Image Courtesy of BNN Breaking
ନୂଆଦିଲ୍ଲୀ: ଗତ ରବିବାର ଦିନ ଚୀନ୍ଦ୍ବାରା ନିର୍ମିତ ଏକ ଅତ୍ୟାଧୁନିକ ଏବଂ ଅସ୍ତ୍ରବାହୀ ‘ମୁଗିନ୍-୫’ ଡ୍ରୋନ୍କୁ ୟୁକ୍ରେନ୍ ସେନା ଗୁଳି ମାରି ଖସାଇ ଦେଇଥିବା କଥା ‘ସିଏନ୍ଏନ୍’ ରିପୋର୍ଟ କରିଛି।
‘ସିଏନ୍ଏନ୍’ ରିପୋର୍ଟ ଅନୁସାରେ, ସିଆମେନ୍ରେ ଅବସ୍ଥିତ ଚୀନା କମ୍ପାନି ‘ମୁଗିନ୍ ଲିମିଟେଡ୍’ଦ୍ବାରା ନିର୍ମିତ ‘ମୁଗିନ୍-୫’ ଡ୍ରୋନ୍ଟିକୁ ଗତ ସପ୍ତାହାନ୍ତରେ ଯୁଦ୍ଧବିକ୍ଷତ ୟୁକ୍ରେନ୍ରେ ‘ଏକେ-୪୭’ରୁ ଗୁଳି ଚଳାଯାଇ ଖସାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଚୀନା ଅନ୍ଲାଇନ୍ ପ୍ଲାଟ୍ଫର୍ମ ‘ଆଲିବାବା’ ଏବଂ ‘ସାଓବାଓ’ ମାଧ୍ୟମରେ ୧୫,୦୦୦ ଆମେରିକୀୟ ଡଲାର୍ ବିନିମୟରେ ଖରିଦ କରାଯାଇ ପାରୁଥିବାରୁ ଏହି ଡ୍ରୋନ୍କୁ ‘ଆଲିବାବା ଡ୍ରୋନ୍’ ମଧ୍ୟ କୁହାଯାଏ।
ଖସାଯାଇଥିବା ଡ୍ରୋନ୍ଟି ତାଙ୍କର ବୋଲି ‘ମୁଗିନ୍ ଲିମିଟେଡ୍’ ‘ସିଏନ୍ଏନ୍’କୁ ସୁନିଶ୍ଚିତ କରିବା ସହିତ ଘଟଣାକୁ ଦୁଃଖଦାୟକ ବୋଲି କହିଛି। ଖସିପଡ଼ିଥିବା ଉକ୍ତ ଡ୍ରୋନ୍କୁ ୟୁକ୍ରେନ୍ର ପୂର୍ବାଞ୍ଚଳ ଅନ୍ତର୍ଗତ ସ୍ଲୋଭିଆନ୍ସ୍କ୍ ନଗରୀ ନିକଟରୁ ଉଦ୍ଧାର କରାଯାଇଛି।
Image Courtesy of EurAsian Timesଏହି ଡ୍ରୋନ୍ରେ ପ୍ରାୟ ୨୦ କିଲୋ ଓଜନର ଗୋଟାଏ ବୋମା ଥିଲା। ପରେ ତାହାକୁ ୟୁକ୍ରେନ୍ ସୈନିକମାନେ ନିଷ୍କ୍ରିୟ କରି ଦେଇଥିଲେ।
ସଂଗୃହୀତ ସୂଚନା ଅନୁସାରେ, ୟୁକ୍ରେନ୍ର ‘ଟେରିଟରିଆଲ୍ ଡିଫେନ୍ସ୍ ଫୋର୍ସେସ୍’ର ୧୧୧ତମ ବ୍ରିଗେଡ୍ ଶନିବାର ରାତି ପ୍ରାୟ ୨ଟା ବେଳେ ଉପରେ ଡ୍ରୋନ୍ ଉଡୁଥିବାର ଶବ୍ଦ ଶୁଣିବା ସହିତ ଆଲୋକ ବିଚ୍ଛୁରଣ ହେଉଥିବା ଦେଖିଥିଲେ। ଖୁବ୍ ସ୍ବଳ୍ପ ଉଚ୍ଚତାରେ ଉଡୁଥିବାରୁ ହାତରେ ଧାରଣ କରାଯାଉଥିବା ଅସ୍ତ୍ରରେ ତାହାକୁ ଖସାଇବା ସହଜ ହୋଇଥିଲା।
କିନ୍ତୁ, ଘଟଣା ସଂକ୍ରାନ୍ତରେ ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟ କୌଣସି ମନ୍ତବ୍ୟ ଦେଇନାହିଁ।
Follow Us