ସୁପ୍ରିମ୍‌କୋର୍ଟରେ ଆଇନଜୀବୀଙ୍କ ଅଶୋଭନୀୟ ଆଚରଣ: ପ୍ରଧାନ ବିଚାରପତିଙ୍କୁ ଜୋତା ଫିଙ୍ଗିବାକୁ ଉଦ୍ୟମ

ସୁପ୍ରିମ୍‌କୋର୍ଟରେ ଆଜି ଶୁଣାଣି ସମୟରେ ଜଣେ ଆଇନଜୀବୀ ପ୍ରଧାନ ବିଚାରପତି ବିଆର୍ ଗୱାଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଛନ୍ତି।   ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ...

Untitled-12

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ଆଜି ଶୁଣାଣି ସମୟରେ ଜଣେ ଆଇନଜୀବୀ ପ୍ରଧାନ ବିଚାରପତି ବିଆର୍ ଗୱାଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଛନ୍ତି।   ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ମାମଲାର ବିଚାର କରୁଥିବା ବିଚାରପତି ବିନୋଦ ଚନ୍ଦ୍ରନଙ୍କ ଦେହରେ ଜୋତାଟି ବାଜୁ ବାଜୁ ଅଳ୍ପକେ ଖସିଯାଇଥିଲା। ଏହି ଘଟଣା ପରେ ସଂପୃକ୍ତ ଆଇନଜୀବୀଙ୍କୁ ତୁରନ୍ତ କୋର୍ଟ ପରିସରରୁ ବାହାରକୁ ନିଆଯାଇଥିଲା। ‌ବାହାରକୁ ଯିବା ସମୟରେ ଆଇନଜୀବୀ ଜଣକ ଚିତ୍କାର କରି କହିଥିଲେ, ସନାତନ ଧର୍ମର ଅପମାନକୁ ଭାରତ ବରଦାସ୍ତ କରିବ ନାହିଁ। ତେବେ ସମ୍ପୃକ୍ତ ଆଇନଜୀବୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିଜେ ପ୍ରଧାନ ବିଚାରପତି ଗୱାଇ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ଅଣଦେଖା କରିବାକୁ ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ଏହି ଘଟଣା ଘଟିବା ସମୟରେ ପ୍ରଧାନ ବିଚାରପତି ଗୱାଇ ଶାନ୍ତ ରହିଥିଲେ ଏବଂ ବିନା ବାଧାରେ ବିଚାର ପ୍ରକ୍ରିୟା ଜାରି ରଖିଥିଲେ। ‘ଏସବୁ ଦ୍ୱାରା ବିଚଳିତ ହୁଅନ୍ତୁ ନାହିଁ। ଏହି ଜିନିଷଗୁଡ଼ିକ ମୋତେ ପ୍ରଭାବିତ କରେ ନାହିଁ। ଶୁଣାଣି ଜାରି ରଖନ୍ତୁ’ ବୋଲି ସେ କହିଥିଲେ। ଏଥିସହିତ ସିଜେଆଇ ଗୱାଇ ସେକ୍ରେଟାରୀ ଜେନେରାଲ୍ ଓ ସୁରକ୍ଷା ଦାୟିତ୍ୱରେ ଥିବା ଅଦାଲତ ଅଧିକାରୀଙ୍କ ସହ ଏକ ବୈଠକ କରି ଏହି ଘଟଣା ଉପରେ ଆଲୋଚନା କରିଥିଲେ ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ସଂପୃକ୍ତ ଆଇନଜୀବୀ ଫିଙ୍ଗିଥିବା ଜୋତା ସହିତ କାଗଜପତ୍ର ଫେରାଇ ଦିଆଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।  

ଗତମାସରେ ମଧ୍ୟପ୍ରଦେଶର ଖଜୁରାହୋ ବିଷ୍ଣୁମୂର୍ତ୍ତିର ପୁନରୁଦ୍ଧାର ସହ ଜଡ଼ିତ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ର ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ‘ଯାଅ ତୁମ ବିଷ୍ଣୁଙ୍କୁ ପ୍ରାର୍ଥନା କର’ ଏବଂ ଏହା ପ୍ରଚାର ସର୍ବସ୍ବ ମାମଲା ବା ‘ପବ୍ଲିସିଟି ଇଣ୍ଟ୍ରେଷ୍ଟ ଲିଟିଗେସନ’ର କିଛି ସପ୍ତାହ ପରେ ଏହି ଘଟଣା ଘଟିଛି। ଜଣେ ପ୍ରତ୍ୟକ୍ଷଦର୍ଶୀ ଓକିଲଙ୍କ କହିବା ଅନୁଯାୟୀ, ଜୋତାଟି ଜଷ୍ଟିସ୍ ବିନୋଦ ଚନ୍ଦ୍ରନଙ୍କ ଦେହରେ ବାଜୁ ବାଜୁ ଅଳ୍ପକେ ଖସିଯାଇଥିଲା। ଏହାପରେ ଜୋତା ଫିଙ୍ଗିଥିବା ଓକିଲ ରାକେଶ କିଶୋର କ୍ଷମା ମାଗି କହିଥିଲେ ଯେ, ଏହା ପ୍ରକୃତରେ ପ୍ରଧାନ ବିଚାରପତି ଗୱାଇଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ପରେ ଓକିଲ ରାକେଶ କିଶୋରଙ୍କୁ ମୁକ୍ତ କରାଯାଇଥିଲା। ଦିଲ୍ଲୀ ପୁଲିସ ତାଙ୍କୁ କୋର୍ଟ ପରିସରରେ ହିଁ ସେମାନଙ୍କ ହେପାଜତରୁ ମୁକ୍ତ କରିଥିଲା।

ପ୍ରଧାନ ବିଚାରପତି ଗୱାଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିବା ଆଇନଜୀବୀ ରାକେଶ କିଶୋରଙ୍କ ଓକିଲାତି ଲାଇସେନ୍ସକୁ ଆଜି ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ ତତ୍କାଳ ନିଲମ୍ବିତ କରିଛି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବଳବତ୍ତର ଥିବା ଯାଏଁ ସେ ଦେଶର କୌଣସି କୋର୍ଟ, ଟ୍ରିବ୍ୟୁନାଲ୍‌ ବା ଆଇନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ମାମଲା ପରିଚାଳନା କରିପାରିବେ ନାହିଁ। ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। ନୋଟିସ ଗ୍ରହଣ କରିବାର ୧୫ ଦିନ ମଧ୍ୟରେ ତାଙ୍କୁ ଉତ୍ତର ରଖିବାକୁ କୁହାଯିବ। ନିଲମ୍ବନ କାହିଁକି ଜାରି ନ ରହିବ ଏବଂ ଅଧିକ କାର୍ଯ୍ୟାନୁଷ୍ଠାନ କାହିଁକି ନିଆ ନ ଯିବ ତାହା ଉଲ୍ଲେଖ କରିବା ପାଇଁ କୁହାଯିବ। ଦିଲ୍ଲୀ ବାର୍‌ କାଉନସିଲ୍‌ ତୁରନ୍ତ ବାର୍‌ କାଉନସିଲ୍‌ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିଛି। ଏ ସଂପର୍କରେ ସମସ୍ତ ଅଦାଲତ ଏବଂ ଟ୍ରିବ୍ୟୁନାଲକୁ ଅବଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe