ସିମ୍ ମାକେନୋ ସୁନିଶ୍ଚିତ କରି କହିଛନ୍ତି ଯେ, ଉକ୍ତ ଯୁଦ୍ଧପୋତକୁ ୟୁକ୍ରେନ୍ ଟାର୍ଗେଟ୍ କରି ନେପ୍ଚ୍ୟୁନ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ଲକ୍ଷଭେଦ କରିଥିଲା। କିନ୍ତୁ, ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଓଲେସ୍କି ଅରେସ୍ତୋଭିଚ୍ କହିଛନ୍ତି, କ’ଣ ହୋଇଛି ଆମେ ବୁଝିପାରୁ ନାହୁଁ।
Image Courtesy of India Todayରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କଥାରୁ ଉଦ୍ଧୃତ କରି ‘ଇଣ୍ଟର୍ଫ୍ୟାକ୍ସ୍’ ନିଉଜ୍ ଏଜେନ୍ସି କହିଛି, ମସ୍କ୍ଭା ମିସାଇଲ୍ କ୍ରୁଜର୍ (ଯୁଦ୍ଧପୋତ) ଉପରେ ବିସ୍ଫୋରଣ ହେବା ଫଳରେ ସେଥିରେ ଥିବା ଅସ୍ତ୍ରଶସ୍ତ୍ର ସବୁ ବିଧ୍ବସ୍ତ ହୋଇଯାଇଛି। ଏହି ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡର କାରଣ ନିର୍ଦ୍ଧାରଣ କରିବା ଲାଗି ତଦନ୍ତ କରାଯାଉଥିବା କଥା ମଧ୍ୟ ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏଥିରେ ଥିବା କ୍ରୁ’ମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।
ୟୁକ୍ରେନ୍ର ରାଷ୍ଟ୍ରାୟତ ଗଣମାଧ୍ୟମ ମଧ୍ୟ ଆଜି ରିପୋର୍ଟ କରିଛି ଯେ, ୟୁକ୍ରେନ୍ ଉପରେ ରୁଷୀୟ ନୌସେନା ଆକ୍ରମଣରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା ଯୁଦ୍ଧପୋତ ବିସ୍ଫୋରଣ ଯୋଗୁଁ ଖୁବ୍ କ୍ଷତିଗ୍ରସ୍ତ ହୋଇଛି।
ସୂଚନାଯୋଗ୍ୟ, ମସ୍କୋର ଏହି ଯୁଦ୍ଧପୋତଟି ଓଡେଶା ଉପକୂଳ ଓ ମାରିଉପୋଲ୍ ମଧ୍ୟରେ ଅବରୋଧକାରୀ ଭାବେ ରହିବା ସହ ଉପକୂଳବର୍ତ୍ତୀ ନଗରୀଗୁଡ଼ିକ ଉପରେ ବୋମା ବର୍ଷଣ କରୁଥିଲା।
Follow Us