Image Courtesy of Reuters
ଗାଜା: ତୁମୁଳ ସଂଘର୍ଷ ଯୋଗୁଁ ଏଯାବତ୍ ଗାଜାରେ ୧୯୨ଜଣ ଏବଂ ଇସ୍ରାଏଲ୍ରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର ଦିନ ଜାତିସଂଘର ସେକ୍ରେଟେରି ଜେନେରାଲ୍ ଆଣ୍ଟୋନିଓ ଗୁଟେରେସ୍ ‘ଜାତିସଂଘ ନିରାପତ୍ତା ପରିଷଦ୍’କୁ କହିଛନ୍ତି ଯେ, ଇସ୍ରାଏଲ୍ ଓ ଗାଜା ମଧ୍ୟରେ ଚାଲିଥିବା ସଂଘର୍ଷ ‘ବାସ୍ତବିକ ଭୟାବହ’। ତୁରନ୍ତ ଏହି ସଂଘର୍ଷର ଅବସାନ ଘଟାଇବା ପାଇଁ ସେ ନିବେଦନ କରିଛନ୍ତି।
ରବିବାର ଦିନ ଅନୁଷ୍ଠିତ ଇସ୍ରାଏଲ୍-ପାଲେଷ୍ଟାଇନ୍ ସଂଘର୍ଷ ପ୍ରସଙ୍ଗରେ ୧୫ଜଣିଆ ସଦସ୍ୟବିଶିଷ୍ଟ ନିରାପତ୍ତା ପରିଷଦ୍ର ପ୍ରଥମ ସର୍ବସାଧାରଣ ବୈଠକରେ ଗୁଟେରେସ୍ କହିଛନ୍ତି, ତୁରନ୍ତ ଅସ୍ତ୍ରବିରତି ନିମନ୍ତେ ଜାତିସଂଘ ସକ୍ରିୟ ଭାବେ ସବୁ ପକ୍ଷଙ୍କ ସହ ଆଲୋଚନା କରୁଛି। ମଧ୍ୟସ୍ଥତା ଉଦ୍ୟମ କରି ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି।
Image Courtesy of Saltwireନିରାପତ୍ତା ପରିଷଦ୍ର ବୈଠକୁ ପାଲେଷ୍ଟାଇନୀୟ ବୈଦେଶିକ ମନ୍ତ୍ରୀ ରିୟାଦ୍ ଅଲ୍-ମାଲ୍କି କହିଛନ୍ତି ଯେ, ନିଜର ପ୍ରତିରୋଧ କରିବା ଅଧିକାର ଅଛି ବୋଲି ଯେତେ ଥର ବିଦେଶୀ ନେତାଙ୍କ ଠାରୁ ଶୁଣୁଛି, ସେତେଥର ଇସ୍ରାଏଲ୍ର ସାହସ ବଢୁଛି। ଫଳରେ ରାତିରେ ନିଦ୍ରାଯାଇଥିବା ପରିବାରବର୍ଗଙ୍କୁ ସେ ସଂହାର କରିଚାଲିଛି।
ଜାତିସଂଘସ୍ଥିତ ଇସ୍ରାଏଲ୍ର ରାଷ୍ଟ୍ରଦୂତ ଜିଲାଡ୍ ଏର୍ଡାନ୍ କହିଲେ ଯେ, ହମାସ୍ମାନଙ୍କ ନିର୍ବିଚାର ଆକ୍ରମଣର ଇସ୍ରାଏଲ୍ ଯେଭଳି ମୁକାବିଲା କରୁଛି, ତାହା ଆନ୍ତର୍ଜାତିକ ଆଇନସମ୍ମତ। ସାଧାରଣ ନାଗରିକମାନଙ୍କ ମୃତ୍ୟୁ ଏଡ଼ାଇବାକୁ ଇସ୍ରାଏଲ୍ ଯେଭଳି ପଦକ୍ଷେପ ଗ୍ରହଣ କରୁଛି, ତାହା ଅତୁଳନୀୟ। ଆପଣାର ପିଲାମାନଙ୍କୁ ନିରାପଦ ରଖିବା ଲାଗି ଇସ୍ରାଏଲ୍ ତା’ର କ୍ଷେପଣାସ୍ତ୍ର ପ୍ରୟୋଗ କରୁଛି। କିନ୍ତୁ, କ୍ଷେପଣାସ୍ତ୍ର ନିରାପଦ ରଖିବା ଲାଗି ହମାସ ପିଲାମାନଙ୍କୁ ବ୍ୟବହାର କରୁଛି।
ସୂଚନାଯୋଗ୍ୟ, ଅସ୍ତ୍ରବିରତି ପାଇଁ ଇଜିପ୍ଟ, କ୍ବତାର ଏବଂ ଜାତିସଂଘ ଏପର୍ଯ୍ୟନ୍ତ ଯେତେ ଥର ଉଦ୍ୟମ କଲେଣି, ତାହା ଏହି ଯୁଗଯୁଗର ସଂଘର୍ଷ କ୍ଷେତ୍ରରେ ଫଳପ୍ରସୂ ହେଉନାହିଁ। ତେଣେ, ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ଟେଲିଭିଜନ୍ ଭାଷଣରେ କହିଛନ୍ତି ଯେ, ଯେତେ ଦିନ ଆବଶ୍ୟକ ସେତେ ଦିନ ପର୍ଯ୍ୟନ୍ତ ଏହି ପ୍ରତିଆକ୍ରମଣ ଅଭିଯାନ ଚାଲୁ ରହିବ।
Follow Us