ୟୁକ୍ରେନ ଯୁଦ୍ଧ: ୫ ସହରରେ ପ୍ରଚଣ୍ଡ ଆକ୍ରମଣ, ମାରିୟୁପୋଲ୍‌ରେ ଶୋଚନୀୟ ସ୍ଥିତି

Advertisment

୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ମହଜୁଦ ଖାଦ୍ୟ, ପାଣି ବି ସରିଗଲା, ବଲ୍‌ନୋବଖା ସହର ସମ୍ପୂର୍ଣ୍ଣ ଧ୍ବଂସ

୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ମହଜୁଦ ଖାଦ୍ୟ, ପାଣି ବି ସରିଗଲା, ବଲ୍‌ନୋବଖା ସହର ସମ୍ପୂର୍ଣ୍ଣ ଧ୍ବଂସ

ୟୁକ୍ରେନ ଯୁଦ୍ଧ: ୫ ସହରରେ ପ୍ରଚଣ୍ଡ ଆକ୍ରମଣ, ମାରିୟୁପୋଲ୍‌ରେ ଶୋଚନୀୟ ସ୍ଥିତି

କିବ୍‌ : ୟୁକ୍ରେନ୍‌ ଯୁଦ୍ଧର ୧୯ ଦିନରେ ସୋମବାର ଦିନ ରୁଷ୍‌ ଏହାର ଆକ୍ରମଣକୁ ଆହୁରି ଜୋରଦାର କରିଛି। ୟୁକ୍ରେନ୍‌ ରାଜଧାନୀ କିବ୍‌, ଦ୍ବିତୀୟ ବୃହତ୍ତମ ସହର ଖାରକିଭ, ବନ୍ଦର ସହର ମାରିୟୁପୋଲ୍‌, ଚେର୍ନିହିବ୍‌ ଓ ମାଇକୋଲେଭ୍‌ ଭଳି ୫ଟି ପ୍ରମୁଖ ସହରରେ ରୁଷ୍‌ ପ୍ରଚଣ୍ଡ ଆକ୍ରମଣ କରୁଥିବାର ଖବର ମିଳିଛି। ଚେର୍ନିହିବ, ମାଇକୋଲେଭ୍‌ରେ ଗୋଳାବର୍ଷା କରୁଛି। ଆକ୍ରମଣରେ ୟୁକ୍ରେନ୍‌ର ବଲନୋବଖା ସହର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି।

publive-image

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତାର ଅବ୍ୟବହିତ ପୂର୍ବରୁ ସୋମବାର ସକାଳେ କିବ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏକ ୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ୍‌ରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଅନେକ ଲୋକ ମୃତାହତ ହୋଇଛନ୍ତି। କିବ୍‌ ରେଳ ଷ୍ଟେସନ୍‌ ନିକଟରେ ମଧ୍ୟ ବୋମାବର୍ଷା ହୋଇଛି। କିବ୍‌ରେ ଆଜି ଆଣ୍ଟୋନବ ବିମାନ କାରଖାନା ଉପରେ ରୁଷ୍‌ର ଆକ୍ରମଣ ଯୋଗୁଁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ରିଭ୍‌ନେ ସହରରେ ଏକ ଟିଭି ଟାୱାର ଉପରେ ରୁଷ୍‌ ସେନା ଆକ୍ରମଣ କରିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। ରୁଷ୍‌ ସେନା ରାଜଧାନୀ କିବକୁ ଚାରିଆଡ଼ୁ ଘେରୁଥିବାର ଖବର ମିଳିଛି। ଖାରକିଭରେ ମଧ୍ୟ ଭୟଙ୍କର ‌ଗୋଳାବର୍ଷା ହୋଇଛି। ୟୁକ୍ରେନ୍‌ର ୧୯ଟି ଅଞ୍ଚରେ ଏୟାର ରେଡ୍‌ ଆଲର୍ଟ ଜାରି ହୋଇଛି।

publive-image Al Jazeera

ଅନ୍ୟତମ ସହର ମାଇକୋଲେଭ୍‌ରେ ମଧ୍ୟ ରୁଷ୍‌ର ବୋମାବର୍ଷା‌ ଜାରି ରହିଛି। ବୋମାମାଡ଼ ଯୋଗୁଁ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ସେଠାରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି। ସହରରେ ମହଜୁଦ୍ ଖାଦ୍ୟ ଏବଂ ପାଣି ଶେଷ ହୋଇଯାଇଛି। ଦୀର୍ଘ ୧୨ ଦିନ ହେବ ‌ଲୋକେ ପାଣି ଓ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି। ବିଦ୍ୟୁତ୍‌ ନାହିଁ କି ପାଣି ନାହିଁ। ମୋବାଇଲ୍‌ ଯୋଗାଯୋଗ ବି ନାହିଁ। ମାରିୟୁପୋଲ୍‌ରୁ ଖାଦ୍ୟ, ପାଣି ଶେଷ ହୋଇଯାଇଥିବା ବେଳେ ରୁଷ୍‌ ମାନବୀୟ ସହାୟତା ଗାଡ଼ିକୁ ଅଟକାଇଛି।

ଇତିମଧ୍ୟରେ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନ୍‌ସ୍କି ଅଭିଯୋଗ କରିଛନ୍ତି ଯେ ରୁଷ୍‌ ମାନବୀୟ ସହାୟତା ଗାଡ଼ି ଗୁଡ଼ିକ ଉପରେ ଆକ୍ରମଣ କରୁଛି ଏବଂ ଏହାକୁ ଅଟକାଉଛି। ଖେରସନ୍‌, ସୁମି, ଚେର୍ନିହିବ, ‌ଚେର୍ନୋବିଲ୍ ପାୱାର ପ୍ଲାଣ୍ଟ୍‌, ଜା ପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ରୁଷ୍‌ ସେନା ଆକ୍ରମଣ ଜାରି ରହିଛି। ଚେର୍ନୋବିଲ୍‌ ପରମାଣୁ ଶକ୍ତି କେନ୍ଦ୍ରକୁ ବିଦ୍ୟୁତ୍‌ ଯୋଗାଣ ଆଜି ପୁଣି ଥରେ ବିଚ୍ଛିନ୍ନ କରିଦେଇଛି। ତେଣେ ଆମେରିକା କହିଛି ଯେ ହତୋସ୍ତାହିତ ହୋଇ ରୁଷ ଆକ୍ରମଣକୁ ଜୋରଦାର କରିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe