Image Courtesy of Zee News
କୋଲ୍କାତା: ଓଲଟି ଚୋର ପୁଲିସକୁ ଗାଳି ଦେଉଛି ବୋଲି ପଶ୍ଚିମବଙ୍ଗର ‘ବିଜେପି’ ସାଂସଦ ଦିଲୀପ ଘୋଷ ‘ତୃଣମୂଳ କଂଗ୍ରେସ’ର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।
ସୂଚନାଯୋଗ୍ୟ, ବିପୁଳ ପରିମାଣର ନଗଦ ଅର୍ଥ ରଖିଥିବା ଘଟଣାରେ ନିଲମ୍ବିତ ‘ତୃଣମୂଳ କଂଗ୍ରେସ’ ନେତା ପାର୍ଥ ଚାଟାର୍ଜୀ ଓ ତାଙ୍କର ଘନିଷ୍ଠ ସହଯୋଗିନୀ ଅର୍ପିତା ମୁଖାର୍ଜୀ ଗିରଫ ହେବା ପରେ ଭାରତରେ କଳାଟଙ୍କା ସ୍ଥିତି ପାଇଁ ଅଭିଷେକ ବାନାର୍ଜୀ ‘ବିଜେପି’କୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଦୋଷାରୋପ କରିଛନ୍ତି।
ଏକ ସଭାରେ ଅଭିଷେକ କହିଲେ ଯେ, ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ମୋଦୀ ୫୦ ଦିନ ସମୟ ମାଗି କହିଥିଲେ କି, ଯଦି ତା’ପରେ ଦେଶରେ କଳା ଟଙ୍କା ବାହାରେ ସେଥିପାଇଁ ସେ ଦାୟୀ ହେବେ। ବିମୁଦ୍ରାୟନ ସତ୍ତ୍ବେ ଏତେ କଳାଟଙ୍କା ଆସୁଛି କେମିତି? ଅର୍ପିତାଙ୍କ ଫ୍ଲାଟ୍ରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ଘଟଣା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦାୟୀ।
Image Courtesy of India TV Newsଏହାର ପ୍ରତ୍ୟୁତ୍ତର ଦେଇ ପଶ୍ଚିମବଙ୍ଗର ବିଜେପି ସାଂସଦ ଦିଲୀପ ଘୋଷ ଅଭିଷେକଙ୍କୁ ତାଙ୍କ ବିବୃତି ନିମନ୍ତେ ନିନ୍ଦା କରି କହିଛନ୍ତି, ନିଜ ଭୁଲ୍ ସୁଧାରିବା ପରିବର୍ତ୍ତେ, ‘ବିଜେପି’କୁ ଦାୟୀ କରୁଛି। ଏହା ହେଉଛି ‘ଓଲଟି ଚୋର ପୁଲିସକୁ ଗାଳି ଦେବା’ ଭଳି କଥା। ଯଦି ‘ତୃଣମୂଳ କଂଗ୍ରେସ’ର ଇଚ୍ଛା ଥାଆନ୍ତା, ସେମାନେ ପାର୍ଥ ଚାଟାର୍ଜୀଙ୍କ ସହଯୋଗିନୀଙ୍କ ଘରୁ କଳାଟଙ୍କା ଉଦ୍ଧାର କରିପାରି ଥାଆନ୍ତେ। କିନ୍ତୁ, ସେମାନେ ରାଜ୍ୟରେ କ୍ଷମତାରେ ଥାଇ ମଧ୍ୟ ତାହା ହେଲାନାହିଁ। ଭାରତରୁ କିଭଳି କଳାଟଙ୍କା ନିଶ୍ଚିହ୍ନ କରାଯାଇ ପାରିବ, ତାହା ପ୍ରଧାନମନ୍ତ୍ରୀ ମୋଦୀ ହିଁ ଦେଖାଇ ଦେଇଛନ୍ତି। ସେମାନେ (ତୃଣମୂଳ କଂଗ୍ରେସ) ଏଡ଼େ ନିର୍ଲଜ୍ଜ ଯେ, ଆପଣା ତ୍ରୁଟିରୁ ସେମାନେ ଶିକ୍ଷା ଲାଭ କରି ପାରୁନାହାନ୍ତି।
ଉଲ୍ଲେଖଯୋଗ୍ୟ, ପ୍ରବର୍ତ୍ତନ ନିର୍ଦେଶାଳୟ ଅର୍ପିତା ମୁଖାର୍ଜୀଙ୍କ ଦୁଇଟି ଫ୍ଲାଟ୍ରୁ ପ୍ରାୟ ୫୦ କୋଟି ନଗଦ ଅର୍ଥ ଉଦ୍ଧାର କରି ତାଙ୍କୁ ଗିରଫ କରିବା ପରଠାରୁ କୋଲ୍କାତାର ଡାଇମଣ୍ଡ୍ ସିଟି କମ୍ପ୍ଲେକ୍ସ୍ରୁ ତାଙ୍କର (ଅର୍ପିତା) ୪ଟି ସୌଖିନ କାର୍ର ପତ୍ତା ମିଳୁନି। ‘ସିସିଟିଭି’ ଫୁଟେଜ୍ଦ୍ବାରା କାର୍ ୪ଟିକୁ ଠାବ କରିବା ଲାଗି ତଦନ୍ତକାରୀ ଅଧିକାରୀମାନେ ଉଦ୍ୟମ କରୁଛନ୍ତି।
Follow Us