Image Courtesy of Zee News
ନୂଆଦିଲ୍ଲୀ: ରୁଷୀୟ ଆକ୍ରମଣ ଯୋଗୁଁ ୟୁକ୍ରେନ୍ରେ ଉପୁଜିଥିବା ସଙ୍କଟ ବିଶ୍ବ ଜନତାର ଏକପଞ୍ଚମାଂଶରୁ ଊର୍ଦ୍ଧ୍ବ ଅର୍ଥାତ୍ ୧୭୦ କୋଟି ଜନତାଙ୍କୁ ଦାରିଦ୍ର୍ୟ ଓ କ୍ଷୁଧା କବଳରେ ପକାଇବ ବୋଲି ଜାତିସଂଘ ସତର୍କ କରାଇ ଦେଇଛି।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି ଯେ, ୟୁକ୍ରେନ୍ ସଙ୍କଟ ଖାଦ୍ୟଶସ୍ୟ ରପ୍ତାନି ଅବରୋଧ କରିବା ସହ ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ବିଭିନ୍ନ ସାମଗ୍ରୀର ମୂଲ୍ୟ ଦ୍ରୁତ ବେଗରେ ବୃଦ୍ଧି ପାଉଛି।
ଗୁଟେରସ୍ଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ଆଜି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ଲେଖିଛି, ୟୁକ୍ରେନ୍ରେ ଘଟୁଥିବା ବିପର୍ଯ୍ୟୟ ଆମେ ସମସ୍ତେ ଦେଖୁଛନ୍ତି। କିନ୍ତୁ, ୟୁକ୍ରେନ୍ ବାହାରେ ଥିବା ବିକାଶଶୀଳ ବିଶ୍ବରେ ଏହି ଯୁଦ୍ଧ ନିଃଶବ୍ଦ ଆକ୍ରମଣ ଆରମ୍ଭ କରିଦେଇଛି। ଏହି ସଙ୍କଟ ମାନବଜାତିର ଏକ ପଞ୍ଚମାଂଶ ବା ୧୭୦ କୋଟି ଜନତାଙ୍କୁ ଦାରିଦ୍ର୍ୟ ଓ କ୍ଷୁଧା କବଳିତ କରିପାରେ। କିଛି ଦଶନ୍ଧି ମଧ୍ୟରେ ଏତେ ସଂଖ୍ୟକ ଜନତା ଦାରିଦ୍ର୍ୟ ଓ କ୍ଷୁଧାଗ୍ରସ୍ତ ହୋଇ ନାହାନ୍ତି।
Image Courtesy of Zoom Newsଜାତିସଂଘ ମୁଖ୍ୟ ଗୁଟେରସ୍ ଆହୁରି ମଧ୍ୟ କହିଛନ୍ତି, ବିଶ୍ବରେ ଉତ୍ପାଦନ ହେଉଥିବା ଗହମ ଓ ଯଅର ୩୦%, ମକାର ଏକ ପଞ୍ଚମାଂଶ, ସୂର୍ଯ୍ୟମୁଖୀ ତେଲର ଅଧାରୁ ଅଧିକ ୟୁକ୍ରେନ୍ ଓ ରୁଷ୍ରେ ଉତ୍ପାଦନ କରାଯାଏ। ଅନ୍ୟୂନ ୪୫ଟି ବିକଶିତ ରାଷ୍ଟ୍ର ଆମଦାନି କରୁଥିବା ଗହମର ଏକ ତୃତୀୟାଂଶରୁ ଅଧିକ ରୁଷ୍ ଓ ୟୁକ୍ରେନ୍ରୁ ମିଳିଥାଏ।
୨୦୨୨ର ଆରମ୍ଭରୁ ଗହମ ଓ ମକା ଦର ୩୦% ଏବଂ ଅଶୋଧିତ ତୈଳ ଦର ୬୦%ରୁ ଅଧିକ ବୃଦ୍ଧି ପାଇଥିବା ବେଳେ ଗ୍ୟାସ୍ ଓ ସାର ଦର ୨ଗୁଣରୁ ଅଧିକ ବୃଦ୍ଧି ପାଇଛି।
ଧନୀକୁ ଆହୁରି ଧନୀ ଏବଂ ଗରିବକୁ ଆହୁରି ଗରିବ କରୁଥିବା ବିଶ୍ବ ଆର୍ଥିକ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ବୈଶ୍ବିକ ସଂସ୍କାର ନିମନ୍ତେ ଗୁଟେରେସ୍ ଆହ୍ବାନ ଦେଇଛନ୍ତି।
Follow Us