ନୂଆଦିଲ୍ଲୀ : ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ର ମୁକାବିଲା ଦିଗରେ ଓଡ଼ିଶା ସରକାରଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଆଜି ଜାତିସଂଘ କହିଛି। ଭାରତୀୟ ପାଣିପାଗ ବିଭାଗର ସଠିକ୍ ଆକଳନ ଏବଂ ଆଗୁଆ ନିର୍ଦିଷ୍ଟ ସୂଚନା ଯୋଗୁଁ ଏହି ବାତ୍ୟାରେ କ୍ଷୟକ୍ଷତିକୁ ଯଥେଷ୍ଟ କମାଇ ଦିଆଯାଇ ପାରିଛି ବୋଲି ଜାତିସଂଘର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଶାଖା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ପାଣିପାଗ ବିଭାଗର ନିଭୁର୍ଲ ଆକଳନ ଏବଂ ସଠିକ୍ ତଥ୍ୟ ପ୍ରଦାନ ଯୋଗୁଁ ସ୍ଥାନୀୟ ପ୍ରଶାସନ ବଡ଼ ଧରଣର ସ୍ଥାନାନ୍ତର ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ସକ୍ଷମ ହୋଇଥିଲେ ଏବଂ ଏହାଦ୍ବାରା ଧନଜୀବନର ଯଥାସମ୍ଭବ କମ୍ କ୍ଷତି ହୋଇଥିଲା ବୋଲି ଜାତିସଂଘର ବିଶେଷ ପ୍ରତିନିଧି ମାମି ମଜୁମ୍ଦାର କହିଛନ୍ତି। ବିଗତ ୨୦ ବର୍ଷ ଭିତରେ ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଭାବେ ପରିଗଣିତ ‘ଫନି’ ଗତକାଲି ଓଡ଼ିଶା ତଟବର୍ତ୍ତୀ ଅଂଚଳରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଛି। ତେବେ ଧନଜୀବନ କ୍ଷୟକ୍ଷତିକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଏବଂ ଜନସାଧାରଣ ଏ ଦିଗରେ ଯଥେଷ୍ଟ ପୂର୍ବରୁ ସତର୍କ ହେବା ଯୋଗୁଁ ହିଁ ଧନଜୀବନ ହାନିକୁ ଯଥାସମ୍ଭବ କମାଇ ଦିଆଯାଇ ପାରିଛି। ବାତ୍ୟା ମୁକାବିଲା ଉଦ୍ଦେଶ୍ୟରେ ରହିଥିବା ଆଶ୍ରୟସ୍ଥଳଗୁଡ଼ିକୁ ଲୋକଙ୍କୁ ଠିକ୍ ସମୟରେ ଆଣିବା ଏକ ବଡ଼ ଚ୍ୟାଲେଂଜ ଥିଲା ଏବଂ ଏହାକୁ ଓଡ଼ିଶା ସରକାର ନିର୍ଦ୍ଧାରିତ ସମୟ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ସଂପନ୍ନ କରିଥିଲେ।
‘ଫନି’ ମୁକାବିଲା ପାଇଁ ଓଡ଼ିଶାକୁ ଜାତିସଂଘର ପ୍ରଶଂସା
Advertisment
Follow Us